ଭାନୁବେନ ଭରୱାଡ଼ ବନାସକାଣ୍ଠା ଜିଲ୍ଲାରେ ଥିବା ନିଜର ୨.୫ ଏକର ଚାଷ ଜମିକୁ ଯିବାର ଗୋଟିଏ ବର୍ଷ ହୋଇଗଲାଣି। ଏମିତି ଏକ ସମୟ ଥିଲା ଯେତେବେଳେ ସେ ଓ ତାଙ୍କ ସ୍ୱାମୀ ସବୁଦିନ ସେହି ଜମିକୁ ଯାଉଥିଲେ। ସେଠି ବାଜରା, ମୁଗ ଓ ଯଅ ଚାଷ କରୁଥିଲେ ଯାହାକୁ ସେମାନେ ବର୍ଷ ସାରା ଖାଇବା ଲାଗି ଉପଯୋଗ କରୁଥିଲେ। ଏହି ଚାଷ ଜମି ତାଙ୍କ ପାଇଁ ଖାଦ୍ୟର ମୁଖ୍ୟ ଉତ୍ସ ଥିଲା, କିନ୍ତୁ ୨୦୧୭ର ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ସେମାନଙ୍କ ଏହି ଖଣ୍ଡକ ଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ‘‘ତା’ପରେ ଆମର ଖାଦ୍ୟ ପ୍ରଣାଳୀ ବଦଳି ଯାଇଥିଲା,’’ ଭାନୁବେନ (୩୫) କୁହନ୍ତି। ‘‘ପୂର୍ବରୁ ଆମେ ଜମିରେ ଯେଉଁ ଫସଲ ଅମଳ କରୁଥିଲୁ ଏବେ ଆମକୁ ସେହି ଶସ୍ୟ କିଣିବାକୁ ପଡ଼ିଲା।’’
ନିଜର ଅଧା ଏକର ଜମିରେ ସେ ବାଜରା ଚାଷ କରି ପାଖାପାଖି ୪ କୁଇଣ୍ଟାଲ (୪୦୦ କିଲୋଗ୍ରାମ) ଶସ୍ୟ ଅମଳ କରୁଥିଲେ। ଏବେ ସମାନ ପରିମାଣର ବାଜରା ମଣ୍ଡିରୁ କିଣିବାକୁ ତାଙ୍କୁ ପ୍ରାୟ ୧୦,୦୦୦ ଟଙ୍କା ଦେବାକୁ ପଡ଼ୁଛି। ‘‘ଆହୁରି ଏବେ ଦରଦାମ ବୃଦ୍ଧିକୁ ଦେଖିଲେ, ଅଧା ଏକର ଜମିରେ ବାଜରା ଚାଷ ପାଇଁ ଆମକୁ ଏହାର ବଜାର ଦରର ପାଖାପାଖି ଅଧା ଖର୍ଚ୍ଚ (ଇନପୁଟ୍ ବାବଦରେ) କରିବାକୁ ପଡ଼ୁଛି,’’ ସେ କୁହନ୍ତି। ‘‘ଅନ୍ୟ ଚାଷ ପାଇଁ ଏହି ହିସାବ ମଧ୍ୟ ସମାନ ହେବ। ପ୍ରତ୍ୟେକ ଫସଲ (ଆମ ଚାଷ କରୁଥିବା) ପାଇଁ ଦାମ୍ ଦୁଇ ଗୁଣା ହୋଇଯାଇଛି।’’
ଭାନୁବେନ, ଓ ତାଙ୍କର ସ୍ୱାମୀ ଭୋଜଭାଇ, (୩୮) ନିଜର ତିନି ପିଲାଙ୍କ ସହିତ ବନାସକାଣ୍ଠାର କାଙ୍କ୍ରେଜ ତାଲୁକା ସ୍ଥିତ ତୋତନା ଗ୍ରାମରେ ରୁହନ୍ତି। ପୂର୍ବରୁ ଯେତେବେଳେ ସେମାନେ ନିଜ ଜମିରେ ଚାଷ କରୁଥିଲେ, ସେତେବେଳେ ମଧ୍ୟ ଭୋଜଭାଇ କୃଷି ଶ୍ରମିକ ଭାବେ କାମ କରି ରୋଜଗାର କରୁଥିଲେ। କିନ୍ତୁ ୨୦୧୭ ଠାରୁ ତାଙ୍କୁ ସମ୍ପୂର୍ଣ୍ଣ ସମୟ ଶ୍ରମିକ ଭାବେ କାମ କରିବାକୁ ହେଉଛି। ସେ ନିକଟରେ ଥିବା ଚାଷ ଜମି ଏବଂ ଏଠାରୁ ୩୦ କିଲୋମିଟର ଦୂର ପଟାନରେ ଥିବା ନିର୍ମାଣସ୍ଥଳୀରେ କାର୍ଯ୍ୟ କରିଥାନ୍ତି। ‘‘ଏବେ ବି ସେ କାମ ସନ୍ଧାନରେ ବାହାରକୁ ଯାଉଛନ୍ତି। କାମ ମିଳିଲେ ସେ ଦିନକୁ ୨୦୦ ଟଙ୍କା ରୋଜଗାର କରିଥାନ୍ତି,’’ ଭାନୁବେନ କୁହନ୍ତି।
ଭାନୁବେନ ଏବଂ ଭୋଜଭାଇଙ୍କ ସାନ ଝିଅ ସୁହାନା ସେହି ପ୍ରଳୟଙ୍କରୀ ବନ୍ୟା ବର୍ଷ ହିଁ ଜନ୍ମ ନେଇଥିଲା। ତା’ କପାଳରେ ଚୁମା ଦେଇ ଭାନୁବେନ କୁହନ୍ତି, ସେଦିନକୁ ପାଞ୍ଚ ବର୍ଷ ବିତି ସାରିଲାଣି ବୋଲି ମୋର ବିଶ୍ୱାସ ହେଉନାହିଁ।
ବନାସକାଣ୍ଠା, ପଟାନ, ସୁରେନ୍ଦ୍ରନଗର, ଆରାବଲି ଓ ମୋରବୀ ସମେତ ଗୁଜରାଟର ଅଧିକାଂଶ ଜିଲ୍ଲାରେ ଜୁଲାଇ ୨୦୧୭ରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା। ଏକ ସମୟରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ହେବା ଯୋଗୁ ଏପରି ପ୍ରବଳ ବର୍ଷା ହୋଇଥିଲା। ଏହା ଏକ ବିରଳ ଘଟଣା ଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ରିପୋର୍ଟ ଅନୁଯାୟୀ, ୧୧୨ ବର୍ଷ ମଧ୍ୟରେ ସେହି ଥର ରାଜ୍ୟରେ ସର୍ବାଧିକ ବୃଷ୍ଟିପାତ ହୋଇଥିଲା।









