ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା
ମୁଣ୍ଡରେ ବଡ଼ ବୋଝ ନେଇ ସେ ପାହାଡ଼ ଉପରୁ ଓହ୍ଲାଇ ଆସୁଥିଲେ, ସେହି ବୋଝରେ ତାଙ୍କର ମୁହଁ ଲୁଚି ଯାଉଥିଲା । ଦେଖାଯାଉଥିବା କାମ, ଅଦୃଶ୍ୟ ମହିଳା । ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏହି ଭୂମିହୀନ ମହିଳାଙ୍କ ପାଇଁ ଏହା ଆଉ ଗୋଟିଏ ଦିନର ପରିଶ୍ରମ । ପାଣି, ଜାଳେଣି ଓ ପଶୁଙ୍କ ଖାଦ୍ୟ ସଂଗ୍ରହ କରିବା, ଏହା ହିଁ ସେହି ତିନିଟି କାମ ଯାହା ଜଣେ ମହିଳାଙ୍କର ଜୀବନର ଏକ ତୃତୀୟାଂଶ ସମୟ ନେଇଯାଏ । ଦେଶର ବିଭିନ୍ନ ଭାଗରେ ପାଣି ଓ ଜାଳେଣି ସଂଗ୍ରହ କରିବାକୁ ମହିଳାମାନେ ଦିନକୁ ସାତ ଘଣ୍ଟା ସମୟ ଦିଅନ୍ତି । ପଶୁଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ବି ସମୟ ନିଏ । ଗ୍ରାମୀଣ ଭାରତର ଲକ୍ଷ ଲକ୍ଷ ମହିଳା ଏହି ତିନିଟି ଜିନିଷ ସଂଗ୍ରହ କରିବାକୁ ପ୍ରତିଦିନ ବହୁ କିଲୋମିଟର ଚାଲନ୍ତି ।
ମୁଣ୍ଡ ଉପରେ ଥିବା ବୋଝ ଖୁବ୍ ଭାରୀ । ମାଲକାନଗିରିରେ ଆଦିବାସୀ(ମୂଳ ବାସିନ୍ଦା) ମହିଳା, ମୁଣ୍ଡରେ ପ୍ରାୟ 30 କିଲୋଗ୍ରାମର ଜାଳେଣି କାଠ ଲଦି ଗୋଟିଏ ଗଡ଼ାଣିଆ ରାସ୍ତାରେ ଚାଲି ଚାଲି ଯାଉଛନ୍ତି । ଏବଂ ତାଙ୍କୁ ଆହୁରି 3 କିଲୋମିଟର ଯିବାକୁ ଅଛି । ବହୁ ମହିଳା ଘରକୁ ପାଣି ଆଣିବା ପାଇଁ ସମାନ ବା ଅଧିକ ରାସ୍ତା ଚାଲନ୍ତି ।






