‘‘ଆପଣ ଜାଣନ୍ତି କି କାହା ପାଇଁ ଆମେ ଆମର ଅଧିକାର ଏବଂ ସ୍ୱାଧୀନତା ଉପଭୋଗ କରିପାରନ୍ତି? ଏହା ହେଲା ଭାରତର ସମ୍ବିଧାନ’’ ରାମପ୍ୟାରୀ କାୱାଚି ଜଣେ ଗ୍ରାହକଙ୍କ ପାଇଁ ବଡ଼ ପାଟିରେ କହିଲେ ଯିଏ କି ତାଙ୍କର ଅସ୍ଥାୟୀ ବହି ଦୋକାନରେ ବହି ଦେଖୁଥିଲେ । ଛତିଶଗଡ଼ ଧନତରୀ ଜିଲ୍ଲାର ଘୋଟଗାଁ ଗାଁରେ ଥିବା ହାଟରେ ଥିବା ତାଙ୍କର ଦୋକାନରେ ପ୍ରଦର୍ଶିତ ବହିଗୁଡ଼ିକ ମଧ୍ୟରୁ ସମ୍ବିଧାନ ସବୁଠାରୁ ମୋଟା ଥିଲା । ସାପ୍ତାହିକ ବଜାର ଧମତରୀର ନଗରୀ ବ୍ଲକ୍ରେ ଥିବା ତାଙ୍କ ଗାଁ ଜୋରାଦାବ୍ରୀ ରୟତଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ବସେ ।
ରାମପ୍ୟାରୀ, ଯିଏ ପଢ଼ି ବା ଲେଖିପାରନ୍ତି ନାହିଁ, ସେଦିନ ଯେ କେହି ବି ତାଙ୍କ ଦୋକାନକୁ ଆସିଲେ, ସମସ୍ତଙ୍କୁ ସମ୍ବିଧାନର ମହତ୍ୱ ବୁଝାଉଥିଲେ । ତାଙ୍କ ଭଳି, ତାଙ୍କର ସମ୍ଭାବ୍ୟ ଗ୍ରାହକମାନେ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଅଟନ୍ତି ଏବଂ ଏହି ବହି ବିକ୍ରେତା ସେମାନଙ୍କୁ କେବଳ ଭାରତର ସମ୍ବିଧାନ ସହ ସେମାନଙ୍କ ପରିଚୟ କରାଇବାରେ ଆଗ୍ରହୀ ଥିଲେ ।
ରାମପ୍ୟାରୀ କହିଲେ, ଏହା ‘‘ଗୋଟିଏ ପବିତ୍ର ପୁସ୍ତକ ଯାହାକୁ ସମସ୍ତେ ଘରେ ରଖିବା ଆବଶ୍ୟକ ଏବଂ ସେଥିରୁ ନିଜର ଅଧିକାର ଓ ଦାୟିତ୍ୱ ଶିଖିବା ଆବଶ୍ୟକ । ଆପଣ ଜାଣନ୍ତି କି, ଆମେ ଆଦିବାସୀ ଏବଂ ଦଳିତମାନେ ଭାରତର ସମ୍ବିଧାନ ଏବଂ ଏହାର ବ୍ୟବସ୍ଥା, ଏବଂ ପଞ୍ଚମ ଏବଂ ଷଷ୍ଠ ସୂଚୀ [ଯାହା ଆଦିବାସୀ ସମ୍ପ୍ରଦାୟକୁ ସୁରକ୍ଷା ପ୍ରଦାନ କରେ] ଫଳରେ ସଂରକ୍ଷଣ [ଉଚ୍ଚ ଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ] ପାଆନ୍ତି’’ । ସେ ଘୋଟଗାଁର ଲୋକଙ୍କୁ ଏପରି କହିଲେ, ଯେଉଁମାନେ ମୁଖ୍ୟତଃ ତେଜରାତି ସଉଦା, ପନିପରିବା ଏବଂ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ହାଟକୁ ଆସିଥିଲେ ।
ରାମପ୍ୟାରୀ କାୱାଚି ପ୍ରାୟ ୫୦ ବର୍ଷର ହେବା ଭଳି ଦେଖାଯାଆନ୍ତି । ସେ ଗଣ୍ଡ ସମ୍ପ୍ରଦାୟର – ଯାହା ଛତିଶଗଡ଼ରେ ସବୁଠାରୁ ବଡ଼ ଆଦିବାସୀ ଗୋଷ୍ଠୀ
http://cgtrti.gov.in/AboutCg.html
, ଯେତେବେଳେ କି ରାଜ୍ୟର ମୋଟ ଜନସଂଖ୍ୟାର ଏକ ତୃତୀୟାଂଶ ଅନୁସୂଚିତ ଜନଜାତିର । ସେ ବିକ୍ରି କରୁଥିବା ଅଧିକାଂଶ ବହିର ଶୀର୍ଷକ ଏହିଭଳି ହୋଇଥାଏ ତିସ୍ରୀ ଆଜାଦି କି ସିଂହଗର୍ଜନା; ବୀର୍ସା ମୁଣ୍ଡା: ସଚ୍ଚିତ୍ର ଜୀବନୀ; ହିନ୍ଦୁ ଆଦିବାସୀ ନହିଁ ହେଁ – ଏସବୁ ହିନ୍ଦୀ ଭାଷାରେ। କିନ୍ତୁ ସେ ଗଣ୍ଡ ଭାଷା ଏବଂ ଇଂରାଜୀରେ ଲିଖିତ କେତେକ ବହି ମଧ୍ୟ ରଖିଛନ୍ତି । ଯେତେବେଳେ କେହି ଗୋଟିଏ ବହି ନିଏ, ରାମପ୍ୟାରୀ ଏହାର ସୂଚୀ ବ୍ୟାଖ୍ୟା କରନ୍ତି, ଅଧିକାଂଶ ସମୟରେ ଏକ ସଂକ୍ଷିପ୍ତ ବହି ରିଭ୍ୟୁ ଭଳି ଲାଗେ ।






