ଯେତେବେଳେ କୋଭିଡ୍ -୧୯ ର ଦ୍ୱିତୀୟ ଲହର ଚଳିତ ବର୍ଷ ଓସମାନାବାଦ ଜିଲ୍ଲାରେ କାୟା ବିସ୍ତାର କଲା, ସେତେବେଳେ ଏହା କେବଳ କବାଟ ବାଡ଼େଇଲା ନାହିଁ - ଏହା ସେମାନଙ୍କ ଘର ମଧ୍ୟରେ ଜବରଦସ୍ତ ପ୍ରବେଶ କରିଥିଲା। ତୁଲଜାପୁର ତହସିଲସ୍ଥିତ ତୁଲଜା ଭବାନୀ ମନ୍ଦିର ଏହି ସଙ୍କଟକୁ ତ୍ୱରାନ୍ୱିତ କରିବାରେ ଏକ ବଡ ଭୂମିକା ଗ୍ରହଣ କରିଥିଲା।
କୋଭିଡ -୧୯ ରୁ ମୃତ୍ୟୁମୁଖରୁ ବଞ୍ଚିଥିବା ଜୟସିଂହ ପାଟିଲ ସୁରକ୍ଷା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିରରୁ ଦୂରେଇ ରହିବାକୁ ଶପଥ ନେଇଛନ୍ତି। ସେ କୁହନ୍ତି,"ମୁଁ ଜଣେ ଭକ୍ତ"। :ମୁଁ ଲୋକଙ୍କ ବିଶ୍ୱାସକୁ ସମ୍ମାନ କରେ। କିନ୍ତୁ ଏକ ମହାମାରୀ ମଧ୍ୟରେ ମନ୍ଦିର ଖୋଲିବା ବୁଦ୍ଧିମତା ନୁହେଁ।"
୪୫ ବର୍ଷୀୟ ପାଟିଲ ତୁଲଜା ଭବାନୀ ମନ୍ଦିର ଟ୍ରଷ୍ଟରେ କିରାଣୀ ଭାବରେ କାର୍ଯ୍ୟ କରନ୍ତି। ସେ କୁହନ୍ତି, "ଚଳିତ ବର୍ଷ ଫେବୃଆରୀରେ ମୋତେ ଶହ ଶହ ଲୋକଙ୍କ ଧାଡ଼ି ପରିଚାଳନା କରିବାକୁ କୁହାଯାଇଥିଲା। ଏହି ମନ୍ଦିର ମହାରାଷ୍ଟ୍ରର ଅନ୍ୟତମ ଲୋକପ୍ରିୟ ତୀର୍ଥସ୍ଥାନ ଅଟେ, ଯେଉଁଠିକୁ ପ୍ରତିଦିନ ଭାରତର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ପରିଦର୍ଶନ କରିବାକୁ ଆସନ୍ତି। "ଭକ୍ତମାନେ ଉଗ୍ର ସ୍ୱଭାବର ଅଟନ୍ତି। ଯଦି ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଏ ତେବେ ସେମାନେ ଆପଣଙ୍କୁ ଆକ୍ରମଣ କରନ୍ତି। ଭିଡ଼ ପରିଚାଳନା କରିବାବେଳେ ମୁଁ ନିଶ୍ଚିତ ଭାବରେ କୋଭିଡ -୧୯ ଦ୍ୱାରା ସଂକ୍ରମିତ ହୋଇଥିବି।"
ସେ ଏକ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଅମ୍ଳଜାନ ସହାୟତାରେ ଦୁଇ ସପ୍ତାହରୁ ଅଧିକ ସମୟ ଅତିବାହିତ କରିଥିଲେ। ତାଙ୍କ ରକ୍ତରେ ଅମ୍ଳଜାନର ମାତ୍ରା ୭୫-୮୦ ପ୍ରତିଶତ ଥିଲା- ଡାକ୍ତର କୁହନ୍ତି ଅମ୍ଳଜାନର ମାତ୍ରା ୯୨ ପ୍ରତିଶତରୁ କମ୍ ରହିବା ହେଉଛି ଉଦ୍ବେଗଜନକ। ଜୟସିଂହ କୁହନ୍ତି,"ମୁଁ କୌଣସି ମତେ ବଞ୍ଚିଗଲି"। "ଏକମାସ ପରେ ମଧ୍ୟ ମୁଁ କ୍ଳାନ୍ତ ଅନୁଭବ କରୁଛି।"










