ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ଶ୍ମଶାନଗୁଡ଼ିକ ତରଳୁଥିଲା ଏବଂ ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ୍ ସରିଆସୁଥିଲା। ଓଃ ଇସମାଏଲ୍, ସେ କିପରି ଶ୍ଵାସକ୍ରିୟା କରିବାକୁ ସଂଘର୍ଷ କରୁଥିଲେ ! ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ଡାକ୍ତର ମାନଙ୍କୁ ଜେଲ୍ ଦଣ୍ଡ ଦିଆଯାଇଥିଲା ଏବଂ କୃଷକମାନଙ୍କୁ ଆତଙ୍କବାଦୀ ଭାବେ ଦେଖାଯାଉଥିଲା । ସ୍ନେହର ନାଜିଆ ଓ ସୋହରାବ…ଓଃ ! ପ୍ରିୟ ଏଲେନ୍…ଏବେ ସେ ସେମାନଙ୍କୁ କେମିତି ଖାଇବାକୁ ଦେବ ? ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ମଣିଷମାନେ ମୂଲ୍ୟହୀନ ଓ ଗାଈମାନେ ପବିତ୍ର । ସ୍ଵାମୀଙ୍କର ଔଷଧ ପାଇଁ ତାଙ୍କର ଥିବା ଛୋଟିଆ ଜମି ଖଣ୍ଡକ ବିକ୍ରି ହୋଇଯାଇଥିବା ବେଳେ, ସେ ଏବେ କେଉଁଠାରେ ଆଶ୍ରୟ ନେବେ ?
ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ପ୍ରତିମୂର୍ତ୍ତି, ଶୌଚାଳୟ ଓ ନକଲି ନାଗରିକତ୍ଵର ପ୍ରତିଶ୍ରୁତି ଅତ୍ୟାଚାରକୁ ବୈଧ କରିବାକୁ ଯଥେଷ୍ଟ ଥିଲା । ଏମିତିକି ଯଦି ସେ କବରସ୍ତାନରେ ଅନ୍ତହୀନ ଧାଡ଼ିରୁ ରକ୍ଷା ପାଇଯାଆନ୍ତି, ତେବେ କବର ଖୋଳାଳିଙ୍କୁ କ’ଣ ଦେବେ ? ସେ ଏକ ଏମିତି ଦେଶରେ ରହୁଥିଲେ ଯେଉଁଠାରେ ତାମ୍ସା କରୁଥିବା ବାବୁ ଏବଂ ବିବିମାନେ ମନ୍ତବ୍ୟ ଓ କାପୁସିନୋ ବାବଦରେ ଅନ୍ତହୀନ ଭାବେ ତର୍କ କରୁଥିଲେ ଯେ ବ୍ୟବସ୍ଥା କ’ଣ ଭୁଶୁଡ଼ି ପଡୁଛି ନା ଏଥିରେ ଦୁର୍ନୀତି କରାଯାଇଥିଲା ।
ସୋହରାବ ଶାନ୍ତ ହେଉନଥିଲା । ନାଜିଆ ପଥର ପାଲଟି ଯାଇଥିଲା । ଏଲେନ୍ ନିଜ ମା’ଙ୍କର ଓଢ଼ଣୀକୁ ହାତରେ ଗୁଡ଼ାଉଥିଲା । ଆମ୍ବୁଲାନ୍ସ ବାଲା ଆଉ ଅଧିକ ୨ ହଜାର ଟଙ୍କା ମାଗୁଥିଲା । ପଡ଼ୋଶୀ ତାଙ୍କୁ ସ୍ଵାମୀଙ୍କ ଶବ ନ ଛୁଇଁବାକୁ ଚେତାଇ ଦେଉଥିଲେ । କାଲି ରାତିରେ କେହି ତାଙ୍କ ଦ୍ଵାରରେ ‘କଟୱା ସାଲା’ ଶବ୍ଦ ଲେଖି ଦେଇଥିଲା । ଲୋକମାନେ ଦ୍ଵିତୀୟ ଲକ୍ଡାଉନ୍ ସମ୍ପର୍କରେ କଥା ହେଉଥିଲେ ।
କାଲି ରାସନ ଡିଲର ୫୦ ବ୍ୟାଗ୍ ଚାଉଳ ମହଜୁଦ ରଖିବା ନେଇ ଧରାପଡ଼ିଥିଲା । ସୋହରାବ ବେହୋଶ ହୋଇଯାଇଥିଲା । ନାଜିଆ ନିଜ ବାପାଙ୍କ କଫନର ଶେଷ ଭାଗକୁ ଏତେ ଜୋରରେ ଧରିଥିଲା ଯେ ତା’ର ଅଙ୍ଗୁଳିରୁ ରକ୍ତ ବାହାରିଲା । ଧଳା କଫନରେ ଗୁଡ଼ାଇ ହୋଇଥିବା ବାପାଙ୍କୁ ଗାଢ଼ ଲାଲ୍ ରଙ୍ଗର ପାଞ୍ଚ ଟୋପା ରକ୍ତରେ ସେ ଅନ୍ତିମ ବିଦାୟ ଦେଲା । ଏଲେନ୍ ଶୋଇ ପଡ଼ିଥିଲା । ସେ ଏମିତି ଏକ ଦେଶରେ ରହୁଥିଲା ଯେଉଁଠି ରେଲୱେରୁ ନେଇ ଟିକା ଯାଏଁ, ମନ୍ତ୍ରୀଙ୍କଠାରୁ ନେଇ ଛୋଟ ଶିଶୁଙ୍କ ଯାଏଁ ସବୁ କିଛି ଅଧିକ ନିଲାମ ଡାକୁଥିବା ଲୋକକୁ ବିକ୍ରି ହୋଇସାରିଥିଲା ।
ସେ ନିଜର ଜମି ହରାଇ ସାରିଥିଲା, ତଥାପି ଫୋଲିଡୋଲର ଗୋଟିଏ ବୋତଲ ସେହି ଛାଉଣି ତଳେ ଥିଲା ଯେଉଁଠାରେ ଇସମାଇଲ୍ ନିଜର ଧଳା ରଙ୍ଗର ଚମକୁଥିବା ଜୁବ୍ବା ରଖୁଥିଲା । ସେ ଗାଁର ମୁଇଜ୍ଜିନ୍ ଥିଲା । ସେ ନିଜର ମା’, ଭାଇ ଓ ସ୍ଵାମୀଙ୍କୁ ଜଣକ ପରେ ଜଣେ ଏହି ନୂଆ ରୋଗରେ ହରାଇଥିଲା । ତଥାପି ତାଙ୍କର ୩ଟି ପିଲା ତାଙ୍କ ଜୀବନର ମିହ ରବ ଏବଂ କିବ୍ଲା ଭଳି ଥିଲେ । ନାଜିଆ ୯ ବର୍ଷର ଓ ସୋହରାବ ୧୩ ଏବଂ ଏଲେନ୍ ୬ ମାସର ହୋଇଥିଲା । ସବୁକିଛି ପରେ ତାଙ୍କର ପସନ୍ଦ ଅତି ସରଳ ଥିଲା।










