‘‘ଦୁଇରେ ଦୁଇ ମିଶିଲେ - କେତେ? ପ୍ରତୀକ, ମିଶାଣ କେମିତି କରୁଥିଲ ତୁମର ମନେ ଅଛି ଟି?’’
ପ୍ରତୀକ ରାଉତର ଶିକ୍ଷକ, ମୋହନ ତାଲେକର, ସିଲଟରେ ଲେଖା ହୋଇଥିବା ସଂଖ୍ୟାକୁ ଦେଖାଇ ଏହି ୧୪ ବର୍ଷ ବୟସ୍କ ବାଳକକୁ ଉତ୍ତର ପଚାରୁଛନ୍ତି। ପ୍ରତୀକ କିନ୍ତୁ ସିଲଟକୁ ଚାହିଁ ରହୁଛି, ଉତ୍ତର ଦେବା ଭଳି କୌଣସି ସଙ୍କେତ ତା’ ମୁହଁରେ ଦେଖାଯାଉନାହିଁ।
ଏହା ୧୫ ଜୁନ ୨୦୨୨ର କଥା ଏବଂ ଆମେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା କରମଲା ତାଲୁକାରେ ଥିବା ପ୍ରତୀକର ସ୍କୁଲ ଜ୍ଞାନ ପ୍ରବୋଧନ ମାଟିମନ୍ଦ ନିବାସୀ ବିଦ୍ୟାଳୟରେ ଅଛୁ। ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ସେ ସ୍କୁଲକୁ ଫେରିଛି। ଦୁଇ ବର୍ଷର ବ୍ୟବଧାନ ତା’ ଭଳି ଛାତ୍ର ପାଇଁ ଏକ ଲମ୍ବା ଅବଧି।
‘‘ପ୍ରତୀକ ସଂଖ୍ୟା ମନେ ପକାଇ ପାରୁନାହିଁ। ମହାମାରୀ ପୂର୍ବରୁ, ସେ ମିଶାଣ କରିପାରୁଥିଲା ଏବଂ ସମ୍ପୂର୍ଣ୍ଣ ମରାଠୀ ଓ ଇଂରାଜୀ ବର୍ଣ୍ଣମାଳା ଲେଖିପାରୁଥିଲା,’’ ତା’ର ଶିକ୍ଷକ କୁହନ୍ତି। ‘‘ଏବେ ପୁଣିଥରେ ସବୁକିଛି ମୂଳରୁ ଆରମ୍ଭ କରିବାକୁ ପଡ଼ିବ।’’
ଅକ୍ଟୋବର ୨୦୨୦ରେ, ଏହି ରିପୋର୍ଟର ଜଣଙ୍କ ଯେତେବେଳେ ଅହମ୍ମଦନଗର ଜିଲ୍ଲା ରାଶିନ ଗ୍ରାମରେ ଥିବା ପ୍ରତୀକର ଘରକୁ ଯାଇଥିଲେ, ସେତେବେଳେ ଏହି ୧୩ ବର୍ଷ ବୟସ୍କ ପିଲା ଜଣଙ୍କ ବର୍ଣ୍ଣମାଳାର କିଛି ଅକ୍ଷର ଲେଖିବାକୁ ସକ୍ଷମ ହେଉଥିଲା। ତେବେ, ଡିସେମ୍ବର ୨୦୨୦ ବେଳକୁ, ସେ ଲେଖା ବନ୍ଦ କରିଦେଲା।
୨୦୧୮ରେ ପ୍ରତୀକ ସ୍କୁଲରେ ନାମ ଲେଖାଇଥିଲା। ପରବର୍ତ୍ତୀ ଦୁଇ ବର୍ଷ ଧରି, ସେ ନିୟମିତ ପାଠପଢ଼ା ଅଭ୍ୟାସ ଜାରି ରଖିଥିଲା। ସେ ସଂଖ୍ୟା ଓ ଅକ୍ଷର ପଢ଼ିବା ଓ ଲେଖିବା ଶିଖି ଯାଇଥିଲା। ମାର୍ଚ୍ଚ ୨୦୨୦ରେ ଯେତେବେଳେ ସେ ଅଧିକ ପାଠ ପଢ଼ିବା ଓ ଲେଖିବା ଆରମ୍ଭ କରିଥାନ୍ତା କୋଭିଡ-୧୯ ଆସିଥିଲା। ବୌଦ୍ଧିକ ଅକ୍ଷମତା ଥିବା ୨୫ ଜଣ ଛାତ୍ରଙ୍କ ମଧ୍ୟରୁ ଥିଲା ପ୍ରତୀକ ଅନ୍ୟତମ - ସବୁ ପୁଅଙ୍କ ବୟସ ୬ରୁ ୧୮ ବର୍ଷ ମଧ୍ୟରେ ହେବ। ଦୁଇ ବର୍ଷ ଧରି ସେମାନଙ୍କର ଆବାସିକ ବିଦ୍ୟାଳୟ ବନ୍ଦ ରହିବା କାରଣରୁ ପିଲାମାନଙ୍କୁ ନିଜ ଘରକୁ ପଠାଇ ଦିଆଯାଇଥିଲା।












