ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ପୁଣି ଘର, ପୁଣି ଘର...
ସେ ପ୍ରକୃତରେ ରୋଷେଇ ସାରି ଦେଇଥିଲେ। ସେ ତାମିଲନାଡୁର ଏକ ପରିବାରର ସଦସ୍ୟ, ଯେଉଁମାନେ ତାଳରୁ ଗୁଡ଼ ତିଆରି କରନ୍ତି। ଏକ ବିରାଟ ପାତ୍ରରେ ଭର୍ତ୍ତି ହୋଇଥିବା ତାଳ ରସକୁ ସେ ଘାଣ୍ଟୁଥିଲେ। ଗୁଡ଼ ପ୍ରସ୍ତ ସାମାନ୍ୟ ତ୍ରୁଟି ହେଲେ ପରିବାରର ପରବର୍ତ୍ତି କିଛି ଦିନର ଆୟ ଚାଲିଯିବ।
ଏହି କାମ ତାଙ୍କୁ ଆଉ କିଛି ସମୟ ଲାଗିବ। ରୋଷେଇ ସାରି ଦେଇଛନ୍ତି। ସେ ଯାହା ବି କରନ୍ତି ସବୁ ଧୂଆଁ ଆଉ ନିଆଁରେ। ଦିନ ତମାମ ସେ ପ୍ରଶ୍ୱାସରେ ଧୂଆଁ ଗ୍ରହଣ କରନ୍ତି -ଏହା ତାଙ୍କର ନିୟମିତ କାର୍ଯ୍ୟ।
ଖୁବ କମ୍ ବୟସରୁ ତାଙ୍କ ଉପରେ ଏହି ଭାର ପଡ଼ିଛି। ସେ ଏବଂ ତାଙ୍କ ଭଳି ଲକ୍ଷ ଲକ୍ଷ ଝିଅ ଖୁବ୍ କମ୍ ବୟସରୁ ସ୍କୁଲ ଛାଡ଼ିଛନ୍ତି।









