ମେ ୪ରେ ଯେତେବେଳେ ହରିନ୍ଦର ସିଂ ତାଙ୍କ ସହକର୍ମୀଙ୍କୁ ଶେଷ ଦୁଇ ମୃତଦେହ ପ୍ରସ୍ତୁତ କରିବାକୁ କହିଲେ, ସେତେବେଳେ ତାଙ୍କ ସହକର୍ମୀଙ୍କୁ ସେ ବିସ୍ମିତ କରିବାକୁ ଆଶା କରିଥିଲେ । ତାଙ୍କ ଦ୍ୱାରା ଚୟନିତ ଶବ୍ଦଗୁଡିକ ଅତ୍ୟନ୍ତ ଅସ୍ୱାଭାବିକ ଥିଲା ।
ହରିନ୍ଦର କହିଲେ “ଦୋ ଲୌଣ୍ଡେ ଲେଟେ ହୁଏ ହେଁ [ ଦୁଇଜଣ ପୁଅ ସେଠାରେ ଶୋଇଛନ୍ତି]” । ତାଙ୍କ ସହକର୍ମୀମାନେ ଯେତେବେଳେ ସେ ଅତ୍ୟନ୍ତ ବ୍ୟାକୁଳ ହେଉଥିବା ଦେଖିଲେ, ସେତେବେଳେ ତାହା ବିସ୍ମୟ ଆମୋଦଦାୟକ ହସରେ ପରିଣତ ହୋଇଗଲା । ଏହା ଥିଲା ନିଗମ ବୋଧ ଘାଟ – ଦିଲ୍ଲୀର ସର୍ବାଧିକ ବ୍ୟସ୍ତ ଶ୍ମଶାନ –ରେ କଠିନଶ୍ରମଯୁକ୍ତ ସେମାନଙ୍କ କାମ ମଧ୍ୟରେ ପ୍ରାପ୍ତ ହୋଇଥିବା ଆରାମର କିଛି ଦୁର୍ଲଭ ମୁହୂର୍ତ୍ତ ।
ହେଲେ, ହରିନ୍ଦର ମୋତେ ଏ ବିଷୟରେ ବିସ୍ତାରରେ ବୁଝାଇବାର ଆବଶ୍ୟକତା ରହିଥିବା ଅନୁଭବ କଲେ । ସେ ତାଙ୍କର ସହକର୍ମୀମାନଙ୍କ ସହିତ ଦାହଗୃହର ଚୁଲା ନିକଟରେ ଥିବା ଏକ ପ୍ରକୋଷ୍ଠରେ ତାଙ୍କର ରାତ୍ରିଭୋଜନ ଖାଉଥିଲେ । ସେ ଟିକିଏ ନିଃଶ୍ୱାସ ମାରିଲେ – ସେ ଭାଗ୍ୟବାନ ଥିଲେ ଯେହେତୁ ଏହି କୋଭିଡ୍ ମହାମାରୀରେ ତାଙ୍କର ଶ୍ୱାସକ୍ରିୟା ଚାଲୁଥିଲା – ଆଉ କହିଲେ, “ଆପଣ ସେମାନଙ୍କୁ ଶବ କୁହନ୍ତି । ଆମେ ସେମାନଙ୍କୁ ଲୌଣ୍ଡେ [ ପିଲା] କହୁ ।
“ ଏଠାକୁ ଯେଉଁମାନଙ୍କୁ ଅଣାଯାଏ, ସେମାନେ ସମସ୍ତେ କାହାର ନା କାହାର ପୁଅ କିମ୍ବା ଝିଅ ହୋଇଥିବେ, ଯେପରି ମୋର,” ବୋଲି ପପ୍ପୁ କୁହନ୍ତି । “ସେମାନଙ୍କୁ ଚୁଲା ଭିତରକୁ ପଠାଇବା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ହେଲେ, ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଆମକୁ ଏହା କରିବାକୁ ପଡେ, ଆମେ କରୁନୁ କି”? ଗତ ଏକମାସ ହେବ ନିଗମ ବୋଧରେ ପ୍ରତିଦିନ ପ୍ରାୟ ୨୦୦ରୁ ଅଧିକ ଶବଦାହ କରାଯାଉଛି – ସି.ଏନ୍.ଜି ଶବଦାହ ଚୁଲା ଓ ଖୋଲା ଚିତାରେ ।
ସେଦିନ, ମେ ୪ରେ, ନିଗମ ବୋଧ ଘାଟର ସି.ଏନ୍.ଜି ଶବଦାହ ଚୁଲାରେ ୩୫ଟି ଶବଦାହ କରାଯାଇଥିଲା । ଏହି ସଂଖ୍ୟା ଏପ୍ରିଲ୍ ପ୍ରଥମ ସପ୍ତାହ, ଯେତେବେଳେ କୋଭିଡ୍ର ଦ୍ୱିତୀୟ ଲହର ଦିଲ୍ଲୀକୁ କବଳିତ କରିବାରେ ଲାଗିଥିଲା, ସେତେବେଳେ ଜାରି ରହିଥିବା ଦୈନିକ ହାରାହାରି ସଂଖ୍ୟା ୪୫ – ୫୦ରୁ ଟିକିଏ କମ୍ ଥିଲା । ହେଲେ, ମହାମାରୀ ପୂର୍ବରୁ, ଶବଦାହ ଗୃହର ସି.ଏନ୍.ଜି ଚୁଲାରେ ମାସକୁ କେବଳ ୧୦୦ ଶବଦାହ କରାଯାଉଥିଲା ।
ଘାଟର ପ୍ରବେଶଦ୍ୱାରରେ, ଦିଲ୍ଲୀର କାଶ୍ମୀର ଦ୍ୱାର ନିକଟସ୍ଥ ଯମୁନା ନଦୀ କୂଳରେ ଏକ ବଡ ପ୍ରାଚୀର ଚିତ୍ର ରହିଛି । ଏହା କହୁଛି “ମତେ ଏଠାକୁ ଆଣିଥିବାରୁ ଧନ୍ୟବାଦ । ଏଠାରୁ ଆଗକୁ ମୁଁ ଏକଲା ଯିବି । “ହେଲେ, ଏପ୍ରିଲ – ମେ’ରେ ଯେତେବେଳେ ଦେଶର ରାଜଧାନୀରେ କୋଭିଡ୍ – ୧୯ ଭୟଙ୍କର ରୂପନେଲା, ସେତେବେଳେ ମୃତକମାନେ ଆଉ ଏକଲା ନଥିଲେ – ସେମାନଙ୍କର ପରଲୋକ ଗମନ ବେଳେ ସେମାନେ ବୋଧହୁଏ ଜଣେ ଜଣେ ସାଥି ପାଇ ପାରିଥିବେ ।














