ନାଗି ରେଡ୍ଡୀ ତାମିଲନାଡ଼ୁରେ ରୁହନ୍ତି। ସେ କନ୍ନଡ଼ କହିପାରନ୍ତି ଓ ତେଲୁଗୁ ଭାଷା ପଢ଼ିପାରନ୍ତି। ଡିସେମ୍ବର ମାସର ପ୍ରାରମ୍ଭରେ ଦିନେ ସକାଳୁ, ଆମେ ଚାଲି ଚାଲି ତାଙ୍କୁ ଭେଟିବା ପାଇଁ ଯାଇଥିଲୁ। ତାଙ୍କ ଘର ବିଷୟରେ, ସେ ଆମକୁ ହାଲୁକା ଭାବେ କହିଥିଲେ, ‘‘ଏଇ ସେଇଠି’’। ବାସ୍ତବରେ ତାହା ଜଳପୂର୍ଣ୍ଣ ଝରଣାକୁ ଲାଗି କରି ରହିଥିଲା। ବଡ଼ ତେନ୍ତୁଳି ଗଛ ପାଖରେ ଥିଲା। ୟୁକାଲିପଟାସ ଗଛର ପାହାଡ଼ ଉପରେ ଏବଂ ଆମ୍ବ ବଗିଚା ତଳେ ସେଇ ଘର ଥିଲା। ଘର ପାଖରେ ଏକ କୁକୁର ଜଗିଥିଲା, କୁକୁର ଛୁଆମାନେ ଚିଲ୍ଲାଉଥିଲେ ଏବଂ ଗାଈ ଗୁହାଳଟିଏ ଥିଲା।
ନାଗି ରେଡ୍ଡୀଙ୍କର ଦେଶର ଅନ୍ୟ ଚାଷୀମାନଙ୍କ ଭଳି ବିଭିନ୍ନ ସମସ୍ୟା ଓ ଚିନ୍ତା ରହିଛି, ତା’ଛଡ଼ା ସେ ଯେଉଁ ଫସଲ ଅମଳ କରୁଛନ୍ତି, ସେଥିରେ ହେଉଥିବା ପରିବର୍ତ୍ତନ ମଧ୍ୟ ତାଙ୍କୁ ବିବ୍ରତ କରିଥାଏ । ତିନୋଟି କଠୋର ଏବଂ ଭୟାଳୁ ଚରିତ୍ର : ମୋଟ୍ଟେ ଭାଲ୍, ମକାନା ଏବଂ ଗିରିଙ୍କଠାରୁ ବିପଦର ସମ୍ମୁଖିନ ହେବାକୁ ପଡ଼ୁଛି ।
ଏମାନଙ୍କୁ ହାଲୁକାରେ – ସାଙ୍କେତିକ ଭାବେ କିମ୍ବା ଶାବ୍ଦିକ ରୂପରେ ଗ୍ରହଣ କରିବା ଉଚିତ୍ ନୁହେଁ ବୋଲି ସ୍ଥାନୀୟ ଚାଷୀମାନେ ଜାଣିସାରିଛନ୍ତି । ବିଶେଷ କରି ସେତେବେଳେ ନୁହେଁ, ଯେତେବେଳେ ଏମାନଙ୍କ ଓଜନ ୪,୦୦୦ରୁ ୫,୦୦୦ କିଲୋ ମଧ୍ୟରେ ହୋଇଥିବ । ସ୍ଥାନୀୟ ଲୋକମାନେ ଏହି ଲୁଟେରା ହାତୀମାନଙ୍କ ସଠିକ ଓଜନ ଏବଂ ଉଚ୍ଚତା ମାପିବା ଲାଗି କେବେ ଆଗ୍ରହ ପ୍ରକାଶ କରିନାହାନ୍ତି, ଏଥିରେ ସେମାନଙ୍କର କୌଣସି ଦୋଷ ନାହିଁ ।
ଆମେ କ୍ରିଷ୍ଣାଗିରି ଜିଲ୍ଲାରେ ଅଛୁ ଯାହାକି ଦୁଇଟି ରାଜ୍ୟ ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ସୀମାରେ ଅବସ୍ଥିତ । ଡେଙ୍କାନିକୋଟ୍ଟେଇ ତାଲୁକାରେ ଥିବା ଭଦ୍ରା ପଲୟମ ଗାଁରେ ରୁହନ୍ତି ନାଗୀ ରେଡ୍ଡୀ ଯାହାକି ଜଙ୍ଗଲ, ହାତୀମାନଙ୍କଠାରୁ ଦୂରରେ ନାହିଁ । ଆମେ ବସିଥିବା ତାଙ୍କର ସେହି ସିମେଣ୍ଟ ବାରଣ୍ଡାଠାରୁ ମାତ୍ର କିଛି ଦୂରରେ ତାଙ୍କ ଚାଷ ଜମି ରହିଛି । ୮୬ ବର୍ଷୀୟ ନାଗୀ ରେଡ୍ଡୀଙ୍କୁ ଗାଁ ଲୋକମାନେ ନାଗନ୍ନା ବୋଲି ଡାକିଥାନ୍ତି । ସେ ଜଣେ ଚାଷୀ ଯିଏକି ଅତ୍ୟନ୍ତ ପୁଷ୍ଟିକର ଶସ୍ୟ ମାଣ୍ଡିଆ (ଫିଙ୍ଗର ମିଲେଟ୍) ଚାଷ କରିଥାନ୍ତି । ବହୁ ଦଶନ୍ଧି ଧରି କୃଷି କ୍ଷେତ୍ରରେ ଦେଖାଦେଇଥିବା - ଭଲ, ମନ୍ଦ ଏବଂ ଅଧିକାଂଶ ସମୟରେ ଭୟାନକ - ପରିବର୍ତ୍ତନର ସେ ସାକ୍ଷୀ ରହିଛନ୍ତି ।
‘‘ମୋ ପିଲାଦିନେ, ବର୍ଷା ଋତୁରେ କିଛି ଦିନ ମାଣ୍ଡିଆ ଗନ୍ଧରେ ଆକୃଷ୍ଟ ହୋଇ ଆନାଇ (ହାତୀ)ମାନେ ଆସୁଥିଲେ ।’’ ଏବେ? ‘‘ସେମାନେ ଅଧିକାଂଶ ସମୟରେ ଆସୁଛନ୍ତି, ସେମାନେ ଫସଲ ଓ ଫଳ ନିଶାରେ ପଡ଼ିଗଲେଣି।’’
ଏହାର ଦୁଇଟି କାରଣ ଅଛି, ନାଗନ୍ନା ତାମିଲରେ କହିଥିଲେ । ‘‘୧୯୯୦ ମସିହା ପରେ, ଏ ଜଙ୍ଗଲରେ ହାତୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଅନ୍ୟପଟେ ଜଙ୍ଗଲର ଆକାର ଏବଂ ଗୁଣବତ୍ତା ହ୍ରାସ ପାଇଛି । ସେଥିପାଇଁ ସେମାନେ ନିଜ ଭୋଜନ ପାଇଁ ଏଠାକୁ ଚାଲି ଆସୁଛନ୍ତି । ଏଇ ଯେମିତି କୌଣସି ଭଲ ହୋଟେଲକୁ ଗଲେ ଆପଣ ନିଜ ବନ୍ଧୁମାନଙ୍କୁ କହିଥାନ୍ତି, ସେମାନେ ମଧ୍ୟ ଏମିତି କରିଥାନ୍ତି,’’ ଅଙ୍ଗଭଙ୍ଗୀ ଓ ସ୍ମିତହାସ୍ୟ ସହିତ ସେ ଆମ ଆଗରେ ବର୍ଣ୍ଣନା କରିଥିଲେ । ଏପରି ବିଡ଼ମ୍ବନାପୂର୍ଣ୍ଣ ତୁଳନା ତାଙ୍କୁ ଆମୋଦିତ କରିଥିବା ବେଳେ ମୋତେ ଆଶ୍ଚର୍ଯ୍ୟରେ ପକାଇଥିଲା।
































