“ମୁଁ ତୁମକୁ କ’ଣ କହିପାରିବି? ମୋର ପିଠି ହାଡ଼ ଭାଙ୍ଗିଯାଇଛି ଏବଂ ଅସ୍ଥି ପଞ୍ଜରା ବାହାରକୁ ବାହାରି ଆସିଛି”, ବିବାବାଇ ଲୋୟରେ କୁହନ୍ତି। “ମୋର ପେଟ ଭିତରକୁ ପଶିଯାଇଛି, ଗତ ଦୁଇ ତିନି ବର୍ଷ ହେବ ପେଟ ଓ ପିଠି ପରସ୍ପର ସହ ଲାଗିଯାଇଛନ୍ତି। ଏବେ ଡାକ୍ତର କହୁଛନ୍ତି ମୋର ହାଡ଼ଗୁଡ଼ିକ ପୋଲା ହୋଇଯାଇଛି।”
ଆମେ ମୁଲଶୀ ବ୍ଲକର ହଡ଼ଶୀ ଗ୍ରାମରେ ଥିବା ତାଙ୍କ ଘରକୁ ଲାଗି ରୋଷେଇ ଘରେ ବସିଥିଲୁ, ତାହା ଟିଣ ଚାଦରରେ ନିର୍ମିତ ଥିଲା ଏବଂ ସେଠି ଅଳ୍ପ ଅଳ୍ପ ଆଲୁଅ ପଡ଼ୁଥିଲା। ପାଖାପାଖି ୫୫ ବର୍ଷୀୟା ବିବାବାଇ, ମାଟି ଚୁଲିରେ ଏକ କଡ଼େଇରେ ବଳି ପଡ଼ିଥିବା ଭାତକୁ ଗରମ କରୁଥିଲେ। ସେ ମୋତେ ବସିବା ଲାଗି କାଠର ଏକ ପିଢ଼ା ଦେଲେ ଏବଂ ନିଜେ କାମରେ ଲାଗିଗଲେ। ଯେତେବେଳେ ସେ ବାସନ ଧୋଇବା ଲାଗି ଉଠିଲେ ମୁଁ ଦେଖିପାରିଲି ଯେ ତାଙ୍କର ଅଣ୍ଟା ଏତେ ନଇଁ ଯାଇଛି ଯେ ତାଙ୍କର ଥୋଡ଼ି ପାଖାପାଖି ତାଙ୍କର ଆଣ୍ଠୁକୁ ଛୁଉଁଥିଲା। ଆହୁରି ସେ ଯେତେବେଳେ ବସୁଥିଲେ ତାଙ୍କର ଆଣ୍ଠୁ ତାଙ୍କ କାନ ପାଖକୁ ଲାଗିଯାଉଥିଲା।
ବିଗତ ୨୫ ବର୍ଷରେ ଅଷ୍ଟିଓପୋରୋସିସ ରୋଗ ଏବଂ ଚାରିଟି ଅସ୍ତ୍ରୋପଚାର କାରଣରୁ ବିବାବାଇଙ୍କ ଅବସ୍ଥା ଏପରି ହୋଇଯାଇଛି। ପ୍ରଥମେ ତାଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହେଲା, ଏହାପରେ ହାର୍ଣ୍ଣିଆ ଅସ୍ତ୍ରୋପଚାର, ତା’ପରେ ଗର୍ଭାଶୟ ବାହାର କରିବାର ଅସ୍ତ୍ରୋପଚାର ଏବଂ ଏହାପରେ ଅସ୍ତ୍ରୋପଚାର କରାଯାଇ ପେଟ ଚର୍ବି ଏବଂ ମାଂସପେଶୀର କିଛି ଅଂଶକୁ ବାହାରକୁ ବାହାର କରାଗଲା।
“୧୨ କିମ୍ବା ୧୩ ବର୍ଷ ବୟସରେ (ଋତୁସ୍ରାବ ଆରମ୍ଭ ହେବା ପରେ ହିଁ) ମୋର ବାହାଘର କରି ଦିଆଯାଇଥିଲା। ପ୍ରଥମ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ କରିପାରିଲି ନାହିଁ”, ବିବାବାଇ କୁହନ୍ତି, ତାଙ୍କୁ ସ୍କୁଲ ଯିବା ଲାଗି କେବେହେଲେ ସୁଯୋଗ ମିଳିନଥିଲା। ତାଙ୍କର ସ୍ୱାମୀ ମହିପତି ଲୋୟରେ ଓରଫ ଅପ୍ପା ତାଙ୍କ ଠାରୁ ୨୦ ବର୍ଷ ବଡ଼ ଏବଂ ଜିଲ୍ଲା ପରିଷଦ ସ୍କୁଲରୁ ଅବସର ନେଇଥିବା ଜଣେ ଶିକ୍ଷକ। ସେ ପୁଣେ ଜିଲ୍ଲା ମୁଲଶୀ ବ୍ଲକର ବିଭିନ୍ନ ସ୍ଥାନରେ ପୋଷ୍ଟିଂ ହୋଇଥିଲେ। ଲୋୟରେ ପରିବାର ଚାଷ ଜମିରୁ ଧାନ, ଚଣା, ବିନ୍ସ ଓ ଛୁଇଁ ଚାଷ କରିଥାନ୍ତି। ସେମାନଙ୍କ ପାଖରେ ଗୋଟିଏ ହଳ ବଳଦ, ଗୋଟିଏ ମଇଁଷି ଓ ଗୋଟିଏ ଗାଈ ଓ ବାଛୁରୀ ଅଛନ୍ତି। କ୍ଷୀରରୁ ସେମାନେ ଅତିରିକ୍ତ ଆୟ କରିଥାନ୍ତି। ମହିପତିଙ୍କୁ ପେନସନ ମଧ୍ୟ ମିଳିଥାଏ।
“ମୋର ସବୁ ପିଲାମାନେ ଘରେ ହିଁ ଜନ୍ମ ନେଇଥିଲେ”, ବିବାବାଇ ନିଜ କଥା କହିବା ଜାରି ରଖନ୍ତି। ତାଙ୍କର ପ୍ରଥମ ପିଲା, ଏକ ପୁଅ, ଜନ୍ମ ନେବା ସମୟରେ ତାଙ୍କୁ ମାତ୍ର ୧୭ବର୍ଷ ହୋଇଥିଲା। “ମୁଁ ବଳଦ ଗାଡ଼ିରେ ନିଜ ବାପଘର (ପାହାଡ଼ର ଆର ପଟେ ଥିବା ଏକ ଗ୍ରାମ)କୁ ଯାଉଥିଲି କାରଣ ସେତେବେଳେ ଆମ ଗାଁରେ କୌଣସି ପକ୍କା ରାସ୍ତା ନଥିଲା କିମ୍ବା କୌଣସି ଗାଡ଼ି ମଧ୍ୟ ଚାଲୁନଥିଲା। ରାସ୍ତାରେ ପାଣି ଫାଟିଗଲା ଏବଂ ମୋର ପ୍ରସବ ଯନ୍ତ୍ରଣା ହେବାକୁ ଲାଗିଲା କିଛି ସମୟ ପରେ ମୋର ପ୍ରଥମ ପିଲା ଜନ୍ମ ନେଲା, ଠିକ ସେହି ବଳଦଗାଡ଼ିରେ!” ବିବାବାଇ ମନେ ପକାଇ କୁହନ୍ତି। ପରେ ତାଙ୍କୁ ପ୍ରସବ ଦ୍ୱାରରେ ସିଲେଇ କରିବାକୁ ପଡ଼ିଲା- କିନ୍ତୁ ତାଙ୍କର ମନେ ନାହିଁ ସିଲେଇ କେଉଁଠି ହୋଇଥିଲା।







