ନହକୁଲ ପାଣ୍ଡୋଙ୍କୁ ଟାଇଲ୍ ତିଆରିରେ ସହାୟତା କରିବା ଲାଗି ସମ୍ପୂର୍ଣ୍ଣ ବମଦାଭାଇସା ମୋହଲ୍ଲା ଚାଲି ଆସିଥିଲା। ନହକୁଲ ବାଣ୍ଟୁଥିବା ଅଳ୍ପ ପରିମାଣର ଘର ତିଆରି ମଦକୁ ଯଦି ଆପଣ ଅଣଦେଖା କରନ୍ତି- ତା’ହେଲେ ଏହି କାର୍ଯ୍ୟ ଏକତା ପ୍ରଦର୍ଶନ କରିବା ଲାଗି ଏକ ସାମୁହିକ ପ୍ରୟାସ ଥିଲା, ଯେଉଁଥିରେ ଟାଇଲ ତିଆରି କରୁଥିବା ଲୋକମାନେ ମାଗଣାରେ କାମ କରୁଥିଲେ।
କିନ୍ତୁ ସେମାନେ କାହିଁକି ତାଙ୍କ ଛାତ ପାଇଁ ଟାଇଲ ତିଆରି କରୁଥିଲେ? ପୂର୍ବରୁ ଏଠାରେ ଥିବା ଛାତ ଗଲା କୁଆଡ଼େ? ତାଙ୍କ ଘର ଆଡ଼କୁ ଟିକିଏ ଚାହିଁଲେ, ମୁଖ୍ୟ ଢାଞ୍ଚାର ବଡ଼ ବଡ଼ ସ୍ଥାନରେ ଛାତ ନଥିବା, କିଛି କିଛି ସମ୍ପୂର୍ଣ୍ଣ ଭାଗର ଟାଇଲ ଗାଏବ ହୋଇଥିବା ଦେଖିବାକୁ ମିଳିଥାଏ।
“ଏହା ଏକ ସରକାରୀ ଋଣ ଥିଲା,” ସେ ବେଶ କ୍ଳାନ୍ତ ସ୍ୱରରେ କୁହନ୍ତି । “ମୁଁ ୪୮୦୦ ଟଙ୍କା ଉଧାର ଆଣି ଦୁଇଟି ଗାଈ କିଣିଥିଲି।” ସରକାରୀ ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ‘କୋହଳ ଋଣ’ ପ୍ରଦାନ। ଏଥିରେ ଏକ ସବସିଡି ଉପାଦାନ ଏବଂ କମ ସୁଧ ଉପାଦାନ ରହିଥିଲା। ଯଦି ଆପଣ ଗାଈ କିଣିବାକୁ ଯାଇଥାନ୍ତେ, ତା’ହେଲେ ୧୯୯୪ରେ ସୁରଗୁଜାର ଏହି ଭାଗରେ ଆପଣ ସେତିକି ଅର୍ଥରେ ଦୁଇଟି ଗାଈ କିଣିପାରିଥାନ୍ତେ। (ଏହି ଜିଲ୍ଲା ସେତେବେଳେ ମଧ୍ୟପ୍ରଦେଶ ରାଜ୍ୟରେ ଥିଲା ବର୍ତ୍ତମାନ ଛତିଶଗଡ଼ରେ ରହିଛି)
ମୂଳରୁ ଋଣ ନେବାର ବିଚାର ନହକୁଲଙ୍କ ମୁଣ୍ଡକୁ ଆଦୌ ଆସିନଥିଲା। ସେ ପ୍ରତିନିଧିତ୍ୱ କରୁଥିବା ପାଣ୍ଡୋ ଆଦିବାସୀ ସମୁଦାୟର ପ୍ରାୟ ଅଧିକାଂଶ ସଦସ୍ୟ, ସେମାନଙ୍କ ନିଜର ଅନୁଭୂତିରୁ, ଏହି ଧାରଣା ପୋଷଣ କରିଥାନ୍ତି ଯେ, ଋଣ ନେଲେ ସେମାନଙ୍କୁ ନିଜର ଜମି ହରାଇବାକୁ ପଡ଼ିପାରେ। କିନ୍ତୁ ଏ ଗୋଟିକ ସରକାରୀ ଋଣ ଥିଲା, ଯାହାକି ବିଶେଷ ଭାବେ ଆଦିବାସୀଙ୍କ ଲାଭ ପାଇଁ ସ୍ଥାନୀୟ ବ୍ୟାଙ୍କ ପକ୍ଷରୁ ବଣ୍ଟନ କରାଯାଉଥିଲା। ଯାହାର ଅର୍ଥ ହେଉଛି, ଏହାକୁ ଗ୍ରହଣ କରିବାରେ ସେତେଟା କ୍ଷତି ନଥିଲା। ଯେମିତି କଥାରେ କହିଲେ – ସେତେବେଳେ ଏହା ଏକ ଭଲ ଉପାୟ ଥିଲା।
“କିନ୍ତୁ ମୁଁ ଏହାକୁ ପରିଶୋଧ କରିପାରିଲି ନାହିଁ”, ନହକୁଲ କହିଥିଲେ। ‘ବିଶେଷ ଦୁର୍ବଳ ଆଦିବାସୀ ବର୍ଗ’ ଭାବେ ବର୍ଗୀକୃତ ପାଣ୍ଡୋମାନେ ଖୁବ୍ ଗରିବ ଥିଲେ। ସେମାନଙ୍କର ସାଧାରଣ ସ୍ଥିତିରେ ନହକୁଲଙ୍କ ଅବସ୍ଥା ମଧ୍ୟ କୌଣସି ବ୍ୟତିକ୍ରମ ନଥିଲା।



