ଡିସେମ୍ବର ୧୧ ପ୍ରାତଃକାଳରେ ସେମାନେ ଯେତେ6ବଳେ ସେମାନଙ୍କ ବିଦ୍ୟୁତ୍ କେବୁଲ୍ଗୁଡ଼ିକ ଅପସାରଣ କରୁଥିଲେ, ସେତେବେଳେ ସେଇ ପାଖରେ ଥିବା ଜଣେ ଦୋକାନୀ କାନ୍ଦିବାକୁ ଲାଗିଲେ । “ସେ କହିଲେ ଯେ ସେ ଆମକୁ ସବୁବେଳେ ଝୁରିହେବେ ଓ ଆମମାନଙ୍କ ବିନା ଏହି ସ୍ଥାନ ତାଙ୍କୁ ଖାଁ ଖାଁ ଲାଗିବ । ଆମକୁ ମଧ୍ୟ ବହୁତ କଷ୍ଟହେବ । ହେଲେ, ଚାଷୀମାନଙ୍କର ବିଜୟ ହେଉଛି ଏକ ବୃହତ୍ ଉତ୍ସବ ପରି,” ବୋଲି ଗୁର୍ୱିନ୍ଦର ସିଂ କହିଲେ ।
ସେତେବେଳକୁ ସମୟ ପ୍ରାୟ ପୂର୍ବାହ୍ନ ୮.୧୫ ହୋଇଥିଲା, ଯେତେବେଳେ ଗୁର୍ୱିନ୍ଦର ଓ ତାଙ୍କ ଗ୍ରାମର ଅନ୍ୟ ଚାଷୀମାନେ ନୂଆଦିଲ୍ଲୀର ଟିକ୍ରୀ ଆନ୍ଦୋଳନ ସ୍ଥଳିରେ ଥିବା ତାଙ୍କର ଅସ୍ଥାୟୀ ତମ୍ବୁଗୁଡିକୁ ଉଠାଇବାକୁ ଆରମ୍ଭ କଲେ । ବେଳେବେଳେ, ସେମାନେ ତମ୍ବୁର ଯୋଡଗୁଡ଼ିକୁ ଭାଙ୍ଗିବା ପାଇଁ କାଠ ଗଡ଼ ବ୍ୟବହାର କରୁଥିଲେ, ଆଉ କେତେବେଳେ ପୁଣି ଢାଞ୍ଚାର ଆଧାରକୁ ଭାଙ୍ଗିବା ପାଇଁ ଇଟା ବ୍ୟବହାର କରୁଥିଲେ । ୨୦ମିନିଟରେ ଏହା ଏହି ସବୁ କିଛି ଏକ ଗଦାରେ ପରିଣତ ହୋଇଗଲା ଓ ସେମାନେ ପକୋଡ଼ା ସହିତ ଚା’ ପିଇବା ପାଇଁ କିଛି ସମୟ ଅଟକି ଗଲେ ।
“ଆମେମାନେ ଆମ ନିଜ ହାତରେ ଏହି ଆଶ୍ରୟସ୍ଥଳଗୁଡ଼ିକ ନିର୍ମାଣ କରିଥିଲୁ ଓ ବର୍ତ୍ତମାନ ଏଗୁଡ଼ିକୁ ଆମ ନିଜ ହାତରେ ଅପସାରଣ କରୁଛୁ ମଧ୍ୟ,’’ ବୋଲି ୩୪-ବର୍ଷ ବୟସ୍କ ଗୁର୍ୱିନ୍ଦର କହିଲେ । ତାଙ୍କ ପରିବାର ପଞ୍ଜାବର ଲୁଧିଆନା ଜିଲ୍ଲାର ଦଙ୍ଗିଆନ୍ ଗ୍ରାମରେ ଛଅ ଏକର ଜମିରେ ଗହମ, ଧାନ ଓ ଆଳୁ ଚାଷ କରନ୍ତି । “ବିଜୟୀ ହୋଇ ଘରକୁ ଫେରୁଥିବାରୁ ଆମେ ଆନନ୍ଦିତ, ହେଲେ, ଏଠାରେ ରହଣି ସମୟରେ ଗଢ଼ି ଉଠିଥିବା ବିଭିନ୍ନ ସମ୍ପର୍କକୁ ଛାଡ଼ି ଯିବାର ଦୁଃଖ ମଧ୍ୟ ରହିଛି।’’
“ଆନ୍ଦୋଳନ ଆରମ୍ଭ ହେବାବେଳକୁ ଏଠାରେ କିଛି ମଧ୍ୟ ନଥିଲା । ଆମେମାନେ ରାସ୍ତା ଉପରେ ଶୋଉଥିଲୁ ଓ ତା’ପରେ ଆମେ ଏହି ଘର ନିର୍ମାଣ କଲୁ,” ବୋଲି ଦିଦାର ସିଂ କହିଲେ । ୩୫ ବର୍ଷ ବୟସ୍କ ଦିଦାର ଲୁଧିଆନା ଜିଲ୍ଲାର ସେହି ଗ୍ରାମରେ ବାସ କରନ୍ତି, ଯେଉଁଠାରେ ସେ ଗହମ, ଧାନ ଓ ସବୁଜ ପନିପରିବା ଆଦି ସାତ ଏକର ଚାଷଜମିରେ ଚାଷ କରନ୍ତି । “ଆମେ ଏଠାରେ ଅନେକ କଥା ଶିଖିଲୁ, ବିଶେଷକରି ଏଠାରେ ରହଣି ସମୟରେ ଆମମାନଙ୍କ ମଧ୍ୟରେ ଗଢ଼ି ଉଠିଥିବା ଭାତୃତ୍ୱ ଭାବ । ସବୁ ସରକାର ଆମେମାନେ ପରସ୍ପର ସହିତ ଲଢ଼େଇ କରିବାର ରାସ୍ତା ତିଆରି କରନ୍ତି । ହେଲେ, ଯେତେବେଳେ ଆମେ ସମସ୍ତେ – ପଞ୍ଜାବଠାରୁ ଆରମ୍ଭ କରି ହରିୟାଣା, ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ – ଏଠାରେ ଏକତ୍ରିତ ହେଲୁ, ସେତେବେଳେ ଯାଇ ଆମର ହୃଦ୍ବୋଧ ହେଲା ଯେ ଆମ ସସମ୍ତେ ଏକ ଅଟୁ ।
“ଆମ ପଞ୍ଜାବରେ ନିର୍ବାଚନ ହେବାକୁ ଯାଉଛି ଓ ଆମେ ଯୋଗ୍ୟ ବ୍ୟକ୍ତିଙ୍କ ସପକ୍ଷରେ ମତଦାନ କରିବୁ,” ବୋଲି ଗୁର୍ୱିନ୍ଦର ଏସବୁ ସହିତ କହିଲେ । “ଆମେ ସମସ୍ତେ ସେହି ବ୍ୟକ୍ତିଙ୍କ ସପକ୍ଷରେ ମତଦାନ କରିବୁ ଯିଏ ଆମର ସହାୟତା କରିବ । ଆଉ, ଯେଉଁମାନେ ଆମ ସହିତ ବିଶ୍ୱାସଘାତକତା କରିବେ, ସେମାନଙ୍କୁ କ୍ଷମତାକୁ ଆସିବାକୁ ଦେବୁ ନାହିଁ,” ବୋଲି ଦିଦାର କହିଲେ ।

































