ସହଜରେ ନଜରରେ ପଡୁ ନଥିବା ଜଙ୍ଗଲି ପେଚାର କଅଁଳ ଡାକ ଏବଂ ଚାରି ପ୍ରକାରର କୁଣ୍ଡାଖାଇ ଚଢ଼େଇର ଡାକକୁ ସେ ଚିହ୍ନି ପାରନ୍ତି। ଲୋମଶ ବେକ ଥିବା ବିଦେଶାଗତ ଗେଣ୍ଡାଳିଆମାନେ କେଉଁ ପ୍ରକାର ପୋଖରୀରେ ବଂଶବିସ୍ତାର କରିବାକୁ ପସନ୍ଦ କରନ୍ତି, ସେ କଥା ବି ସେ ଜାଣନ୍ତି।
ବି. ସିଦ୍ଦାନ ଅଧାରୁ ସ୍କୁଲ ପାଠ ଛାଡ଼ିଥିଲେ ସିନା, ତାମିଲନାଡୁର ନୀଳଗିରି ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭିନ୍ନ ଭିନ୍ନ ପ୍ରକାର ପକ୍ଷୀମାନଙ୍କ ସଂପର୍କରେ ତାଙ୍କର ଜ୍ଞାନ ଯେ କୌଣସି ପକ୍ଷୀବିଜ୍ଞାନୀଙ୍କୁ ଆମୋଦିତ କରିବ।
ହସି ହସି ସେ କହନ୍ତି, “ଆମ ଗାଁ ବୋକ୍କାପୁରମ୍ରେ ତିନି ଜଣ ପିଲାଙ୍କ ନାଁ ଥିଲା ସିଦ୍ଦାନ। ଏଠାକୁ ଆସୁଥିବା ଲୋକେ କେଉଁ ସିଦ୍ଦାନ ବୋଲି ପଚାରିଲେ ଗାଁ ଲୋକେ କହନ୍ତି, ‘ଆଚ୍ଛା, ସେଇ କୁରୁବି ସିଦ୍ଦାନ – ପାଗଳଙ୍କ ଭଳି ସବୁବେଳେ ପକ୍ଷୀଙ୍କ ପଛରେ ଦୌଡୁଥିବା ପିଲାଟି’।
କାଗଜପତ୍ରରେ ତାଙ୍କ ନାଁ ବି. ସିଦ୍ଦାନ। କିନ୍ତୁ ମୁଦୁମଲାଇକୁ ଘେରି ରହିଥିବା ଜଙ୍ଗଲ ଏବଂ ଗାଁରେ ଲୋକେ ତାଙ୍କୁ କୁରୁବି ସିଦ୍ଦାନ ନାଁରେ ଜାଣନ୍ତି। ତାମିଲ ଭାଷାରେ ‘କୁରୁବି’ କହିଲେ ଭିନ୍ନ ଭିନ୍ନ ପ୍ରଜାତିର ପକ୍ଷୀମାନଙ୍କର ଏକ ବର୍ଗକୁ ବୁଝାଏ: ପାସେରିଫର୍ମ୍ସ ବଂଶକ୍ରମର ଏହି ପକ୍ଷୀମାନଙ୍କ ସଂଖ୍ୟା, ସବୁ ପ୍ରଜାତିର ପକ୍ଷୀ ସଂଖ୍ୟାର ଅଧାରୁ ଅଧିକ।
ନୀଳଗିରି ପର୍ବତର ପାଦଦେଶରେ ଅବସ୍ଥିତ ଆନାକାଟ୍ଟି ଗାଁର ୨୮ ବର୍ଷୀୟ ପୁରାତନ ପ୍ରାଥମିକ ସ୍କୁଲ ଶିକ୍ଷକ ବିଜୟା ସୁରେଶ କହନ୍ତି, “ପଶ୍ଚିମଘାଟ ପର୍ବତ ଅଞ୍ଚଳର ଯେଉଁ ସ୍ଥାନରେ ବି ଆପଣ ଥାଆନ୍ତୁ ନା କାହିଁକି ଆପଣ ଚାରିଟି କି ପାଞ୍ଚଟି ପକ୍ଷୀର ସ୍ୱର ଶୁଣିପାରିବେ। କେବଳ ଏହି ସ୍ୱର ଶୁଣି ଶୁଣି ଆପଣଙ୍କୁ ଶିଖିବାକୁ ହେବ।” ସେ କହନ୍ତି ଯେ, ମୁଦ୍ଦୁମଲାଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅନେକ ଯୁବକ ଯୁବତୀଙ୍କ ଦିଗ୍ଦର୍ଶକ ସିଦ୍ଦାନଙ୍କ ପାଖରୁ ହିଁ ସେ ପକ୍ଷୀମାନଙ୍କ ସଂପର୍କରେ ବହୁ ମୂଲ୍ୟବାନ ତଥ୍ୟ ପାଇଛନ୍ତି। ସେଠାରେ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ୧୫୦ ପ୍ରକାର ପକ୍ଷୀଙ୍କୁ ବିଜୟା ଚିହ୍ନିପାରିବେ।
















