ପ୍ରଥମ ମହଲା କୋଠରୀ ତାଲା ପଡ଼ିଛି ଏବଂ ନିରବ ରହିଛି, ଯଦିଓ ଏହା ବନ୍ଦ ହେବାର ଅନେକ ପୂର୍ବ ସମୟ ଥିଲା । ଏହାକୁ ଲାଗିଥିବା ଟିଣ ଏବଂ କାଠର କୁଡ଼ିଆରେ ମଧ୍ୟ କେହି ନାହାଁନ୍ତି, କେବଳ ଗଦାଏ ଚେୟାର୍, ଟେବୁଲ୍, ଗୋଟିଏ ଧାତବ ବେଞ୍ଚ୍, ଆଇରନ୍ ସିରପ୍ ଏବଂ ଫୋଲିକ୍ ଏସିଡ୍ ଟାବ୍ଲେଟ୍ର କାର୍ଟନ୍ ଏବଂ ଫିଙ୍ଗା ଯାଇଥିବା ଖୋଳଗୁଡ଼ିକ । ଏକ ପୁରୁଣା କଳଙ୍କି ଲଗା ନାମଫଳକ ମଧ୍ୟ ସେଠାରେ ପଡ଼ିଛି ଯେତେବେଳେ କି ତାଲା ପଡ଼ିଥିବା କୋଠରୀ ଥିବା ଅଟାଳିକାର ପ୍ରବେଶ ପଥରେ ଗୋଟିଏ ନୂଆ ରହିଛି ଯାହା ସୂଚନା ଦେଉଛି: ‘ସରକାରୀ ନୂତନ ପ୍ରକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଶାବ୍ରି ମୋହଲ୍ଲା, ଡାଲ୍ ଏସ୍ଜିଆର୍ [ଶ୍ରୀନଗର]’ ।
ଏଠାରୁ ବୋଟ୍ରେ ୧୦ ମିନିଟ୍ର ଯାତ୍ରା ଆପଣଙ୍କୁ ନାଜିର୍ ଅହମ୍ମଦ ଭଟଙ୍କ ‘କ୍ଲିନିକ୍’କୁ ନେଇଯିବ, ଯାହାକି ସାଧାରଣତଃ ଖୋଲା ଥାଏ – ଏବଂ ଗହଳି ଥାଏ। ଥଣ୍ଡା ପଡ଼ିଥିବା ଶୀତ ଦିନର ଏକ ଅପରାହ୍ଣରେ ସେ କାଠ ଖୁଣ୍ଟି ଉପରେ ଥିବା ତାଙ୍କର ଛୋଟ କାଠ ଦୋକାନରେ ସେହି ଅପରାହ୍ଣର ତାଙ୍କର ଶେଷ ଗ୍ରାହକ – ରୋଗୀଙ୍କୁ ଭେଟୁଛନ୍ତି (ସେ ଆଉ ଅଧିକଙ୍କୁ ଦେଖିବା ପାଇଁ ସନ୍ଧ୍ୟାରେ ଫେରିଆସିବେ । ଏହି ଦୋକାନରେ ଇଞ୍ଜେକ୍ସନ୍ ଦେବା ପାଇଁ ଏକ ଛୋଟ ଆଣ୍ଟେ -ଚାମ୍ବର୍ ରହିଛି । ଏହା ବାହାରେ ଥିବା ଫଳକରେ ଲେଖାଯାଇଛି ‘ଭଟ ମେଡିକେଟ୍ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ୍’ ।
ପ୍ରାୟ ୬୦ ବର୍ଷ ବୟସ୍କା ହାଫିଜା ଦର୍ ଏଠାରେ ଏକ ବେଞ୍ଚରେ ବସି ଅପେକ୍ଷା କରିଛନ୍ତି । ସେ ଗୋଟିଏ ବୋଟ୍ରେ ନାଜିର୍ ଡାକ୍ତରଙ୍କୁ ଦେଖା କରିବା ପାଇଁ ଆସିଛନ୍ତି, ବୋଟ୍ରେ ଗଲେ ତାଙ୍କ ସାହିର ଦୂରତା ୧୦ ମିନିଟ୍ । ତାଙ୍କ ଉପରେ ଆଶୀର୍ବାଦ ବର୍ଷା କରି ସେ କୁହନ୍ତି, ‘‘ମୋ ଶାଶୂଙ୍କୁ କିଛି [ମଧୁମେହ] ଇଞ୍ଜେକ୍ସନ୍ ନେବାକୁ ହେବ ନାଜିର୍ ସାହବ୍ ଦୟାକରି ସେଗୁଡ଼ିକ ଆମ ଘରେ ଦେଇ ଦିଅନ୍ତୁ କାରଣ ସେ ଏଠାକୁ ଆସିବା ପାଇଁ ଅତ୍ୟନ୍ତ ବୟସ୍କା । ଜଣେ ଗୃହିଣୀ ଏବଂ କୃଷକ ହୋଇଥିବା ଦର୍ ଏହା ମଧ୍ୟ କୁହନ୍ତି, ଆମେ ସେଠାରେ [ଏନ୍ଟିପିଏଚ୍ସିରେ] ଜଣେ ଡାକ୍ତର ପାଇଲୁ ନାହିଁ । ସେମାନେ କେବଳ ପିଲାମାନଙ୍କୁ ପୋଲିଓ ଡ୍ରପ୍ ଦିଅନ୍ତି ଏବଂ ଅପରାହ୍ଣରେ ୪ଟା ପରେ ସେଠାରେ କେହି ନଥାନ୍ତି ।’’ ତାଙ୍କ ସ୍ୱାମୀ ଜଣେ କୃଷକ ଏବଂ ଡାଲ୍ ହ୍ରଦରେ ଏକ ଶିକାରା ଚଲାନ୍ତି ।
ଏହି ହ୍ରଦରେ ଥିବା ଦ୍ୱୀପରେ ବାସ କରୁଥିବା ଲୋକମାନେ ପ୍ରାୟ ଦୁଇ ବର୍ଷ ହେବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ଏନ୍ଟିପିଏଚ୍ସି)ରେ ଜଣେ ଡାକ୍ତରଙ୍କୁ ଦେଖିଥିବା ମନେପକାଇ ପାରନ୍ତି ନାହିଁ – ଏହାର କାରଣ ହେଉଛି କାଶ୍ମୀରରେ ଅଗଷ୍ଟ ୨୦୧୯ରେ ଆରମ୍ଭ ହୋଇଥିବା କ୍ରମାଗତ କର୍ଫ୍ୟୁ ଏବଂ ଲକ୍ଡାଉନ୍ । ନିକଟରେ ରହୁଥିବା ଏବଂ ଜଣେ ଟୁରିଷ୍ଟ ଫଟୋଗ୍ରାଫର୍ ଭାବରେ କାମ କରୁଥିବା ୪୦ ବର୍ଷ ବୟସ୍କ ମହମ୍ମଦ ରଫିକ୍ ମଲ୍ଲା କୁହନ୍ତି, ‘‘କିଛି ବର୍ଷ ପୂର୍ବେ ଏଠାରେ ଜଣେ ଡାକ୍ତର ଥିଲେ ଯେ କି ଭଲ କାମ କରୁଥିଲେ, କିନ୍ତୁ ତାଙ୍କର ବଦଳି ହୋଇଯାଇଛି । ଆମେ ୨୦୧୯ ଠାରୁ ଆଉ ଜଣେ ଡାକ୍ତରଙ୍କୁ ଦେଖି ନାହୁଁ । ସେମାନେ [କର୍ମଚାରୀମାନେ] ନିୟମିତ ଭାବରେ ଆସନ୍ତି ନାହିଁ ଏବଂ ସେମାନେ ସେଠାରେ ଯଥେଷ୍ଟ ସମୟ ରୁହନ୍ତି ନାହିଁ ।’’
ଶ୍ରୀନଗରସ୍ଥ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହକାରୀ ଯୋଜନା ନିର୍ଦ୍ଦେଶକଙ୍କ ଅନୁଯାୟୀ ସମସ୍ତ ‘ନୂଆ ପ୍ରକାର ପିଏଚ୍ସି’ (କାଶ୍ମୀରରେ ‘ଉନ୍ନତ ହୋଇଥିବା’ ଉପ-କେନ୍ଦ୍ରଗୁଡ଼ିକ)ରେ ଅତି କମ୍ରେ ଚିକିତ୍ସା ଅଧିକାରୀ ଭାବରେ ଜଣେ ଏମ୍ବିବିଏସ୍ ଡାକ୍ତର, ଜଣେ ଏଫ୍ଏମ୍ପିଏଚ୍ଡବ୍ଲ୍ୟୁ (ମହିଳା ବହୁ-ଉଦ୍ଦେଶ୍ୟ ସ୍ୱାସ୍ଥ୍ୟକର୍ମୀ) ଏବଂ ଜଣେ ନର୍ସିଂ ଅର୍ଡର୍ଲି ରହିବା ଉଚିତ୍, ସମସ୍ତେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଦ୍ୱାରା ନିଯୁକ୍ତ ହେବା ଉଚିତ୍ ।










