ଖ୍ରୀଷ୍ଟମାସ ଦିନ ପୂର୍ବାହ୍ନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ୩,୬୦୦ କୋଟି ବ୍ୟୟରେ ହେବାକୁ ଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତିର ଭିତ୍ତି ସ୍ଥାପନ କରିବାର ୨୪ ଘଣ୍ଟା ନହେବା ପୂର୍ବରୁ ମହାରାଷ୍ଟ୍ରର ନାସିକ ଜିଲ୍ଲାଠାରୁ ମାତ୍ର ୨୦୦ କିମି ଦୂରରେ ଅବସ୍ଥିତ ଧୋଣ୍ଡେଗାଓଁର ଯଶବନ୍ତ ଓ ହୀରାବାଇ ବେଣ୍ଡକୁଲେ ତାଙ୍କ ଜମିରେ ଥିବା ଟମାଟ ଲତାକୁ କାଟି ମୂଳରୁ ଉପାଡି ଦେଉଛନ୍ତି । “ଏକ ମାସରୁ ଅଧିକ ସମୟ ଧରି ଟମାଟର ମୂଲ୍ୟ ଅତ୍ୟନ୍ତ ନିମ୍ନସ୍ତରରେ ରହିଛି । ଏପରିକି ଫସଲକୁ ଯଦି ଆମେ ଏପରି ରଖିବୁ ତେବେ ମଧ୍ୟ ଆମକୁ କ୍ଷତି ସହିବାକୁ ହେବ ବୋଲି ଯଶବନ୍ତ ଅସ୍ପଷ୍ଟ ସ୍ୱରରେ କହିବା ସହିତ ଏହି ଆଦିବାସୀ ଦମ୍ପତି କାହିଁକି ଏପରି ଏକ ଭଲ ଫସଲ ଯେଉଁଥିରେ ସେମାନେ ୨୦,୦୦୦ ଟଙ୍କା ଓ ପରିବାରର ଶ୍ରମ ନିବେଶ କରିଛନ୍ତି, ତାହା ଏପରି ଭାବେ ଧ୍ୱଂସ କରୁଛନ୍ତି, ତାହା ବର୍ଣ୍ଣନା କରୁଥିଲେ । ପରିଷ୍କାର କରି ସାରିବା ପରେ ଏହି ଜମିରେ ସେମାନେ ଗହମ ବୁଣିବେ । କିଛି ନ ହେଲେ, ଗ୍ରୀଷ୍ମ ଋତୁରେ ଖାଇବା ପାଇଁ ଆମ ପାଖରେ ଖାଦ୍ୟ ଥିବ, ବୋଲି ହୀରାବାଇ କହିଲେ ।
ନଭେମ୍ବର ୮ରେ ମୋଦି ବିମୁଦ୍ରୀକରଣ ଘୋଷଣା କରିବା ପରେ ସୃଷ୍ଟି ହୋଇଥିବା ନଗଦ ଅଭାବ ଯୋଗୁଁ ଟମାଟର ମୂଲ୍ୟ ଆହୁରି ଅଧିକ ହ୍ରାସ ପାଇବାକୁ ଲାଗିଲା । ନାସିକ୍ ସହରଠାରୁ ୨୦ କିମି ଦୁରରେ ଥିବା ଗିର୍ନାର୍ ମଣ୍ଡିରେ ବର୍ତ୍ତମାନ ଟମାଟର ମୂଲ୍ୟ କିଲୋଗ୍ରାମ ପ୍ରତି ୫୦ ପଇସାରୁ ୨ଟଙ୍କା ମଧ୍ୟରେ ଅଛି । ମୂଲ୍ୟ ଏତେ ତଳକୁ ଖସି ଯାଇଛି ଯେ ଏଥିରୁ ସେମାନେ ଆଦାୟରେ ହୋଇଥିବା ଖର୍ଚ୍ଚ ଓ ନିଜ ଉତ୍ପାଦ ସ୍ଥାନାନ୍ତରଣ କରିବା ଖର୍ଚ୍ଚ ମଧ୍ୟ ପାଇପାରିବେ ନାହିଁ । ଖୁଚୁରା ବଜାରରେ ଏହାର ମୂଲ୍ୟ କିଲୋଗ୍ରାମକୁ ୬-୧୦ ଟଙ୍କା ମଧ୍ୟରେ ଅଛି । ସମଗ୍ର ନାସିକ୍ରେ, ଯାହା ଭାରତର ଏକ ପ୍ରମୁଖ ହର୍ଟିକଲ୍ଚର୍ ଜିଲ୍ଲା ଭାବେ ପରିଚିତ, ହତୋତ୍ସାହିତ ହୋଇ ପଡିଥିବା ଚାଷୀମାନେ ସେମାନଙ୍କ ଫସଲକୁ ସମୂଳେ ଉପାଡି ଦେଉଛନ୍ତି, ଉତ୍ପାଦଗୁଡିକୁ ଅଳିଆ ଗଦାରେ ଫୋପାଡି ଦେଉଛନ୍ତି ଓ ସେମାନଙ୍କ ପରିବା ଜମି ଯେଉଁଥିରେ ସେମାନେ ଏହି ମୌସୁମୀ ଋତୁରେ ଏକର ପ୍ରତି ପ୍ରାୟ ୩୦,୦୦୦ ରୁ ୧.୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନିବେଶ କରିଥିଲେ ସେଥିରେ ଗାଈମାନଙ୍କୁ ଚରିବାକୁ ଛାଡିଦେଇଛନ୍ତି ।






