ଏପ୍ରିଲ୍ ୧ ତାରିଖ, ୨୦୨୨ ମସିହା ଶୁକ୍ରବାର ସକାଳ, ରମାଙ୍କ ପାଇଁ ଅନ୍ୟ ସାଧାରଣ ଦିନ ପରି ଥିଲା। ସେ ଭୋର ୪:୩୦ରୁ ଉଠି ପଡ଼ିଲେ, ପାଖ ଗାଁରେ ଥିବା କୂଅ ନିକଟକୁ ବାହାରିଗଲେ, ସେଠାରୁ ପାଣି ଆଣିଲେ, ଲୁଗାପଟା ଧୋଇଲେ, ଘର ଓଳାପୋଛା କଲେ ଏବଂ ତା’ ପରେ ମାଆଙ୍କ ସହିତ କାଞ୍ଜି ଖାଇଲେ। ଘରକାମ ସାରି ତାଙ୍କ ଗାଁଠାରୁ ୨୫ କିଲୋମିଟର ଦୂରରେ ଡିଣ୍ଡିଗୁଲ ଜିଲ୍ଲାର ବେଦାସାନ୍ଦୁର ତହସିଲରେ ନାଟଚ୍ଚି ଆପାରେଲ୍ରେ କାମ କରିବାକୁ ବାହାରିଗଲେ। କିନ୍ତୁ ସେ ଦିନ ଅପରାହ୍ଣ ବେଳକୁ ଏହି ୨୭ ବର୍ଷୀୟା ମହିଳା ଏବଂ ତାଙ୍କ ସାଥୀମାନେ ସେମାନଙ୍କ ପୋଷାକ କାରଖାନାରେ ବର୍ଷ ବର୍ଷର ଯୌନ ନିର୍ଯାତନା ଶେଷ କରିବା ପାଇଁ ସଂଗ୍ରାମ କରିବା ପରେ - ଏକ ଇତିହାସ ସୃଷ୍ଟି କଲେ।
‘‘ସତ କହିବାକୁ ଗଲେ, ମୁଁ ଅନୁଭବ କରୁଛି ଯେ ଆମେ ଅସମ୍ଭବକୁ ସମ୍ଭବ କରିଛୁ,’’ ରମା ଡିଣ୍ଡିଗୁଲ ରାଜିନାମା ବିଷୟରେ କହନ୍ତି - ଯାହାକି ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ଗ୍ଲୋବାଲ୍ କ୍ଲଥିଙ୍ଗ୍ (ନାଟଚି ଆପାରେଲ୍ର ତିରୁପୁରରେ ରହିଥିବା ମୂଳ କମ୍ପାନି) ଏବଂ ତାମିଲ୍ନାଡ଼ୁ ଟେକ୍ସଟାଇଲ୍ ଏବଂ କମନ୍ ଲେବର୍ ୟୁନିୟନ୍ (ଟିଟିସିୟୁ) ମଧ୍ୟରେ ତାମିଲ୍ନାଡ଼ୁର ଡିଣ୍ଡିଗୁଲ ଜିଲ୍ଲାରେ ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ଦ୍ୱାରା ପରିଚାଳିତ କାରଖାନାଗୁଡ଼ିକରେ ଲିଙ୍ଗଭିତ୍ତିକ ହିଂସା ଓ ନିର୍ଯାତନା ଶେଷ କରିବା ପାଇଁ ସ୍ୱାକ୍ଷରିତ ହୋଇଥିଲେ।
ଏହି ମହତ୍ୱପୂର୍ଣ୍ଣ ରାଜିନାମାର ଅଂଶ ଭାବରେ, ଏକ ‘ବଳବତ୍ତରଯୋଗ୍ୟ ବ୍ରାଣ୍ଡ ରାଜିନାମା’ କିମ୍ବା ଇବିଏ, ବହୁଦେଶୀୟ ଫେସନ୍ ବ୍ରାଣ୍ଡ, ଏଚଆଣ୍ଡ ଏମ୍ ଦ୍ୱାରା ଟିଟିସିଓ - ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ରାଜିନାମାକୁ ସମର୍ଥନ କରିବା ପାଇଁ ଏବଂ ବଳବତ୍ତର କରିବା ପାଇଁ ସ୍ୱାକ୍ଷରିତ ହୋଇଛି। ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ର ନାଟଚି ଆପାରେଲ୍ ସ୍ୱିଡେନରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ଏକ ପୋଷାକ କମ୍ପାନି ପାଇଁ କାର୍ଯ୍ୟ କରୁଛି। ଏଚ୍ ଆଣ୍ଡ ଏମ୍ ଦ୍ୱାରା ସ୍ୱାକ୍ଷରିତ ଏହି ରାଜିନାମା ହେଉଛି ଫେସନ୍ ଶିଳ୍ପରେ ଲିଙ୍ଗଭିତ୍ତିକ ହିଂସାର ମୁକାବିଲା କରିବା ପାଇଁ ସାରା ବିଶ୍ୱରେ ଏହି ଶିଳ୍ପର ଦ୍ୱିତୀୟ ଚୁକ୍ତିନାମା।
ରମା ହେଉଛନ୍ତି ଟିଟିସିୟୁର ଜଣେ ସଭ୍ୟା, ଯାହାକି ଦଳିତ ମହିଳାମାନଙ୍କ ନେତୃତ୍ୱରେ ବୟନଶିଳ୍ପରେ କାର୍ଯ୍ୟରତ ମହିଳାଙ୍କର ଏକ ଟ୍ରେଡ୍ ୟୁନିୟନ୍ ବା ଶ୍ରମିକ ସଂଘ, ଯେଉଁମାନେ କି ୪ ବର୍ଷ ହେଲା ନାଟଚି ଆପାରେଲର କର୍ମଚାରୀ ହୋଇ ରହିଛନ୍ତି। ସେ କହିଥିଲେ, ‘‘ମୁଁ କେବେ ବି ଭାବିନଥିଲି ଯେ ମ୍ୟାନେଜମେଣ୍ଟ ଏବଂ ଏହି ବ୍ରାଣ୍ଡ୍ [ଏଚ୍ ଆଣ୍ଡ ଏମ୍ (H&M)] ଦଳିତ ମହିଳାଙ୍କ ଶ୍ରମିକ ସଂଘ ସହିତ ଏହି ରାଜିନାମା ସ୍ୱାକ୍ଷର କରିବ।’’ ‘‘ସେମାନେ ମଧ୍ୟ ବର୍ତ୍ତମାନ ବାସ୍ତବରେ କିଛି ଭୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଏବେ ସଠିକ ପଦକ୍ଷେପ ଗ୍ରହଣ କରୁଛନ୍ତି।’’ ଏଚ୍ ଆଣ୍ଡ ଏମ୍ର ଏହି ସଂଘ ସହିତ ରାଜିନାମା ହେଉଛି ଭାରତରେ ସ୍ୱାକ୍ଷରିତ ପ୍ରଥମ ଇବିଏ। ଏହା ହେଉଛି ଆଇନତଃ ପାଳନୀୟ ଚୁକ୍ତିନାମା ଯାହା ଅଧୀନରେ ଯଦି ଇଷ୍ଟମ୍ୟାନ ଏକ୍ସପୋର୍ଟସ୍, ଏହି ଯୋଗାଣକାରୀ ଟିଟିସିୟୁ ସହିତ ପ୍ରତିବଦ୍ଧତା ଉଲ୍ଲଂଘନ କରେ ତେବେ ତାହା ଉପରେ ଏଚ୍ ଆଣ୍ଡ ଏମ୍ ଜରିମାନା ଲାଗୁ କରିବାକୁ ବାଧ୍ୟ ହେବ।
ନାଟଚି ଆପାରେଲ୍ରେ ଜଣେ ୨୦ ବର୍ଷ ବୟସର ଜୟଶ୍ରୀ କାଥିରାଭେଲ୍ ଦଳିତ ଯୁବତୀ, ପୋଷାକ କାରଖାନାର ଶ୍ରମିକଙ୍କର ବଳାତ୍କାର ଓ ହତ୍ୟାର ଏକ ବର୍ଷ ପରେ ଇଷ୍ଟମ୍ୟାନ୍ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିଲା। ଜୟଶ୍ରୀ ମାସ ମାସ ଧରି ତାଙ୍କ କାରଖାନାରେ ସୁପରଭାଇଜରଙ୍କର ଯୌନ ନିର୍ଯାତନାର ଶିକାର ହୋଇଥିଲେ, ସୁପରଭାଇଜର ଜଣକ ଉଚ୍ଚଜାତିର ଥିଲେ, ପରେ ଜୟଶ୍ରୀଙ୍କୁ ଜାନୁୟାରୀ ୨୦୨୧ରେ ହତ୍ୟା କରାଯାଇଥିଲା। ସୁପରଭାଇଜର ଜଣକ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଜୟଶ୍ରୀଙ୍କର ହତ୍ୟା ପୋଷାକ କାରଖାନା ମଧ୍ୟରେ ଏବଂ ମୂଳ କାରଖାନାରେ ଅସନ୍ତୋଷ ସୃଷ୍ଟି କରିଥିଲା। ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍, ଭାରତର ଅନ୍ୟତମ ପୋଷାକ ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ଏଚ୍ ଆଣ୍ଡ ଏମ୍, ଗ୍ୟାପ୍ ଏବଂ ପିଭିଏଚ୍ ପରି ବହୁଦେଶୀୟ ପୋଷାକ କମ୍ପାନିଗୁଡ଼ିକୁ ପୋଷାକ ଯୋଗାଉଛନ୍ତି। ଜଷ୍ଟିସ୍ ଫର୍ ଜୟଶ୍ରୀ (ଜୟଶ୍ରୀଙ୍କ ପାଇଁ ନ୍ୟାୟ) ଅଭିଯାନର ଅଂଶ ଭାବରେ, ସଂଘ, ଶ୍ରମିକମାନଙ୍କର ଗୋଷ୍ଠୀ ଓ ମହିଳା ଅନୁଷ୍ଠାନଗୁଡ଼ିକର ଏକ ବିଶ୍ୱସ୍ତରୀୟ ସହବନ୍ଧନ ଏହି ଫେସନ ବ୍ରାଣ୍ଡଗୁଡ଼ିକୁ ‘‘ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ଉପରେ କାର୍ଯ୍ୟାନୁଷ୍ଠାନ’ ଗ୍ରହଣ କରିବାକୁ ଏବଂ ଶ୍ରୀମତୀ କାଥାରିଭେଲଙ୍କର ପରିବାର ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନକୁ ଉପରସ୍ତରରେ ବିଚାର ପାଇଁ ଦାବି କରିଥିଲେ।’’
ଜୟଶ୍ରୀଙ୍କର ଯାହା ଘଟିଲା ତାହା କେବଳ ଗୋଟିଏ ଘଟଣା ନଥିଲା। ଜୟଶ୍ରୀଙ୍କର ମୃତ୍ୟୁ ପରେ ନାଟଚି ଆପାରେଲରେ ବହୁ ମହିଳା ଆଗେଇ ଆସିଥିଲେ ଓ ନିଜର ଅନୁଭୂତି ବଖାଣିଥିଲେ। ସେମାନେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବାକୁ କୁଣ୍ଠାବୋଧ କରିଥିଲେ ସେମାନଙ୍କ ମଧ୍ୟରୁ କେତେକ ପରୀ ସହିତ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ହୋଇଥିଲେ।
ପୋଷାକ ଶିଳ୍ପରେ କାର୍ଯ୍ୟରତ ମହିଳା କୋଶଳା ବୟସ ୩୧ ବର୍ଷ କହନ୍ତି ଯେ ‘‘[ପୁରୁଷ] ସୁପରଭାଇଜରମାନେ ନିୟମିତ ଭାବରେ ଆମ ସହିତ ଖରାପ ଭାଷାରେ କଥାବାର୍ତ୍ତା କରନ୍ତି। ଯଦି ଆମେ କାର୍ଯ୍ୟକ୍ଷେତ୍ରରେ ପହଞ୍ଚିବାରେ ବିଳମ୍ବ ହୁଏ କିମ୍ବା ଆମେ ପ୍ରଡକ୍ସନ ଟାର୍ଗେଟ ପୂରଣ କରିବାକୁ ସକ୍ଷମ ହୋଇନଥାଉ ତେବେ ସେମାନେ ଆମକୁ ଗାଳିଗୁଲଜ କରନ୍ତି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଅପମାନ ଦିଅନ୍ତି।’’ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ, କୋଶଳା ଜଣେ ଦଳିତ ଯୁବତୀ, ପ୍ରାୟ ୧୦ ବର୍ଷ ତଳେ ପୋଷାକ ଶିଳ୍ପରେ କାମ କରିବା ଆରମ୍ଭ କରିଥିଲେ। ‘‘ଟାର୍ଗେଟ ହାସଲ କରିନପାରିଲେ ଦଳିତ ମହିଳାମାନେ ସୁପରଭାଇଜରଙ୍କ ଦ୍ୱାରା ଅଧିକ ନିର୍ଯାତିତ ହେଉଥିଲେ। ସେମାନେ ତାଙ୍କୁ ‘‘ମଇଁଷି’’, ‘ବେଶ୍ୟା’, ‘ମାଙ୍କେଡ଼ି’, ସେମାନଙ୍କ ପାଟିକୁ ଯାହା ଆସୁଥିଲା ସେହି ନାମରେ ଗାଳି ଦେଉଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ‘‘ଅନ୍ୟ କେତେକ ସୁପରଭାଇଜର ମଧ୍ୟ ଆମକୁ ଛୁଇଁବା ପାଇଁ ଚେଷ୍ଟା କରୁଥିଲେ କିମ୍ବା ଆମ ପୋଷାକ ଉପରେ ମନ୍ତବ୍ୟ ଦେଉଥିଲେ ଏବଂ ମହିଳାମାନଙ୍କ ଶରୀର ଉପରେ ଅଶ୍ଳୀଳ କଥା ଶୁଣାଉଥିଲେ।’’
ଲତା, ଜଣେ ସ୍ନାତକ, ଅଧିକ ପାଠ ପଢ଼ିବା ପାଇଁ ରୋଜଗାର ଆଶାରେ କାରଖାନାରେ ଯୋଗ ଦେଇଥିଲେ। (ସେ ଏବଂ ଅନ୍ୟ ଗାର୍ମେଣ୍ଟ ମେକରମାନଙ୍କୁ ଆଠ ଘଣ୍ଟାର ସିଫ୍ଟ ପାଇଁ ଦୈନିକ ୩୧୦ ଟଙ୍କା ପୈଠ କରାଯାଉଥିଲା)। କିନ୍ତୁ ସେ କାରଖାନାର ଏହି ଭୟଙ୍କର କାଣ୍ଡ ଦେଖି ଭୟଭୀତ ହୋଇ ଛାଡ଼ି ଚାଲି ଯାଇଥିଲେ। ସେ ପୁରୁଣା କଥା ମନେପକାଇ ଲୁହ ଛଳଛଳ ହୋଇ କୁହନ୍ତି ‘‘ପୁରୁଷ ମ୍ୟାନେଜର, ସୁପରଭାଇଜର ଏବଂ ମେକାନିକ୍ - ଆମକୁ ଅଜାଗାରେ ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି ଏବଂ ଆମେ କାହା ପାଖରେ ଅଭିଯୋଗ କରିବୁ’’।
‘‘ଯେତେବେଳେ ଜଣେ ମେକାନିକ ଟେଲରିଂ ମେସିନ୍ ମରାମତି କରିବାକୁ ଆସନ୍ତି ସେ ତୁମକୁ ଛୁଇଁବାକୁ ଚେଷ୍ଟା କରିବ କିମ୍ବା ତାଙ୍କ ସହ ଯୌନ ସମ୍ପର୍କ ରଖିବାକୁ କହିବ। ଯଦି ତୁମେ ମନା କରିବ ତେବେ ସେ ଠିକ୍ ସମୟରେ ମେସିନ୍ ମରାମତି କରିବ ନାହିଁ ଏବଂ ତୁମେ ପ୍ରଡକ୍ସନ ଟାର୍ଗେଟ ପୂରଣ କରିବାକୁ ସକ୍ଷମ ହେବ ନାହିଁ ଏବଂ ତା’ ପରେ ସୁପରଭାଇର ବା ମ୍ୟାନେଜର ଗାଳିଗୁଲଜ କରିବେ। ବେଳେ ବେଳେ ଜଣେ ସୁପରଭାଇଜର ଜଣେ ମହିଳା ଶ୍ରମିକଙ୍କ ସମ୍ମୁଖରେ ଠିଆ ହେବା ଓ ତାଙ୍କ ଦେହରେ ନିଜ ଦେହକୁ ଘଷିବାର ମଧ୍ୟ ଦେଖିଛି,’’ ଲତା କହନ୍ତି, ଯେ କି କାମ କରିବା ପାଇଁ ତାଙ୍କ ଗାଁରୁ ୩୦ କିଲୋମିଟର ଦୂର ଯିବାଆସିବା କରନ୍ତି।
ମହିଳାମାନେ କାହାକୁ ବା ଦୁଃଖ କହିବେ, ଲତା କହନ୍ତି ‘‘ସେ କାହାକୁ ଅଭିଯୋଗ କରିବେ? ଉଚ୍ଚ ଜାତିର ପୁରୁଷ ମ୍ୟାନେଜରଙ୍କ ବିରୋଧରେ ଜଣେ ଦଳିତ ମହିଳାଙ୍କର ଅଭିଯୋଗକୁ କିଏ ବା ବିଶ୍ୱାସ କରିବ, ତାଙ୍କ କଥା କିଏ ଶୁଣିବ?’’
ତିବ୍ୟା ରାକିନି, ୪୨ ବର୍ଷ ବୟସ, ସମାନ ପ୍ରଶ୍ନ ଉଠାନ୍ତି ‘‘ସେ କାହାକୁ ଅଭିଯୋଗ କରିପାରିବେ?’’ ଟିଟିସିୟୁର ରାଜ୍ୟ ସଭାପତି ଭାବରେ ସେ ନାଟଚି ଆପାରେଲସକୁ ଲିଙ୍ଗଭିତ୍ତିକ ନିର୍ଯାତନା ମୁକ୍ତ କରିବା ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି। ଏପରିକି ଜୟଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଟିଟିସିୟୁ ୨୦୧୩ ମସିହାରେ ଏକ ସ୍ୱତନ୍ତ୍ର ଦଳିତ ମହିଳାଙ୍କ ନେତୃତ୍ୱ ରହିଥିବା ଟ୍ରେଡ୍ ୟୁନିୟନ୍ ଥିଲା ଯାହାକି ଶ୍ରମିକମାନଙ୍କୁ ତାମିଲ୍ନାଡ଼ୁରେ ଲିଙ୍ଗଭିତ୍ତିକ ହିଂସା ସମାପ୍ତ କରିବା ପାଇଁ ସଙ୍ଗଠିତ କରିଥିଲା। ଏହି ଟ୍ରେଡ୍ ୟୁନିୟନ ପ୍ରାୟ ୧୧,୦୦୦ ଶ୍ରମିକଙ୍କର ନେତୃତ୍ୱ ନେଉଛି - ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ବୟନ ଓ ପୋଷାକ ଶିଳ୍ପର - ଏଥିରେ କୋଇମ୍ବାଟୁର, ଡିଣ୍ଡିଗୁଲ, ଇରୋଡ୍ ଏବଂ ତିରୁପୁରର ପୋଷାକ ପୁଞ୍ଜଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୨ଟି ଜିଲ୍ଲାର ଶ୍ରମିକ ରହିଛନ୍ତି। ସେମାନେ ମଧ୍ୟ ପୋଷାକ କାରଖାନା ମଧ୍ୟରେ ପାରିଶ୍ରମିକ ଚୋରି ଓ ଜାତିଭିତ୍ତିକ ହିଂସା ବିରୋଧରେ ସଂଗ୍ରାମ କରୁଛନ୍ତି।
‘‘ଏହି ରାଜିନାମା ପୂର୍ବରୁ [ନାଟଚି] କାରଖାନାରେ କୌଣସି ବିଧିବଦ୍ଧ ଆଭ୍ୟନ୍ତରୀଣ ଅଭିଯୋଗ କମିଟି [ଆଇସିସି] ନଥିଲା,’’ ତିବ୍ୟା କହନ୍ତି। ରହିଥିବା ଆଇସିସି ମହିଳାଙ୍କ ଆଚରଣ ଉପରେ ମନ୍ତବ୍ୟ ଦେଉଥିଲା, ୨୬ ବର୍ଷ ବୟସର ଦଳିତ ଯୁବତୀ ମିନି କହନ୍ତି, ଯେ କି ୨୮ କିଲୋମିଟର ଦୂରରେ ରହିଥିବା ଗ୍ରାମରୁ ଏଠାକୁ କାମ କରିବାକୁ ଆସନ୍ତି। ‘‘ଆମର ଅଭିଯୋଗ ଶୁଣିବା ପରିବର୍ତ୍ତେ ଆମକୁ ଆମେ କିପରି ପୋଷାକ ପିନ୍ଧିବୁ ଓ କିପରି ବସିବୁ ଶିଖାଯାଉଥିଲା,’’ ସେ କହନ୍ତି। ‘‘ଆମକୁ ପରିସ୍ରା କରିବା ପାଇଁ ମଧ୍ୟ ବିରାମ ନେବାକୁ ଦିଆଯାଉନଥିଲା, ବାଧ୍ୟ କରି ଓଭରଟାଇମ୍ କରାଯାଉଥିଲା ଓ ଆମକୁ ଯେଉଁ ଛୁଟି ମିଳିବା କଥା ତାହା ମଧ୍ୟ ଦିଆଯାଉନଥିଲା।’’
ଜୟଶ୍ରୀଙ୍କ ମୃତ୍ୟୁ ପରେ ଏହାର ଆନ୍ଦୋଳନରେ ଟିଟିସିୟୁ କେବଳ ଯୌନ ନିର୍ଯାତନା ବା ହିଂସା ଦୂର କରିବା ପାଇଁ ନୁହେଁ ବରଂ ତାହା ସହିତ ପରିସ୍ରା କରିଯିବା ପାଇଁ ବିରାମ ନ ଦେବା ଓ ବାଧ୍ୟ କରି ଓଭର ଟାଇମ୍ କରାଇବା ତଥା ଅନ୍ୟ ଅନେକ ସମସ୍ୟା ମଧ୍ୟ ଉପସ୍ଥାପନ କରିଥିଲେ।
‘‘ଏହି କମ୍ପାନି ସଂଘ ବା ୟୁନିୟନର ବିରୋଧୀ ଥିଲା ତେଣୁ ଅଧିକାଂଶ ଶ୍ରମିକ ତାଙ୍କର ସଂଘର ସଦସ୍ୟତାକୁ ଗୁପ୍ତ ରଖିଥିଲେ’’ ତିବ୍ୟା କହନ୍ତି। କିନ୍ତୁ ଜୟଶ୍ରୀଙ୍କ ମୃତ୍ୟୁ ସହ୍ୟ କରିବାର ସବୁ ସୀମା ଲଙ୍ଘିଯାଇଥିଲା। କାରଖାନାରେ ଦମନମୂଳକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ସତ୍ତ୍ୱେ ରମା, ଲତା ଏବଂ ମିନିଙ୍କ ପରି ଶ୍ରମିକମାନେ ସଂଗ୍ରାମ କରିବାକୁ ଆଗେଇ ଆସିଲେ। ପ୍ରାୟ ୨୦୦ରୁ ଅଧିକ ମହିଳା ଏକ ବର୍ଷରୁ ଅଧିକ ଦିନ ଧରି ବିକ୍ଷୋଭରେ ଅଂଶଗ୍ରହଣ କଲେ। ଅଧିକାଂଶ ମହିଳା ଜୟଶ୍ରୀଙ୍କ ପାଇଁ ନ୍ୟାୟ ଅଭିଯାନରେ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେହି ଅନୁଷ୍ଠାନ ପାଇଁ ତାଙ୍କର ମତାମତ ଦେଇଥିଲେ।
ଶେଷରେ, ଟିଟିସିୟୁ ଏବଂ ଏହି ଅଭିଯାନରେ ଆନ୍ତର୍ଜାତୀୟ ଫେସନ ଯୋଗାଣ ଶୃଙ୍ଖଳରେ ହିଂସା ଓ ନିର୍ଯାତନାର ମୁକାବିଲା କରିବା ପାଇଁ ସାମିଲ ହୋଇଥିବା ଅନ୍ୟ ଦୁଇଟି ଅନୁଷ୍ଠାନ -ଏସିଆ ଫ୍ଲୋର୍ ୱେଜ ଆଲିଆନ୍ସ (ଏଏଫଡବ୍ଲ୍ୟୁଏ) ଏବଂ ଗ୍ଲୋବାଲ୍ ଲେବର ଜଷ୍ଟିସ୍ - ଇଣ୍ଟରନ୍ୟାସନାଲ୍ ଲେବର୍ ରାଇଟସ୍ ଫୋରମ୍ (ଜିଏଲଜେ -ଆଇଏଲଆରଏଫ୍) - ଏହି ବର୍ଷ ଏପ୍ରିଲରେ ଏଚ୍ ଆଣ୍ଡ ଏମ୍ ସହିତ ଏକ ବଳବତ୍ତରଯୋଗ୍ୟ ବ୍ରାଣ୍ଡ ରାଜିନାମା ସ୍ୱାକ୍ଷର କରିଥିଲେ।
ଏହି ତିନୋଟି ଅନୁଷ୍ଠାନ ଦ୍ୱାରା ମିଳିତ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଡିଣ୍ଡିଗୁଲ ରାଜିନାମା ହେଉଛି ଭାରତରେ ପ୍ରଥମ ବଳବତ୍ତରଯୋଗ୍ୟ ବ୍ରାଣ୍ଡ ରାଜିନାମା। ଏହା ମଧ୍ୟ ‘‘ପୃଥିବୀର ପ୍ରଥମ ଇବିଏ ଯାହାକି ଉଭୟ ପୋଷାକ (କ୍ଲଥିଙ୍ଗ) କାରଖାନା ଓ କପଡ଼ା (ଫ୍ୟାବ୍ରିକ୍) ଉତ୍ପାଦନ କରୁଥିବା କାରଖାନ ଏବଂ ପୋଷାକ ପାଇଁ ବସ୍ତ୍ର (ଟେକ୍ସଟାଇଲ୍) ଉତ୍ପାଦନ କରୁଥିବା ପୋଷାକ କାରଖାନାକୁ ଅନ୍ତର୍ଭୁକ୍ତ କରିଛି’’।
ସମସ୍ତ ସ୍ୱାକ୍ଷରକାରୀ ମିଳିତ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ଯେ ‘‘ପୋଷାକ କାରଖାନା ସେଟିଂରେ ଲିଙ୍ଗ, ଜାତି କିମ୍ବା ପ୍ରବାସର ସ୍ଥିତି ଭିତ୍ତିରେ ଭେଦଭାବ ଦୂର କରିବ; ସ୍ୱଚ୍ଛତା ଦୂର କରିବେ; ଏବଂ ପରସ୍ପର ପ୍ରତି ସମ୍ମାନ ରହିଥିବା ଏକ ସଂସ୍କୃତି ବିକଶିତ କରିବେ’’।
ଏହି ରାଜିନାମା ବିଶ୍ୱସ୍ତରୀୟ ଶ୍ରମିକମାନଙ୍କୁ ଗ୍ରହଣ କରିଛି ଏବଂ ଆନ୍ତର୍ଜାତୀୟ ଶ୍ରମିକ ଅନୁଷ୍ଠାନ ବା ଇଣ୍ଟରନ୍ୟାସନାଲ ଲେବର୍ ଅର୍ଗାନାଇଜେସନ୍ର ଭାଓଲେନ୍ସ ଆଣ୍ଡ ହାରାସମେଣ୍ଟ କନଭେସନର ଦୃଷ୍ଟି ଆକର୍ଷଣ କରିଛି। ଏହା ଦଳିତ ମହିଳା ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦିଏ, ସେମାନଙ୍କର ସଂଘ ଗଠନର ସ୍ୱାଧୀନତା ଏବଂ ସଂଘ ଗଠନ କରିବା ଏବଂ ସେଥିରେ ଯୋଗ ଦେବା ସ୍ୱାଧୀନତାକୁ ସୁରକ୍ଷିତ ରଖେ। ଏହା ମଧ୍ୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଅଭିଯୋଗ ଗ୍ରହଣ ଓ ଅନୁସନ୍ଧାନ ଏବଂ ଉପଚାର ସୁପାରିଶକୁ ଦୃଢ଼ୀଭୂତ କରୁଛି। ସ୍ୱତନ୍ତ୍ର ମୂଲ୍ୟାୟନକାରୀମାନେ ଏଚ ଆଣ୍ଡ ଏମ୍ ତରଫରୁ ଇଷ୍ଟମ୍ୟାନ୍ ଏକ୍ସପୋର୍ଟସ୍ ପାଇଁ ଅନୁପାଳନ ସୁନିଶ୍ଚିତ କରିବା ଏବଂ ଅନୁପାଳନର ନ କରିବା କ୍ଷେତ୍ରରେ ବ୍ୟବସାୟ ଉପରେ ପ୍ରଭାବ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ହୋଇଥାନ୍ତି।
ଏହି ଡିଣ୍ଡିଗୁଲ ରାଜିନାମା ନାଟଚି ଆପାରେଲ୍ ଏବଂ ଇଷ୍ଟମ୍ୟାନ୍ ସ୍ପିନିଙ୍ଗ ମିଲ୍ସ୍ (ଡିଣ୍ଡିଗୁଲ) ରେ ପ୍ରାୟ ମୋଟ ୫୦୦୦ ଶ୍ରମିକଙ୍କ ପାଇଁ ପ୍ରଯୁଜ୍ୟ ହେଉଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଅଧିକାଂଶ ଦଳିତ। ‘‘ଏହି ରାଜିନାମା ପୋଷାକ ଶିଳ୍ପ କ୍ଷେତ୍ରରେ ମହିଳାମାନଙ୍କର କାର୍ଯ୍ୟ ଅବସ୍ଥାରେ ମହତ୍ୱପୂର୍ଣ୍ଣ ଉନ୍ନତି ଆଣିପାରିବ। ସଙ୍ଗଠିତ ଭାବରେ ଦଳିତ ମହିଳା ଶ୍ରମିକମାନେ କେତେ ବଡ଼ କାମ କରିପାରନ୍ତି ଏହା ହେଉଛି ଏକ ନିଦର୍ଶନ,’’ ତିବ୍ୟା କହନ୍ତି।
‘‘ମୋ ସହିତ ଓ ମୋ ଭଉଣୀ ଜୟଶ୍ରୀଙ୍କ ସହିତ ଯାହା ଘଟିଛି ସେ ବିଷୟରେ ମୁଁ ଆଉ ଶୋକ ପ୍ରକାଶ କରିବାକୁ ଚାହୁଁନାହିଁ’’, ୩୧ ବର୍ଷର ଯୁବତୀ ମଲ୍ଲୀ କହନ୍ତି। ‘‘ମୁଁ ଆଗକୁ ବଢ଼ିବାକୁ ଚାହେଁ ଏବଂ ଭାବୁଛି ଯେ ଆମେ କିପରି ସୁନିଶ୍ଚିତ କରିବୁ ଯେ ଏହି ରାଜିନାମା ବ୍ୟବହାର କରି ଜୟଶ୍ରୀଙ୍କ ସହ ଯାହା ଘଟିଲା ଯେପରି ତାହାର ପୁନରାବୃତ୍ତି ହେବ ନାହିଁ।’’
ପ୍ରଭାବ ଏବେ ସୁସ୍ପଷ୍ଟ। ‘‘ଏହି ରାଜିନାମା ସ୍ୱାକ୍ଷରିତ ହେବାଠାରୁ କାର୍ଯ୍ୟ ପରିବେଶରେ ବହୁତ ପରିବର୍ତ୍ତନ ହୋଇଛି। ମଧ୍ୟାହ୍ନ ଭୋଜନ ଓ ଶୌଚାଳୟ ବ୍ୟବହାର ପାଇଁ ଉପଯୁକ୍ତ ବିରାମ ମିଳୁଛି। ଆମକୁ ଛୁଟି ପାଇଁ ମନା କରାଯାଉନାହିଁ - ବିଶେଷକରି ଯେତେବେଳେ ଆମେ ଅସୁସ୍ଥ ହେଉଛୁ। ବାଧ୍ୟ କରି ଓଭରଟାଇମ୍ କରାଯାଉନାହିଁ। ସୁପରଭାଇଜରମାନେ ମହିଳା ଶ୍ରମିକଙ୍କ ସହ ଦୁର୍ବ୍ୟବହାର କରୁନାହାନ୍ତି। ସେମାନେ ମଧ୍ୟ ମହିଳା ଦିବସ ଓ ପୋଙ୍ଗଲ ସମୟରେ ମହିଳା ଶ୍ରମିକମାନଙ୍କୁ ମିଷ୍ଟାନ୍ନ ଦେଉଛନ୍ତି,’’ ଲତା କହନ୍ତି।
ରମା ଭାରି ଖୁସି। ‘‘ପରିସ୍ଥିତି ବଦଳି ଯାଇଛି ଏବେ ସୁପରଭାଇଜରମାନେ ସମ୍ମାନପୂର୍ବକ ଆମ ସହିତ ଆଚରଣ ପ୍ରଦର୍ଶନ କରୁଛନ୍ତି,’’ ସେ କହନ୍ତି। ସେ ଶ୍ରମିକମାନଙ୍କ ଆନ୍ଦୋଳନବ୍ୟାପୀ ପୂର୍ଣ୍ଣକାଳୀନ ଭାବରେ କାର୍ଯ୍ୟ କରୁଛନ୍ତି, ଘଣ୍ଟା ପିଛା ୯୦ଟିରୁ ଅଧିକ ଅନ୍ତଃ ବସ୍ତ୍ର ସିଲେଇ କରୁଛନ୍ତି। ଏହି କାମ କରି ତାଙ୍କର ଗୁରୁତର ଅଣ୍ଟାବ୍ୟଥା ହେଉଛି କିନ୍ତୁ ଉପାୟ ନାହିଁ। ସେ କହନ୍ତୁ। ‘‘ଏହି ଶିଳ୍ପରେ କାମ କରିବାର ଏହା ହେଉଛି ଏକ ଅଂଶ।’’
ଘରକୁ ଯିବା ପାଇଁ କମ୍ପାନି ବସ୍କୁ ଅପେକ୍ଷା କଲାବେଳେ ରମା କହନ୍ତି, ‘‘ଆମେ ଶ୍ରମିକମାନଙ୍କ ପାଇଁ ବହୁତ କିଛି କରିପାରିବୁ’’।
ଏହି କାହାଣୀରେ ସାକ୍ଷାତକାର ନିଆଯାଇଥିବା ପୋଷାକ ଶିଳ୍ପର ଶ୍ରମିକମାନଙ୍କର ଗୋପନୀୟତାକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ନାମ ବଦଳାଯାଇଛି।
ଅନୁବାଦ: ଓଡ଼ିଶାଲାଇଭ୍