ନଭଶ୍ୟା କୁର୍ବା ଦକ୍ଷିଣ ମୁମ୍ବାଇର ଆଜାଦ୍ ମୈଦାନରେ ନୃତ୍ୟରତ ୪୦ ଜଣ ବିକ୍ଷୋଭକାରୀଙ୍କ ପାଇଁ ସଦ୍ୟ ଧୁମ୍ସୀ (ଡ୍ରମ୍) ବାଦନ କରିଥିଲେ । ସେ ରାତି ପ୍ରାୟ ୧୧ଟା ସମୟରେ ବିଶ୍ରାମ ପାଇଁ ଟିକିଏ ବସିବା ବେଳକୁ ୩ ଜଣ ଲୋକ ତାଙ୍କୁ ଘେରିଗଲେ ।
‘‘କ’ଣ ବାହା ହେବାକୁ ଅଛି ? କେବେ ?’’ ନଭଶ୍ୟା ପଚାରିଲେ । ସେମାନେ କଥାବାର୍ତ୍ତା ହେଲେ, ଫୋନ୍ ନମ୍ବର ଦିଆନିଆ ହେଲା ଓ ସେହି ୩ ଜଣ ଫେରିଗଲେ । ନଭଶ୍ୟା ଜାନୁଆରୀ ୨୫ ତାରିଖ ବିକ୍ଷୋଭରେ ମୈଦାନରେ ତାଙ୍କ ସହ ଥିବା ଚାଷୀଙ୍କ ଦଳ ପାଖକୁ ଆସିଲେ ଓ କହିଲେ, ‘‘ମୋତେ ଏବେ ଏକ ସୁପାରି(କାମ) ମିଳିଲା ।’’
ଦହାନୁ ତାଲୁକାସ୍ଥିତ ନିଜ ଗାଁ କିନ୍ହାୱାଲିରେ ନଭଶ୍ୟା ଓ ତାଙ୍କ ପତ୍ନୀ ବିଜ୍ଲି ପ୍ରାୟ ୫ ଏକର ଜଙ୍ଗଲ ଜମିରେ ଯଅ, ଧାନ ଓ ହରଡ଼ ଡାଲି ଉତ୍ପାଦନ କରନ୍ତି । ଯେତେବେଳେ ଚାଷବାସ ନ ଥାଏ, ୫୫ ବର୍ଷୀୟ ନଭଶ୍ୟା ଡ୍ରମ ବାଦନରେ ବ୍ୟସ୍ତ ରହନ୍ତି । ମାସକୁ ସେ କିଛି ଟଙ୍କା ବିନିମୟରେ ୧୦-୧୫ଟି ବିବାହରେ ଡ୍ରମ୍ ବାଦନ କରନ୍ତି ଏବଂ ଆୟୋଜକମାନେ ତାଙ୍କର ଯାତ୍ରା, ଖାଦ୍ୟ ଓ ରହିବାର ବ୍ୟବସ୍ଥା କରନ୍ତି । ନଭଶ୍ୟା କହିଲେ, ‘‘ପ୍ରାୟତଃ ନାସିକରେ (ମୁଁ ଡ୍ରମ୍ ବାଦନ କରେ), କିନ୍ତୁ ତା’ ବାହାରକୁ ବି ଯାଏ । ମୁଁ ଥାନେ, ଏମିତିକି ଗୁଜରାଟକୁ ବି ଯାଇଛି । ’
ଗତ ୪୦ ବର୍ଷ ହେଲା ସେ ଧୁମ୍ସୀ ବାଦନ କରୁଛନ୍ତି । ସେ କହିଲେ, ‘‘ମୁଁ ଆମ ଗାଁର ଅନ୍ୟ ଡ୍ରମ୍ ବାଦକଙ୍କଠାରୁ ଶୁଣି ସେମାନଙ୍କଠାରୁ ଧୀରେ ଧୀରେ ଶିଖିଲି ।’’





