"ସାତ ମାସ ହୋଇଗଲାଣି ଏବଂ ଡାକ୍ତର କୁହନ୍ତି ମୁଁ ଫଳ ଓ କ୍ଷୀର ଖାଇବା ଉଚିତ୍ ।ବର୍ତ୍ତମାନ ମୋତେ କୁହନ୍ତୁ, ମୁଁ ସେସବୁ କିପରି ପାଇବି? ଯଦି ସେମାନେ ମୋତେ ନଦୀକୁ ଯିବାକୁ ଅନୁମତି ଦିଅନ୍ତି, ମୁଁ ମଧ୍ୟ ଏକ ଡଙ୍ଗା ଚଳାଇ ମୋ ପିଲାମାନଙ୍କର ଏବଂ ନିଜର ପେଟ ପୋଷିପାରିବି’’ । ହ୍ୟାଣ୍ଡ-ପମ୍ପରେ ତାଙ୍କ ପାଳି ଆସିବାକୁ ଅପେକ୍ଷା କରୁଥିବାବେଳେ ସୁଷମା ଦେବୀ (ପରିବର୍ତ୍ତିତ ନାମ ବଦଳିଛି) ଏହା କହିଥିଲେ । ସେ ସାତ ମାସର ଗର୍ଭବତୀ ଏବଂ ଜଣେ ବିଧବା ।
ଗୋଟିଏ ଡଙ୍ଗା ଚଳାଇବେ ? ୨୭ ବର୍ଷିୟା ସୁଷମା ଦେବୀ ନିଷାଦ ସମ୍ପ୍ରଦାୟର ।ଏହି ଜାତିର ପୁରୁଷମାନେ ପ୍ରାୟତଃ ନାଉରିଆ। ମଧ୍ୟପ୍ରଦେଶର ସତ୍ନା ଜିଲ୍ଲାର ମାଝଗାଓ୍ୱନ୍ ବ୍ଲକର କେୱାଟ୍ରାଙ୍କ ପଡ଼ାରେ ଏହି ଜାତିର ୧୩୫ ଜଣ ଅଛନ୍ତି। ତାଙ୍କର ୪୦ ବର୍ଷିୟ ସ୍ୱାମୀ ବିଜୟ କୁମାର (ପରିବର୍ତ୍ତିତ ନାମ) ସେମାନଙ୍କ ମଧ୍ୟରୁ ଜଣେ ଥିଲେ , ସେ ପାଞ୍ଚ ମାସ ପୂର୍ବରୁ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ସେମାନେ ସାତ ବର୍ଷ ହେବ ବିବାହ କରିଥିଲେ। ସୁଷମା ନିଜେ କେବେ ଡଙ୍ଗା ଚଲାଇବା ପାଇଁ ତାଲିମ ପାଇନଥିଲେ, କିନ୍ତୁ ବିଜୟଙ୍କ ସହ କିଛି ଥର ଯାତ୍ରା କରିଥିବାରୁ ସେ ଏହା କରି ପାରିବେ ବୋଲି ତାଙ୍କର ଆତ୍ମ ବିଶ୍ୱାସ ଅଛି ।
ଯଦିଓ ତାଲାବନ୍ଦ ବେଳେ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଚିତ୍ରକୁଟର ଏହି ଅଞ୍ଚଳକୁ ବିଭକ୍ତ କରୁଥିବା ମନ୍ଦାକିନୀ ନଦୀର ଏହି କ୍ଷେତ୍ରରେ ଗୋଟିଏ ହେଲେ ବି ଡଙ୍ଗା ଚଳାଚଳ କରୁନାହିଁ।
ସୂର୍ଯ୍ୟାସ୍ତର ଏକ ଘଣ୍ଟା ପରେ ଆମେ ପ୍ରଥମ ରାସ୍ତାକଡ଼ ଆଲୋକ କେଓ୍ୱାଟ୍ରା ଆଡକୁ ଯାଇଥିବା ଆମେ ଦେଖିଲୁ।ପ୍ଲାଷ୍ଟିକ୍ ବାଲ୍ଟିରେ ପାଣି ଆଣିବା ପାଇଁ ସୁଷମା ତାଙ୍କ ସବୁଠାରୁ ସାନ ସନ୍ତାନ ସହ ଗାଁର ହ୍ୟାଣ୍ଡ ପମ୍ପଠାରେ ପହଞ୍ଚିଛନ୍ତି। ସେହିଠାରେ ହିଁ ଆମେ ତାଙ୍କୁ ଭେଟିଥିଲୁ ।
ନିଷାଦମାନେ ମନ୍ଦାକିନି ନଦୀରେ ଡଙ୍ଗା ଚାଳନା କରି ରୋଜଗାର କରନ୍ତି । ଚିତ୍ରକୂଟ ହେଉଛି ଏକ ପ୍ରସିଦ୍ଧ ତୀର୍ଥଯାତ୍ରା କେନ୍ଦ୍ର, ଦୀପାବଳୀ ଋତୁରେ ଏହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ। ନିଷାଦମାନେ କେଓ୍ୱାଟ୍ରାଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମନ୍ଦାକିନିରେ ଥିବା ରାମଘାଟରେ ଡଙ୍ଗା ଚଳାନ୍ତି - ତୀର୍ଥଯାତ୍ରୀମାନଙ୍କୁ ଭରତ ଘାଟ ଏବଂ ଗୋଏଙ୍କା ଘାଟ ଭଳି ପବିତ୍ର ସ୍ଥାନକୁ ନେବା ଆଣିବା କରନ୍ତି ।
ବର୍ଷର ସେହି ସମୟରେ ଯେତେବେଳେ ନିଷାଦମାନେ ଅଧିକ ଅର୍ଥ ରୋଜଗାର କରନ୍ତି ଦିନକୁ ପ୍ରାୟ ଟ. ୬୦୦ ପର୍ଯ୍ୟନ୍ତ - ଯାହା ସେହି ଋତୁରେ ବାହାରେ ସେମାନଙ୍କର ଦୈନିକ ଆୟର ୨-୩ ଗୁଣ ।
କିନ୍ତୁ ବର୍ତ୍ତମାନ ତାଲାବନ୍ଦ ସମୟରେ ଡଙ୍ଗା ଚଳାଚଳ ବନ୍ଦ ହୋଇଯାଇଛି। ବିଜୟ ଆଉ ନାହାଁନ୍ତି ଏବଂ ତାଙ୍କ ବଡ ଭାଇ ଭିନୀତ କୁମାର (ପରିବର୍ତ୍ତିତ ନାମ ) - ପରିବାରର ଏକମାତ୍ର ରୋଜଗାର କରୁଥିବା ସଦସ୍ୟ - ତାଙ୍କ ଦେଶୀ ଡଙ୍ଗା ମଧ୍ୟ ବାହାର କରିପାରିବେ ନାହିଁ । (ସୁଷମା ତାଙ୍କ ତିନି ପୁଅ, ଶାଶୁ, ଦିଅର ଏବଂ ତାଙ୍କ ପତ୍ନୀଙ୍କ ସହ ରୁହନ୍ତି) ।
“ମୋର କେବଳ ପୁଅ ଅଛନ୍ତି। ଆମେ ସବୁବେଳେ ଗୋଟିଏ ଝିଅ ଚାହୁଁଥିଲୁ, ତେଣୁ ମୁଁ ବର୍ତ୍ତମାନ ଗୋଟିଏ ଝିଅ ଆଶା କରୁଛି । ଦେଖାଯାଉ,” ସୁଷମା ସାରା ମୁହଁରେ ହସ ଖେଳାଇ କୁହନ୍ତି ।
ସେ ଗତ ୨-୩ ସପ୍ତାହ ହେବ ଅସୁସ୍ଥ ଅନୁଭବ କରୁଛନ୍ତି ଏବଂ ତାଲାବନ୍ଦ ସମୟରେ ପାଦରେ ଚାଲି ଏକ କିଲୋମିଟର ଦୂରରେ ଥିବା ନାୟଗାଓଁରେ ଡାକ୍ତରଙ୍କୁ ଦେଖା କରିଛନ୍ତି । ସେତେବେଳେ ତାଙ୍କର ହିମୋଗ୍ଲୋବିନ୍ ସ୍ତର କମ୍ ଥିବା ଚିହ୍ନଟ କରାଯାଇଥିଲା - ଯାହାକୁ ସେ “ରକ୍ତ ଅଭାବ” ବୋଲି କୁହନ୍ତି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୪ ଅନୁଯାୟୀ ମଧ୍ୟପ୍ରଦେଶର ସମସ୍ତ ମହିଳାଙ୍କ ମଧ୍ୟରୁ ୫୩ ପ୍ରତିଶତ ରକ୍ତହୀନ ଅଟନ୍ତି। ଏବଂ ପ୍ରାୟ ୫୪% ଗ୍ରାମୀଣ ମହିଳା – ଯେଉଁମାନଙ୍କ ସଂଖ୍ୟା ଏମ୍ପିର ସମୁଦାୟ ମହିଳା ସଂଖ୍ୟାର ୭୨% ରୁ ଅଧିକ ମହିଳା, ରକ୍ତହୀନ ଅଟନ୍ତି । ସହରୀ ମହିଳାମାନଙ୍କ ପାଇଁ ଏହି ସଂଖ୍ୟା ୪୯ ପ୍ରତିଶତ ।
ଚିତ୍ରକୂଟର ସରକାରୀ ଡାକ୍ତରଖାନାର ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ରାମକାନ୍ତ ଚୌରିଆ କୁହନ୍ତି, “ଗର୍ଭଧାରଣ ସମୟରେ ରକ୍ତରେ ଲୋହିତ ରକ୍ତ କଣିକାର ପରିମାଣ କମ୍ ହୋଇଯାଏ ଫଳରେ ହେମୋଗ୍ଲୋବିନ୍ ମଧ୍ୟ କମିଯାଏ। ଅନୁପଯୁକ୍ତ ଖାଦ୍ୟ ହେଉଛି ମାତୃ ମୃତ୍ୟୁର ଏକ ପ୍ରମୁଖ କାରଣ । ”
ସୁଷମା ବାଲ୍ଟି ଧରିବା ପାଇଁ ଡାହାଣ ହାତକୁ ବ୍ୟବହାର କରୁଥିବାବେଳେ ଅଢ଼େଇ ବର୍ଷର ପୁଅ ତାଙ୍କ ତାଙ୍କ ବାମ ହାତରେ ଏକ ଆଙ୍ଗୁଠି ଦୃଢ଼ ଭାବରେ ଧରିଛି ।ବାରମ୍ବାର ସେ ବାଲ୍ଟିକୁ ଭୂମି ଉପରେ ରଖନ୍ତି ଏହା ସୁନିଶ୍ଚିତ କରିବା ପାଇଁ ଯେ ତାଙ୍କ ଶାଢ଼ିର ପଣତ ମୁଣ୍ଡରୁ ଖସି ତାଙ୍କ ମୁଣ୍ଡକୁ ଖୋଲା ନ କରିଦେଉ ।
ସୁଷମା କୁହନ୍ତି, “ମୋ ସ୍ୱାମୀ ଆମକୁ ଛାଡି ଚାଲିଯିବା ପରେ ସେ [ତାଙ୍କ ଦିଅର] ଆମ ସାତଜଣଙ୍କ ପାଇଁ ଏକମାତ୍ର ରୋଜଗାର କରୁଥିବା ସଦସ୍ୟ ଅଟନ୍ତି। କିନ୍ତୁ ବର୍ତ୍ତମାନ ସେ ମଧ୍ୟ କାମ କରିପାରିବେ ନାହିଁ । ଆମ ପାଇଁ ଏହା ଦିନସାରା ଡଙ୍ଗା ଚଳାଇବା - ଏବଂ ରାତିରେ ଖାଦ୍ୟ।ତାଲାବନ୍ଦ ପୂର୍ବରୁ ସେ ଦିନକୁ ଟ. ୩୦୦-୪୦୦ ରୋଜଗାର କରୁଥିଲେ । ବେଳେବେଳେ ମାତ୍ର ଟ.୨୦୦। ମୋ ସ୍ୱାମୀ ମଧ୍ୟ ସେତିକି ରୋଜଗାର କରୁଥିଲେ । ସେତେବେଳେ ଦୁଇଜଣ ରୋଜଗାରକାରୀ ସଦସ୍ୟ ଥିଲେ । ଆଜି କେହି ନୁହଁନ୍ତି । ”
କେୱାଟ୍ରାର ପ୍ରାୟ ୬୦ ଟି ପରିବାର ପରି ସୁଷମାଙ୍କ ପରିବାରର କୌଣସି ରେସନ କାର୍ଡ ନାହିଁ । ସେ ଥଟ୍ଟା କରି କୁହନ୍ତି, “ କ’ଣ କ୍ଷୀର ଏବଂ କ’ଣ ଫଳ ! ଯେତେବେଳେ ଆପଣଙ୍କର କୌଣସି ରେସନ କାର୍ଡ ନାହିଁ , ଏଠି ଦିନକୁ ଦୁଇଥର ଭୋଜନ କରିବା ଏକ ବଡ଼ ସମସ୍ୟା ।” ସେମାନଙ୍କର କାହିଁକି ନାହିଁ ? ସେ କୁହନ୍ତି ପୁରୁଷମାନେ ସେହି ପ୍ରଶ୍ନର ଉତ୍ତର ଭଲ ଭାବରେ ଦେଇପାରିବେ ।
ସୁଷମାଙ୍କର ଦୁଇ ବଡ ପୁଅ ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ନ୍ତି। ଜଣେ ୩ୟ ଶ୍ରେଣୀରେ ଏବଂ ଅନ୍ୟ ଜଣେ ୧ମ ଶ୍ରେଣୀ 1ସୁଷମା ଆମକୁ କହିଲେ, “ସେମାନେ ଏବେ ଘରେ ଅଛନ୍ତି । ଗତକାଲିଠାରୁ ସେମାନେ ସମୋସା ମାଗୁଛନ୍ତି । ମୁଁ ହତାଶ ହୋଇ ସେମାନଙ୍କ ଉପରେ ପାଟି କରିଥିଲି । ଆଜି ମୋର ପଡ଼ୋଶୀ ନିଜ ପିଲାମାନଙ୍କ ପାଇଁ କିଛି ତିଆରି କରିଥିଲେ ଏବଂ ମୋ ପିଲାଙ୍କୁ ମଧ୍ୟ କିଛି ଦେଇଥିଲେ। ” ସୁଷମା ବାଲ୍ଟି ଉଠାଇବା ବେଳେ ଆମକୁ ଏହା କହିଲେ । ସେ ହ୍ୟାଣ୍ଡ ପମ୍ପରୁ ଏହାକୁ ଅଧା ଭରିଥିଲେ । ସେ କୁହନ୍ତି , “ଏହି ସମୟରେ ମୁଁ ଏହାଠାରୁ ଅଧିକ ଓଜନ ଉଠାଇବାକୁ ଏଡ଼ାଇଥାଏ । ତାଙ୍କ ଘର ପମ୍ପଠାରୁ ୨୦୦ ମିଟର ଦୂରରେ ଏବଂ ସାଧାରଣତଃ ତାଙ୍କ ଯାଆ ପାଣି ବୋହି ଥାଆନ୍ତି ।
ହ୍ୟାଣ୍ଡ-ପମ୍ପ ନିକଟରେ, କେଇଜଣ ପୁରୁଷ ଲୋକ ନିଜ ଛୋଟ ପିଲାମାନଙ୍କ ସହିତ ଠିଆ ହୋଇଛନ୍ତି, ଯାହାକି ଗାଁ ମନ୍ଦିରଠାରୁ ବିଶେଷ ଦୂରରେ ନାହିଁ । ସେମାନଙ୍କ ମଧ୍ୟରେ ୨୭ ବର୍ଷୀୟ ଚୁନୁ ନିଷାଦ ଅଛନ୍ତି । ସେ କୁହନ୍ତି, "ମୁଁ କାର୍ଡ ପାଇଁ ଆବେଦନ କରିଥିଲି ଏବଂ ସେମାନେ ମୋତେ କହୁଥିଲେ ଯେ ମୋତେ ମାଝଗାଓ୍ୱନ [ବ୍ଲକ ମୁଖ୍ୟାଳୟ] ଯିବାକୁ ହେବ ।" “ସେମାନେ କୁହନ୍ତି ଯେ ଏହାକୁ ତିଆରି କରିବା ପାଇଁ ମୋତେ ସତନା [ପ୍ରାୟ ୮୫ କିଲୋମିଟର ଦୂର] ଯିବାକୁ ମଧ୍ୟ ପଡିପାରେ ।କିନ୍ତୁ ତିନିଥର ଆବେଦନ କରିବା ପରେ ମଧ୍ୟ ମୁଁ ପାଇଲି ନାହିଁ । ଯଦି ଏହି ପରିସ୍ଥିତି ଆସିବା ବିଷୟରେ ମୁଁ ପୂର୍ବରୁ ଜାଣିଥାନ୍ତି, ମୁଁ ଏହାକୁ ପାଇବାକୁ ଯେକୌଣସି ସ୍ଥାନକୁ ଯାଇଥା’ନ୍ତି ।ଅନ୍ତତଃ ପକ୍ଷେ ମୋତେ ସହରରେ ଥିବା ମୋର ସମ୍ପର୍କୀୟଙ୍କଠାରୁ ଋଣ ନେବାକୁ ପଡ଼ିନଥା’ନ୍ତା ”
ଚୁନୁ ତାଙ୍କ ମା, ପତ୍ନୀ, ଏକ ବର୍ଷର ଝିଅ ଏବଂ ତାଙ୍କ ଭାଇଙ୍କ ପରିବାର ସହିତ ରୁହନ୍ତି । ସେ ଗତ ୧୧ ବର୍ଷ ଧରି ଏକ ଡଙ୍ଗା ଚଳାଉଛନ୍ତି ।| ତାଙ୍କ ପରିବାର ଭୂମିହୀନ ଏବଂ ତାଲାବନ୍ଦ ସମୟରେ ଅନ୍ୟ ୧୩୪ ନାଉରିଆଙ୍କ ପରି, ସେମାନେ କିଛି ରୋଜଗାର କରୁନାହାଁନ୍ତି ।
ତିନିଥର ଆବେଦନ କରିବା ପରେ ମଧ୍ୟ ରାସନ କାର୍ଡ ନହେବା ଯଥେଷ୍ଟ କଷ୍ଟକର।କିନ୍ତୁ, ଚୁନୁ କୁହନ୍ତି, “ଆମେ ଶୁଣିଛୁ ଯେ ସେମାନେ ସମସ୍ତ କାର୍ଡଧାରୀଙ୍କୁ ବଣ୍ଟନ କରିବା ପରେ ସେମାନେ ବଳକା ରାସନ ଆମକୁ ଭିନ୍ନ ଦାମରେ ଦେବେ।” ତଥାପି, ଏଠାରେ ଥିବା ରାସନ କାର୍ଡଧାରୀଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ପ୍ରାପ୍ୟ ପରିମାଣ ପାଇ ନାହାଁନ୍ତି ।
ତାଲାବନ୍ଦ ପରିବର୍ଦ୍ଧିତ ହେବା ପରେ ସାଂସଦ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବାଧ୍ୟତାମୂଳକ ରାସନ କାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ଦଲିଲର ଆବଶ୍ୟକତାକୁ ବାଦ୍ ଦେଇ ଖାଦ୍ୟ ଉପଲବ୍ଧତାକୁ ବୃଦ୍ଧି କରିଥିଲେ।ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କ କୋଟାରୁ ୩.୨ ନିୟୁତ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯିବା ଘୋଷଣା କରିଛି । ଏହି ରାସନରେ ମୁଣ୍ଡ ପିଛା ଚାରି କିଲୋଗ୍ରାମ ଗହମ ଏବଂ ଏକ କିଲୋ ଚାଉଳ ଅନ୍ତର୍ଭୁକ୍ତ ।
ଏହା ପରେ ସତନା ଜିଲ୍ଲା କୌଣସି କାଗଜପତ୍ର ଆବଶ୍ୟକତା ବିନା ଏହାର ବାସିନ୍ଦାଙ୍କୁ ମାଗଣା ରାସନ ଘୋଷଣା କରିଥିଲା। ନଗର ପାଳିକା ପରିଷଦ (ଚିତ୍ରକୂଟର ପୌରପାଳିକା ସୀମା) ରେ ସମୁଦାୟ ୧,୦୯୭ ବାସିନ୍ଦାଙ୍କ ମଧ୍ୟରୁ ରାସନ୍ କାର୍ଡ ବିନା ୨୧୬ ଟି ପରିବାର ଅଛନ୍ତି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । କିନ୍ତୁ ଏହା ମନେହେଉଛି ଯେ ବିତରକମାନେ ସୁଷମାଙ୍କ ପଡ଼ା କେୱାଟ୍ରା (କେଓଟ୍ରା ଭାବରେ ବନାନ ହେଉଥିବା )କୁ ବିଚାରକୁ ନେଇ ନାହାଁନ୍ତି ।
ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ ( ଆଇଏଫ୍ପିଆର୍ଆଇ) ଦ୍ୱାରା ଭାରତର ଖାଦ୍ୟ ନିରାପତ୍ତା ବ୍ୟବସ୍ଥା କିପରି କାମ କରୁଛି ସେ ସମ୍ବନ୍ଧରେ ଏକ ଅଧ୍ୟୟନରେ କୁହାଯାଇଛି, “ କୋଭିଡ୍ - ୧୯ ଏକ କଠୋର ବାସ୍ତବତାକୁ ପ୍ରକାଶ କରିଛି: ଏକ ଅପର୍ଯ୍ୟାପ୍ତଏବଂ ଅସମାନ ସୁରକ୍ଷା ବ୍ୟବସ୍ଥା ଏହି ଅର୍ଥ ନୈତିକ ଦୁର୍ବଳ ଗୋଷ୍ଠୀରୁ ଅନେକଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସେବା ପାଖରେ ପହଞ୍ଚିବାକୁ ଦେଇ ନପାରେ ।’
ସୁଷମା ତାଙ୍କ ସ୍ୱାମୀଙ୍କ ସହ କିପରି ଘାଟକୁ ଯାଉଥିଲେ ତାହା ମନେପକାନ୍ତି । ସେ ଗର୍ବର ସହିତ କୁହନ୍ତି, “ସେହି ଦିନଗୁଡ଼ିକ ଖୁସିର ଦିନ ଥିଲା। ଆମେ ପ୍ରାୟ ପ୍ରତି ରବିବାର ରାମଘାଟକୁ ଯାଉଥିଲୁ ଏବଂ ସେ ମୋତେ ଏକ କ୍ଷୁଦ୍ର ନୌକା ଯାତ୍ରାରେ ନେଉଥିଲେ । ସେ ସେହି ଯାତ୍ରାରେ କୌଣସି ଗ୍ରାହକଙ୍କୁ ନେଉ ନଥିଲେ ।’’ ସେ ଦୀର୍ଘଶ୍ୱାସ ଛାଡ଼ି କୁହନ୍ତି, ‘‘ତାଙ୍କ ମୃତ୍ୟୁ ପରେ ମୁଁ ଘାଟକୁ ଯାଇ ନାହିଁ । ମୋର ଆଉ ଯିବାକୁ ଇଚ୍ଛା ମଧ୍ୟ ନାହିଁ । ସବୁକିଛି ତାଲାବନ୍ଦ ହୋଇ ଯାଇଛି । ଏପରିକି ଡଙ୍ଗାମାନେ ମଧ୍ୟ ସେମାନଙ୍କ ଲୋକଙ୍କୁ ମନେ ପକାଉଥିବେ।’’
ଅନୁବାଦ: ଓଡ଼ିଶାଲାଇଭ୍