ରଶିଦା ବେଗମଙ୍କୁ ମାତ୍ର ଆଠ ବର୍ଷ ବୟସ ହୋଇଥିବା ବେଳେ ୧୮ ଫେବୃଆରୀ ୧୯୮୩ରେ ନେଲ୍ଲୀ ନରସଂହାର ଘଟିଥିଲା। ସେଦିନର ସ୍ମୃତିକୁ ମନେ ପକାଇ ସେ କୁହନ୍ତି, ସେମାନେ ଚାରିପଟରୁ ଲୋକମାନଙ୍କୁ ଘେରି ନେଇଥିଲେ ଏବଂ ସେମାନଙ୍କୁ ଗୋଟିଏ ପଟକୁ ଦୌଡ଼ିବାକୁ ବାଧ୍ୟ କରାଗଲା। ସେମାନେ ତୀର ମାଡ଼ କଲେ; କେତେକଙ୍କ ପାଖରେ ବନ୍ଧୁକ ଥିଲା। ଏହିପରି ଭାବେ ସେମାନେ ଲୋକମାନଙ୍କୁ ହତ୍ୟା କଲେ। କିଛି ଲୋକଙ୍କ ବେକ କଟି ଯାଇଥିଲା, କିଛି ଲୋକଙ୍କ ଛାତିକୁ ଆକ୍ରମଣ କରାଯାଇଥିଲା।’’
ସେଦିନ କେନ୍ଦ୍ରୀୟ ଆସାମ ମୋରୀଗାଓଁ ଜିଲ୍ଲାର ନେଲ୍ଲୀ (ବା ନେଲି) ଇଲାକାରେ ମାତ୍ର ୬ ଘଣ୍ଟା ମଧ୍ୟରେ ହଜାର ହଜାର ବଙ୍ଗୀୟ ମୁସଲମାନମାନଙ୍କୁ ହତ୍ୟା କରି ଦିଆଯାଇଥିଲା। ଘରେ ଥିବା ରଶିଦା, ପରିବାରରେ ‘ରୁମି’ ନାମରେ ସମ୍ବୋଧିତ, ଏହି ଗଣହତ୍ୟାରୁ ବର୍ତ୍ତି ଯାଇଥିଲେ। କିନ୍ତୁ ତାଙ୍କର ଆଖି ସାମ୍ନାରେ ତାଙ୍କର ସାନ ଚାରି ଭଉଣୀଙ୍କୁ ମାରି ଦିଆଯାଇଥିଲା ଓ ତାଙ୍କ ମା’ ଗୁରୁତର ଭାବେ ଆହତ ହୋଇଥିଲେ। ‘‘ସେମାନେ ମୋତେ ଏକ ଜାଡ଼ି (ବର୍ଚ୍ଛା)ରେ ଆକ୍ରମଣ କରିଥିଲେ ଏବଂ ମୋ ଅଣ୍ଟାକୁ ଗୁଳି ମାରିଥିଲେ। ଗୋଟିଏ ଗୁଳି ମୋ ଗୋଡ଼ରେ ଗଳି ଯାଇଥିଲା’’ ସେଦିନ କଥା ସ୍ମୃତିଚାରଣ କରି ସେ କୁହନ୍ତି।
ନେଲ୍ଲୀ (ନେଲି ଭାବେ ଉଚ୍ଚାରିତ) ଏବେ ମାରିଗାଓଁ ଜିଲ୍ଲା ଅଧୀନରେ ଆସୁଛି, ଯାହାକି ୧୯୮୯ରେ ନଗାଓଁ ଜିଲ୍ଲାରୁ ଅଲଗା ହୋଇଥିଲା। ଏହି ଗଣହତ୍ୟାରେ ସବୁଠୁ ଗୁରୁତର ଭାବେ ପ୍ରଭାବିତ ଗାଁ ମଧ୍ୟରେ ଥିଲା ଆଲିସିଙ୍ଗା, ବସୁନ୍ଧରୀ ଜାଲା, ବୋରବୋରି, ଭୁଗଦୁବା ବିଲ, ଭୁଗଦୁବା ହବି, ଖୁଲାପଥର, ମାଟିପର୍ବତ, ମୂଳାଧାରୀ, ନେଲି ଓ ସିଲଭେଟା। ସରକାରୀ ରିପୋର୍ଟରେ ମୃତ୍ୟୁସଂଖ୍ୟା ୨,୦୦୦ ଥିବା ଦର୍ଶାଯାଇଥିବା ବେଳେ ବେସରକାରୀ ଉତ୍ସ ଅନୁଯାୟୀ ଏଥିରେ ପ୍ରାୟ ୩,୦୦୦ରୁ ୫,୦୦୦ ମଧ୍ୟରେ ଲୋକ ପ୍ରାଣ ହରାଇଥିଲେ।
୧୯୭୯ରୁ ୧୯୮୫ ମଧ୍ୟରେ ବାହରୁ ଆସିଥିବା ଲୋକମାନଙ୍କ ବିରୋଧରେ ଆସାମରେ ଏକ ହିଂସାର ପର୍ଯ୍ୟାୟ ସଂଘଟିତ ହୋଇଥିଲା, ଯାହାର ଅବଧି ମଧ୍ୟରେ ଏହି ଗଣହତ୍ୟା ଘଟିଥିଲା। ଅଲ ଆସାମ ଷ୍ଟୁଡେଣ୍ଟସ୍ ୟୁନିଅନ (ଆସୁ) ଏବଂ ଏହାର ସହାୟକ ସଂଗଠନଗୁଡ଼ିକ ହିଂସାକାଣ୍ଡର ନେତୃତ୍ୱ ନେଇଥିଲେ। ସେମାନେ ରାଜ୍ୟରୁ ବେଆଇନ ପ୍ରବାସୀମାନଙ୍କୁ ବିତାଡ଼ିତ କରିବା ଏବଂ ସେମାନଙ୍କ ନାମ ମତଦାତା ତାଲିକାରୁ ବାଦ୍ ଦେବାକୁ ଦାବି କରିଥିଲେ।


