“ଡାଲ୍ ବାହାରର ଲୋକମାନେ ସେମାନଙ୍କୁ ଭାସମାନ ବଗିଚାରେ କାମ କରିବାକୁ ପଡ଼ିବ ବୋଲି ଶୁଣିବା ମାତ୍ରକେ କାଳେ ବୁଡ଼ି ଯିବେ ବୋଲି ଭାବି ଚିନ୍ତିତ ହୋଇ ପଡୁଛନ୍ତି!”ବୋଲି ମହମ୍ମଦ ମକବୁଲ୍ ମାତ୍ତୋ, ହସି ହସି କୁହନ୍ତି।
ଶ୍ରୀନଗରର ଡାଲ୍ ହ୍ରଦର ମୋତି ମୋହଲ୍ଲା ଖୁର୍ଦ୍ଦ ଅଞ୍ଚଳର ୪୭ ବର୍ଷ ବୟସ୍କ ଚାଷୀ କୁହନ୍ତି ଯେ କାଶ୍ମୀର ଉପତ୍ୟାକାର ଆଖପାଖ ଅଞ୍ଚଳରେ ଲୋକମାନେ ଚାଷକାମ ପାଇଁ ଯେତିକି ଅର୍ଥ ପ୍ରଦାନ କରିଥାନ୍ତି ତା’ଠାରୁ ଆମକୁ ଯଥେଷ୍ଟ ଅଧିକ ଅର୍ଥ ଦେବାକୁ ପଡ଼ିଥାଏ । ଶ୍ରମ ବାବଦକୁ ତାଙ୍କର ବ୍ୟୟ ହାର ହ୍ରାସ କରିବାକୁ ବ୍ୟସ୍ତ ରହିବା ସତ୍ତ୍ୱେ ସ୍ୱାମୀ ସ୍ତ୍ରୀ ଉଭୟ କାମ କରିବାକୁ ଆସିଥାନ୍ତି । ସେ କୁହନ୍ତି ଯେ, “ମୋ ସ୍ତ୍ରୀ ତସ୍ଲିମା ଆଉ ମୁଁ ଯେତେ ବ୍ୟସ୍ତ ଥିଲେ ମଧ୍ୟ ପ୍ରତିଦିନ [କାମ କରିବାକୁ], ଆସିଥାଉ।”
ମହମ୍ମଦ ମକବୁଲ୍ ମାତ୍ତୋ ଡାଲ୍ରେ ଥିବା ତାଙ୍କର ୭.୫ ଏକରର ଭାସମାନ ବଗିଚାରେ ପହଞ୍ଚିବା ପାଇଁ ବୋଟ୍ ବ୍ୟବହାର କରନ୍ତି। ସ୍ଥାନୀୟ ଭାଷାରେ ଡାଲ୍ କେ ଗାର୍ଡେନ୍ ଭାବେ ପରିଚିତ ଏହି ବଗିଚାଗୁଡ଼ିକରେ ସେ ବର୍ଷ ସାରା ସଲ୍ଗମ୍ ଏବଂ ହାଖ୍ (କୋଲାର୍ଡ ଗ୍ରୀନ୍) ଚାଷ କରିଥାନ୍ତି। ଏପରିକି, ଶୀତ ଦିନରେ, ଯେତେବେଳେ ତାପମାତ୍ରା – ୧୧ଡିଗ୍ରୀ ସେଲୟସିୟସ୍କୁ ଖସି ଯାଏ, ସେତେବେଳେ ମଧ୍ୟ ଚାଷ କାମ ଜାରି ରଖିଥାନ୍ତି ଆଉ ତାଙ୍କ ବୋଟ୍କୁ ଗତିଶୀଳ କରିବା ପାଇଁ ତାଙ୍କୁ ବରଫ ପାଲଟିଯାଇଥିବା ହ୍ରଦର ପୃଷ୍ଠ ଭାଗକୁ ମଧ୍ୟ ଭାଙ୍ଗିବାକୁ ପଡିଥାଏ। “ବର୍ତ୍ତମାନ ଏହି ବ୍ୟବସାୟରେ ଆଉ ଭଲ ଉପାର୍ଜନ ହେଉନାହିଁ । ତଥାପି, ମୁଁ ଏହି କାମ କରିଚାଲିଛି, କାରଣ ଏହା ହେଉଛି ଗୋଟିଏ ମାତ୍ର କାମ ଯାହା ମୁଁ କରିବାକୁ ସମର୍ଥ ଅଟେ,” ବୋଲି ସେ କୁହନ୍ତି।
୧୮ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଡାଲ୍ ଏହାର ହାଉସ୍ବୋଟ୍, ସିକାରା (ବୋଟ୍) ରାଇଡ୍, ପୂରାତନ ମାପଲ୍ ଗଛରେ ପରିପୂର୍ଣ୍ଣ ଚାର୍ ଚିନାର୍ ଦ୍ୱୀପ ଆଉ ହ୍ରଦର ପାଶ୍ୱରେ ଥିବା ମୋଗଲ୍ ସମୟର ବଗିଚାଗୁଡିକ ପାଇଁ ପ୍ରସିଦ୍ଧ ଅଟେ ।
ହ୍ରଦରେ ଥିବା ଭାସମାନ ଘର ଆଉ ଭାସମାନ ବଗିଚା ହେଉଛି ପ୍ରାକୃତିକ ଆଦ୍ରଭୂମିର ଏକ ଅଂଶ ଯାହା ପ୍ରାୟ ୨୧ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି । ଭାସମାନ ବଗିଚା ହେଉଛି ଦୁଇ ପ୍ରକାରର: ରାଧ୍ ଏବଂ ଦେମ୍ବ । ରାଧ୍ ହେଉଛି କୃଷକମାନଙ୍କ ଦ୍ୱାରା ହାତରେ ବୁଣାଯାଇ ପ୍ରସ୍ତୁତ କରାଯାଇଥିବା ଏକ ଭାସମାନ ବଗିଚା ଯେଉଁଥିରେ ପେକ୍ (ଟାଇଫା ଅଙ୍ଗୁସ୍ତାତା) ଏବଂ ନର୍ଗାସା (ଫ୍ରାଗ୍ମାଇଟ୍ ଅଷ୍ଟ୍ରାଲିସ୍) ନାମକ ଦୁଇ ପ୍ରକାରର ୱିଡ୍କୁ ପରସ୍ପର ସହିତ ବୁଣାଯାଇଥାଏ।
ପଟି ଭଳି ବୁଣା ଯାଇଥିବା ଏହି ଢାଞ୍ଚାର ଆକାର ଏକ ଏକରର ଏକ ଦଶମାଂଶଠାରୁ ଆରମ୍ଭ କରି ଏହାର ଦଶଗୁଣ ପର୍ଯ୍ୟନ୍ତ ହୋଇପାରେ । ଚାଷକାମ ପାଇଁ ଏହାକୁ ବ୍ୟବହାର କରାଯିବା ପୂର୍ବରୁ ଏହାକୁ ହ୍ରଦରେ ପ୍ରାୟ ୩-୪ ବର୍ଷ ପର୍ଯ୍ୟନ୍ତ ଶୁଖିବାକୁ ଛାଡିଦିଆଯାଏ । ଥରେ ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ, ଏହି ପଟି ଉପରେ କାଦୁଅର ପରସ୍ତ ପ୍ରୟୋଗ କରାଯାଏ, ଯାହାପରେ ଯାଇ ଏହି ପଟି ପନିପରିବା ଚାଷ ପାଇଁ ଉପଯୋଗୀ ହୋଇଥାଏ । କୃଷକମାନେ ରାଧ୍କୁ ହ୍ରଦର ବିଭିନ୍ନ ସ୍ଥାନକୁ ନେଇ ଯାଇଥାନ୍ତି ।
ଦେମ୍ବ ହେଉଛି ହ୍ରଦର ବନ୍ଧରେ ଆଉ ପାର୍ଶ୍ୱରେ ଥିବା ଏକ ପ୍ରକାରର ସନ୍ତସନ୍ତିଆ ଭୂମି । ଏହା ମଧ୍ୟ ଭାସମାନ ଅଟେ, ହେଲେ ଏହାକୁ ସ୍ଥାନାନନ୍ତର କରିହୁଏ ନାହିଁ ।















