ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ସଫେଇ କାମ!
ଆନ୍ଧ୍ରପ୍ରଦେଶର ବିଜୟନଗରମ୍ର ଏହି ମହିଳା ଜଣଙ୍କ ନିଜ ଘର ଓ ଏହାର ଆଖପାଖ ଏକଦମ୍ ସଫା ରଖନ୍ତି । ଏହା ‘ଘରର କାମ’ - ‘ମହିଳାମାନଙ୍କ କାମ’ । କିନ୍ତୁ ଏହା ଘର ହେଉ କି ସାର୍ବଜନୀନ ସ୍ଥଳ ହେଉ, ସଫା କରିବାର ମଇଳା କାମ ମହିଳାମାନଙ୍କ ଦ୍ୱାରା ହିଁ ସମ୍ପନ୍ନ ହୁଏ ଏବଂ ଏଥିରୁ ସେମାନେ ରୋଜଗାର ଅପେକ୍ଷା ଅଧିକ ଗାଳି ପାଆନ୍ତି । ରାଜସ୍ଥାନର ଏହି ସଫେଇ କର୍ମଚାରୀମାନେ ସବୁଠୁ ଅଧିକ ଗାଳି ପାଆନ୍ତି । ସେ ଜଣେ ଦଳିତ ସେ ଜଣେ ହାତରେ ମଇଳା ଉଠାଉଥିବା ମେହେନ୍ତର (ମାନୁଆଲ୍ ସ୍କାଭେଞ୍ଜର) ଯିଏକି ଘରମାନଙ୍କର ପାଇଖାନାରୁ ମଇଳା ସଫା କରନ୍ତି । ସେ ରାଜସ୍ଥାନର ସିକରରେ ପ୍ରତିଦିନ ୨୫ଟି ଘରର ଏହି କାମ କରନ୍ତି ।
ଏହି କାମ ବାବଦରେ ସେ ପ୍ରତି ଘରୁ ଦୈନିକ ରୋଟି ଖଣ୍ଡେ ପାଆନ୍ତି । ମାସରେ ଥରେ ଯଦି ସେମାନେ ଦୟାପରବଶ ହୁଅନ୍ତି ତା’ ହେଲେ ତାଙ୍କୁ କିଛି ଟଙ୍କା ଦିଅନ୍ତି । ଏହା ଘର ପିଛା ୧୦ ଟଙ୍କା ହୋଇପାରେ । ସରକାରୀ ଭାଷାରେ ସେ ଜଣେ ‘ଭାଙ୍ଗି । କିନ୍ତୁ ସେ ନିଜକୁ ‘ମେହେନ୍ତର’ କୁହନ୍ତି । ଏଭଳି ଗୋଷ୍ଠିର ଅଧିକରୁ ଅଧିକ ଲୋକ ନିଜକୁ ‘ବାଲ୍ମିକୀ’ ବୋଲି କୁହନ୍ତି ।
ଗୋଟିଏ ପାତ୍ରରେ ମାନବ ମଳ ସେ ମୁଣ୍ଡରେ ବୋହୁଛନ୍ତି । ଭଦ୍ର ସମାଜ ଏହାକୁ ‘ରାତ୍ରୀର ମାଟି’ କୁହେ । ସେ ଭାରତର ସବୁଠାରୁ ଅସହାୟ ଓ ଦଳିତ ନାଗରିକମାନଙ୍କ ମଧ୍ୟରୁ ଜଣେ । ରାଜସ୍ଥାନର ସିକରରେ ତାଙ୍କ ପରି ଶହ ଶହ ଜଣ ଅଛନ୍ତି ।
ଭାରତରେ ସମୁଦାୟ କେତେ ଜଣ ମାନୁଆଲ୍ ସ୍କାଭେଞ୍ଜର ଅଛନ୍ତି ? ଆମେ ବି ଠିକ୍ ଭାବରେ ଜାଣିନୁ । ୧୯୭୧ ମସିହା ଜନଗଣନା ପର୍ଯ୍ୟନ୍ତ ଏହାକୁ ଏକ ଭିନ୍ନ ବୃତ୍ତି ଭାବରେ ସୂଚିବଦ୍ଧ କରାଯାଇ ନଥିଲା । କେତେକ ରାଜ୍ୟ ସରକାର ଏହି ‘ରାତ୍ରୀର ମାଟି’ ଶ୍ରମିକମାନଙ୍କ ଅସ୍ତିତ୍ୱକୁ ହିଁ ସହଜ ଭାବରେ ଅସ୍ୱୀକାର କରିଦିଅନ୍ତି । ତଥାପି ତ୍ରୁଟିପୂର୍ଣ୍ଣ ତଥ୍ୟରୁ ଯାହା ଜଣାପଡ଼ିଛି ତା’ ହେଉଛି ପାଖାପାଖି ଏକ ନିୟୁତ ଦଳିତ ମାନୁଆଲ୍ ସ୍କାଭେଞ୍ଜର୍ ଭାବରେ କାମ କରୁଛନ୍ତି । ପ୍ରକୃତ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ । ଏହି ରାତ୍ରୀର ମାଟି ସଫା କରିବା କାମ ମୁଖ୍ୟତଃ ମହିଳାମାନେ ହିଁ କରିଥା’ନ୍ତି ।




