ସୁଗି ରାଧାକ୍ରିଷ୍ଣନ କହିଲେ, "ଆଜିକାଲି ଆପଣ ଗୋଟିଏ ଦୋକାନରୁ ସବୁ ଜିନିଷ କିଣି ପାରିବେ। କିନ୍ତୁ ଆମ ଆଦିବାସୀ ସଂପ୍ରଦାୟଗୁଡ଼ିକର ଧାର୍ମିକ କାର୍ଯ୍ୟରେ ଆମ କୋଟା ଆଦିବାସୀ ମହିଳାମାନଙ୍କ ଦ୍ୱାରା ତିଆରି ହୋଇଥିବା ମାଟିପାତ୍ର ହିଁ ବ୍ୟବହାର ହୋଇଥାଏ।" ସୁଗି ରାଧାକ୍ରିଷ୍ଣନଙ୍କ ବୟସ ୬୩ ବର୍ଷ, ଘର ତିରୁଚିଗାଡ଼ି ନାମକ ଆଦିବାସୀ ପଡ଼ାରେ, ଯାହାକୁ ସେ ତିର୍ଚ୍ଚଗାଡ଼ ବୋଲି କହନ୍ତି – କୋଟା ଲୋକଙ୍କ ଗାଁର ନାଁଗୁଡ଼ିକ ସାମାନ୍ୟ ଅଲଗା ଅଲଗା ହୋଇଥାଏ। ଏହି ପଡ଼ା ଗାଁଟି ତାମିଲନାଡ଼ୁ ନୀଳଗିରି ଜିଲ୍ଲା ଉଦ୍ଧଗମଣ୍ଡଲମ୍ ତାଲୁକରେ ଅବସ୍ଥିତ।
ସୁଗି ଘରେ ଥିଲା ବେଳେ କୋଟା ମହିଳାଙ୍କ ପୋଷାକ ପିନ୍ଧନ୍ତି – ଏକ ଧଳା ରଙ୍ଗର ମୋଟା ଚଦର ବାନ୍ଧିଥାନ୍ତି, ଦେଖିବାକୁ କଉପିନି ଭଳି ଯାହାକୁ କୋଟା ଭାଷାରେ କହନ୍ତି ଦୁପିଟ କହନ୍ତି। ଏହା ସହ ଏକ ଧଳା ସାଲ୍ ଯାହାକୁ ବାରାଡ଼ କହନ୍ତି। କୋଟଗିରି ଏବଂ ଅନ୍ୟ ସହରରେ କାମ କଲାବେଳେ, ତିରୁଚାଗଡ଼ିର ମହିଳା ଓ ପୁରୁଷମାନେ ଏହି ପାରଂପରିକ ପୋଷାକ ପିନ୍ଧନ୍ତି ନାହିଁ। କେବଳ ଗାଁକୁ ଫେରିଲେ ପିନ୍ଧନ୍ତି। ସୁଗି ତାଙ୍କ ତୈଳାକ୍ତ କେଶରେ ବେଣି ବାନ୍ଧି ତଳକୁ ଝୁଲାଇ ଦେଇଥିଲେ। ଏହା ତାଙ୍କ ଆଦିବାସୀ ମହିଳାଙ୍କର ସ୍ୱତନ୍ତ୍ର ଶୈଳୀ। ତାଙ୍କ ଘରକୁ ଲାଗିଥିବା ହାଣ୍ଡି ତିଆରି ଶାଳକୁ ଆମକୁ ପାଛୋଟି ନେଲେ।
"ପାତ୍ରଟିଏ କିଭଳି ଗଢାଯିବ, ସେ ନେଇ ମୁଁ ବିଧିବଦ୍ଧ 'ଶିକ୍ଷା' କରିନି। କେବଳ ମୋ ଜେଜେ ମାଙ୍କ ହାତକୁ ଚାହୁଁଥିଲି, ନଜର କରୁଥିଲି କେମିତି ଢଙ୍ଗରେ ସେ ତାଙ୍କ ହାତ ବୁଲୋଉଛନ୍ତି। ଗୋଟିଏ ସିଲିଣ୍ଡର ଆକୃତିର ପାତ୍ରକୁ ଗୋଲାକାର କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗେ। ଏଥିପାଇଁ ପାତ୍ରର ବାହାର ପଟେ ଏକ ଛୋଟ କାଠ ପଟା ସାହାଯ୍ୟରେ ଏବଂ ଭିତର ପଟୁ ଏକ ଚିକ୍କଣ ଗୋଲାକାର ପଥର ଖଣ୍ଡ ସାହାଯ୍ୟରେ ଖୁବ୍ ହାଲକା ଭାବରେ ଆଘାତ କରିବାକୁ ହୁଏ। ଏହା ଦ୍ୱାରା ମଧ୍ୟ ପାତ୍ରଟି ଧୀରେ ଧୀରେ ସୁଖେ। ଯେପରି ପାତ୍ରରେ କୌଣସି ଫାଟ ସୃଷ୍ଟି ନହେବ ତାକୁ ଧ୍ୟାନରେ ରଖି ପଥର ଏବଂ କାଠଖଣ୍ଡକୁ ଏକ ସାଙ୍ଗରେ ଚଲାଇବାକୁ ହୁଏ। ଏମିତି ଏକ ପାତ୍ରରେ ଭାତ ରାନ୍ଧିଲେ ଖୁବ୍ ସୁନ୍ଦର ବାସ୍ନା ହୁଏ। ଛୋଟ ମୁହଁ ଥିବା ପାତ୍ରଗୁଡ଼ିକରେ ସମ୍ଭର ପ୍ରସ୍ତୁତ କରାଯାଏ। ଆପଣ ଏହା ପରୀକ୍ଷା କରିପାରିବେ।"









