ଏହି ମହାମାରୀ କାରଣରୁ ଆମେ ବିଭିନ୍ନ ଜୋନ୍ ଓ ସମୂହରେ ବିଭାଜିତ ହୋଇଯାଇଛେ । ପରସ୍ପର ମଧ୍ୟରେ ଯେଉଁ ଶାରିରୀକ ଦୂରତା ରକ୍ଷା କରିବା ପାଇଁ ଆମମାନଙ୍କୁ ଉପଦେଶ ଦିଆଯାଉଛି ତାହା ଯୋଗୁଁ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆମେ କାହା ସହିତ ମିଳାମିଶା କରିବାକୁ ମଧ୍ୟ ଭୟ କରୁଛେ । ସମସ୍ତ ଗଣମାଧ୍ୟମରେ ଆମେ ଅପେକ୍ଷା କରି କ୍ଳାନ୍ତ ହୋଇପଡିଥିବା ଓ ଭୋକ ଉପାସରେ ଡହଳବିକଳ ହେଉଥିବା ହଜାର ହଜାର ପ୍ରବାସୀ ଶ୍ରମିକମାନେ ଗ୍ରାମୀଣ ଭାରତରେ ଥିବା ସେମାନଙ୍କ ଘରେ ପହଞ୍ଚିବା ପାଇଁ ଅତି ବିପଜ୍ଜନକ ପରିସ୍ଥିତିରେ ହଜାର ହଜାର କିଲୋମିଟର ବାଟ ଚାଲି ଚାଲି ଅତିକ୍ରମ କରୁଥିବା ଦେଖିବାକୁ ପାଉଛେ। ସେମାନଙ୍କ ପାଖରେ କାଣି କଉଡିଟିଏ ନାହିଁ କି ଖାଇବାକୁ ମଧ୍ୟ ଖାଦ୍ୟ କଣିକାଟିଏ ନାହିଁ। ସେମାନଙ୍କୁ ଲାଠି ଚାର୍ଜ ଓ ବ୍ୟାରିକେଡ୍ର ସମ୍ମୁଖୀନ ହେବାକୁ ପଡୁଛି । ସେମାନଙ୍କ ଅବସ୍ଥା ଦେଖିଲେ, ଏ ଦୁନିଆ ମାନବିକତା ଶୂନ୍ୟ ହୋଇପଡିଥିବା ଭଳି ହୃଦ୍ବୋଧ ହେଉଛି ।
ଆଉ ତା’ପରେ ଆପଣ ଦେଖିବାକୁ ପାଉଛନ୍ତି ଯେ ଜଣେ ଲୋକ ମେ ମାସର ପ୍ରଚଣ୍ଡ ରୌଦ୍ର ତାପକୁ ଖାତିର ନକରି ରାଜପଥ ମଝିରେ ତାଙ୍କର ଦୁଇ ବାହୁରେ ତାଙ୍କ ମାଉସୀଙ୍କୁ ଧରି ମହାରାଷ୍ଟ୍ରର ଅକୋଲା ଜିଲ୍ଲାରେ ଥିବା ତାଙ୍କ ଘରକୁ ଫେରୁଛନ୍ତି । ସେ ଜଣେ ମଣିଷ ନା ଜଣେ ଦେବଦୂତ? ସ୍ୱାଭାବିକ ପିରସ୍ଥିତିରେ ମଧ୍ୟ ଲୋକମାନେ ବୟସ୍କମାନଙ୍କୁ ମେଳାରେ, ବୃଦ୍ଧାଶ୍ରମରେ ବା ବୃନ୍ଦାବନରେ ଛାଡି ଚାଲିଯାଉଛନ୍ତି । ଅନ୍ୟପକ୍ଷରେ ନିଜର କ୍ୟାରିଅର୍ ଓ ଜୀବନ ଗଢିବା ପାଇଁ ଧନୀ ପରିବାରର ପିଲାମାନେ ଦୂର ସ୍ଥାନକୁ ଚାଲି ଯାଉଥିବା ବେଳେ ବୟସ୍କମାନେ ଘରେ ଏକଲା ରହିବା ଏକ ସାଧାରଣ ଘଟଣା ପାଲଟିଗଲାଣି । ହେଲେ, ଏହି ଲୋକ ସେହି ସାଧାରଣ ଲୋକମାନଙ୍କ ଠାରୁ ଟିକେ ଅଲଗା ନିଶ୍ଚୟ । ସେ ଜଣେ ଦେବଦୂତ ଯିଏ ଆମକୁ କହୁଛି ଯେ ମାନବିକତା ଏବେ ମଧ୍ୟ ବଞ୍ଚିଛି, ହୋଇପାରେ ତାହା ଦାରିଦ୍ର୍ୟ ଓ ଅବମାନନା ମଧ୍ୟରେ ।
ଟୀକା: ସେହି ବ୍ୟକ୍ତି ଜଣକ ହେଉଛନ୍ତି ବିଶ୍ୱନାଥ ସିନ୍ଧେ, ଜଣେ ପ୍ରବାସୀ ଶ୍ରମିକ ଯିଏ ନିଜ ମାଉସୀ ବଚେଲା ବାଇଙ୍କୁ ମୁମ୍ବାଇ-ନାଶିକ ରାଜପଥରେ ବୋହି ବୋହି ନେଉଛନ୍ତି । ସେ ନାଭି ମୁମ୍ବାଇରୁ ବିଦର୍ଭର ଅକୋଲାକୁ ଯାତ୍ରା କରୁଥିଲେ । କଳାକାର ଲବାନି ଜାଙ୍ଗି ପ୍ରାଇମ୍ ଟାଇମ୍ ୱିଥ୍ ରବିଶ କୁମାର (ଏନ୍ଡିଟିଭି ଇଣ୍ଡିଆ)ରେ ମେ ୪, ୨୦୨୦ରେ ସୋହିତ ମିଶ୍ରଙ୍କର ଏକ ରିପୋର୍ଟରେ ଏହି ଦୃଶ୍ୟ ଦେଖିଥିଲେ । ଲବାନି ଏହି ପାଠ ସ୍ମିତା ଖତୋରଙ୍କୁ କହିଥିଲେ ଯିଏ ଏହାର ଅନୁବାଦ କରିଥିଲେ ।
ଅନୁବାଦ: ଓଡ଼ିଶାଲାଇଭ୍