ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ , ଅଦୃଶ୍ୟ ମହିଳା , ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ସଫେଇ କାମ!
ଆନ୍ଧ୍ରପ୍ରଦେଶର ବିଜୟନଗରମ୍ର ଏହି ମହିଳା ଜଣଙ୍କ ନିଜ ଘର ଓ ଏହାର ଆଖପାଖ ଏକଦମ୍ ସଫା ରଖନ୍ତି । ଏହା ‘ଘରର କାମ’ - ‘ମହିଳାମାନଙ୍କ କାମ’ । କିନ୍ତୁ ଏହା ଘର ହେଉ କି ସାର୍ବଜନୀନ ସ୍ଥଳ ହେଉ, ସଫା କରିବାର ମଇଳା କାମ ମହିଳାମାନଙ୍କ ଦ୍ୱାରା ହିଁ ସମ୍ପନ୍ନ ହୁଏ ଏବଂ ଏଥିରୁ ସେମାନେ ରୋଜଗାର ଅପେକ୍ଷା ଅଧିକ ଗାଳି ପାଆନ୍ତି । ରାଜସ୍ଥାନର ଏହି ସଫେଇ କର୍ମଚାରୀମାନେ ସବୁଠୁ ଅଧିକ ଗାଳି ପାଆନ୍ତି । ସେ ଜଣେ ଦଳିତ ସେ ଜଣେ ହାତରେ ମଇଳା ଉଠାଉଥିବା ମେହେନ୍ତର (ମାନୁଆଲ୍ ସ୍କାଭେଞ୍ଜର) ଯିଏକି ଘରମାନଙ୍କର ପାଇଖାନାରୁ ମଇଳା ସଫା କରନ୍ତି । ସେ ରାଜସ୍ଥାନର ସିକରରେ ପ୍ରତିଦିନ ୨୫ଟି ଘରର ଏହି କାମ କରନ୍ତି ।
ଏହି କାମ ବାବଦରେ ସେ ପ୍ରତି ଘରୁ ଦୈନିକ ରୋଟି ଖଣ୍ଡେ ପାଆନ୍ତି । ମାସରେ ଥରେ ଯଦି ସେମାନେ ଦୟାପରବଶ ହୁଅନ୍ତି ତା’ ହେଲେ ତାଙ୍କୁ କିଛି ଟଙ୍କା ଦିଅନ୍ତି । ଏହା ଘର ପିଛା ୧୦ ଟଙ୍କା ହୋଇପାରେ । ସରକାରୀ ଭାଷାରେ ସେ ଜଣେ ‘ଭାଙ୍ଗି । କିନ୍ତୁ ସେ ନିଜକୁ ‘ମେହେନ୍ତର’ କୁହନ୍ତି । ଏଭଳି ଗୋଷ୍ଠିର ଅଧିକରୁ ଅଧିକ ଲୋକ ନିଜକୁ ‘ବାଲ୍ମିକୀ’ ବୋଲି କୁହନ୍ତି ।
ଗୋଟିଏ ପାତ୍ରରେ ମାନବ ମଳ ସେ ମୁଣ୍ଡରେ ବୋହୁଛନ୍ତି । ଭଦ୍ର ସମାଜ ଏହାକୁ ‘ରାତ୍ରୀର ମାଟି’ କୁହେ । ସେ ଭାରତର ସବୁଠାରୁ ଅସହାୟ ଓ ଦଳିତ ନାଗରିକମାନଙ୍କ ମଧ୍ୟରୁ ଜଣେ । ରାଜସ୍ଥାନର ସିକରରେ ତାଙ୍କ ପରି ଶହ ଶହ ଜଣ ଅଛନ୍ତି ।
ଭାରତରେ ସମୁଦାୟ କେତେ ଜଣ ମାନୁଆଲ୍ ସ୍କାଭେଞ୍ଜର ଅଛନ୍ତି ? ଆମେ ବି ଠିକ୍ ଭାବରେ ଜାଣିନୁ । ୧୯୭୧ ମସିହା ଜନଗଣନା ପର୍ଯ୍ୟନ୍ତ ଏହାକୁ ଏକ ଭିନ୍ନ ବୃତ୍ତି ଭାବରେ ସୂଚିବଦ୍ଧ କରାଯାଇ ନଥିଲା । କେତେକ ରାଜ୍ୟ ସରକାର ଏହି ‘ରାତ୍ରୀର ମାଟି’ ଶ୍ରମିକମାନଙ୍କ ଅସ୍ତିତ୍ୱକୁ ହିଁ ସହଜ ଭାବରେ ଅସ୍ୱୀକାର କରିଦିଅନ୍ତି । ତଥାପି ତ୍ରୁଟିପୂର୍ଣ୍ଣ ତଥ୍ୟରୁ ଯାହା ଜଣାପଡ଼ିଛି ତା’ ହେଉଛି ପାଖାପାଖି ଏକ ନିୟୁତ ଦଳିତ ମାନୁଆଲ୍ ସ୍କାଭେଞ୍ଜର୍ ଭାବରେ କାମ କରୁଛନ୍ତି । ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ । ଏହି ରାତ୍ରୀର ମାଟି ସଫା କରିବା କାମ ମୁଖ୍ୟତଃ ମହିଳାମାନେ ହିଁ କରିଥା’ନ୍ତି ।
ସେମାନଙ୍କ କାର୍ଯ୍ୟ ଜାତି ବ୍ୟବସ୍ଥାରେ ସବୁଠାରୁ କଦର୍ଯ୍ୟ ଧାର୍ମିକ ଦଣ୍ଡ ଭାବରେ ବିବେଚନା କରାଯାଏ । ଅସ୍ତିତ୍ୱର ପ୍ରତିଟି କ୍ଷେତ୍ରରେ ବିଶାଳ ଏବଂ ବ୍ୟବସ୍ଥିତ ଅସ୍ପୃଶ୍ୟତା ସେମାନଙ୍କ ପିଛା କରୁଥାଏ । ସେମାନଙ୍କ ବସତିଗୁଡ଼ିକ ଏକଦମ୍ ଅଲଗା ଭାବରେ ଥାଏ । ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଗ୍ରାମୀଣ ସହର ଓ ନଗର ମଝାମଝି ଥାଏ । ଯେଉଁ ଗାଁଗୁଡ଼ିକ ବିନା ଯୋଜନାରେ ସହର ପାଲଟି ଯାଇଛି ସେଠାରେ କିନ୍ତୁ କେତେଗୁଡ଼ିଏ ମହାନଗରରେ ମଧ୍ୟ ଅଛି ।
୧୯୯୩ ମସିହାରେ କେନ୍ଦ୍ର ସରକାର ହାତରେ ମଇଳା ସଫା କରୁଥିବା ମେହେନ୍ତରମାନଙ୍କ ନିଯୁକ୍ତି ଏବଂ ଉଠା ପାଇଖାନା ନିର୍ମାଣ(କଟକଣା) ଆଇନ ପାସ୍ କଲେ । ଏହା ହାତରେ ମଇଳା ଉଠାଇବା ବା ମାନୁଆଲ୍ ସ୍କାଭେଞ୍ଜିଙ୍ଗକୁ ନିଷେଧ କଲା । ଅନେକ ରାଜ୍ୟ ସେମାନଙ୍କ ରାଜ୍ୟରେ ଏଭଳି ଚଳଣୀର ଅସ୍ତିତ୍ୱକୁ ସହଜ ଭାବରେ ଫାଙ୍କି ଦେଇ କିମ୍ବା ନିରବ ରହି ନିଜର ପ୍ରତିକ୍ରିୟା ଜଣାଇଲେ । ସେମାନଙ୍କ ଥଇଥାନ ପାଇଁ ପାଣ୍ଠି ଅଛି ଏବଂ ଏହା ରାଜ୍ୟ ସରକାରମାନଙ୍କୁ ମିଳିଥାଏ । କିନ୍ତୁ ଯାହାର ଅସ୍ତିତ୍ୱକୁ ଅସ୍ୱୀକାର କରିଦିଆଯାଇଛି ସେମାନଙ୍କ ପାଇଁ କିଏ ଲଢ଼େଇ କରିବ? ଆଉ କେତେକ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ କରିବା ନେଇ ପ୍ରକୃତରେ କ୍ୟାବିନେଟ୍ ସ୍ତରରେ ବିରୋଧ ହୋଇଥିଲା ।
ଅନେକ ମ୍ୟୁନିସିପାଲଟିରେ ମହିଳା ‘ସଫେଇ କର୍ମଚାରୀମାନଙ୍କୁ’ ଏତେ କମ୍ ପାଉଣା ଦିଆଯାଏ ଯେ ସେମାନେ ଜୀବିକା ନିର୍ବାହ ପାଇଁ ପରିମଳ କାମ ବାହାରେ ଏହି ‘ରାତ୍ରୀ ମଇଳା’ ଉଠାଇବା କାର୍ଯ୍ୟ କରନ୍ତି । ଅନେକ ସମୟରେ ନଗରପାଳିକାମାନେ ସେମାନଙ୍କୁ କେଇ ମାସ ପର୍ଯ୍ୟନ୍ତ ଦରମା ମଧ୍ୟ ଦେଇନଥାନ୍ତି । ୧୯୯୬ ମସିହାରେ ହରିଆଣାରେ ସଫେଇ କର୍ମଚାରୀମାନେ ଏଭଳି ବ୍ୟବହାର ବିରୋଧରେ ବଡ଼ ଧରଣର ପ୍ରତିବାଦ ଆରମ୍ଭ କଲେ । ଏହାର ପ୍ରତିକ୍ରିୟାରେ ରାଜ୍ୟ ସରକାର ଜରୁରୀ ସେବା ତତ୍ତ୍ୱାବଧାନ ଆଇନ ଭଗ୍ନ କରିବା ଅଭିଯୋଗରେ ପ୍ରାୟ ୭୦୦ ମହିଳାଙ୍କୁ ପ୍ରାୟ ୭୦ ଦିନ ଜେଲ୍ରେ ରଖିଥିଲେ । ଧର୍ମଘଟକାରୀର ଏକମାତ୍ର ଦାବି ଥିଲା -ଆମ ଦରମା ଠିକ୍ ସମୟରେ ମିଳୁ ।
ଏହି କାମ ପାଇଁ ଖୁବ୍ ସାମାଜିକ ଅନୁମୋଦନ ମଧ୍ୟ ଅଛି । ଏହାକୁ ଶେଷ କରିବା ପାଇଁ ସାମାଜିକ ସଂସ୍କାର ଜରୁରୀ । ୧୯୫୦ ଓ ୧୯୬୦ ଦଶକରେ କେରଳ ବିନା ଆଇନରେ ମଧ୍ୟ ‘ରାତ୍ରୀ ମଇଳା’ ଧାରାରୁ ମୁକ୍ତ ହୋଇଥିଲା । ଏହି ପ୍ରଥା ବିଲୋପ ପଛରେ ମୁଖ୍ୟ କାରଣ ଥିଲା ସାଧାରଣ ଜନତାଙ୍କ ପଦକ୍ଷେପ । ଏହା ଆଜି ବି ରହିଛି ।
ଅନୁବାଦ: ଓଡ଼ିଶାଲାଇଭ୍