ତନ୍ନା ସିଂହଙ୍କ ନାତି ତାଙ୍କୁ ଫୋନ୍ରେ ବାରମ୍ବାର କୁହନ୍ତି, "ବାପୁ, ତୁ ଆ ଜା [ଜେଜେବାପା, ତୁମେ ଫେରି ଆସ]"। ନିଜ ତମ୍ବୁ ନିକଟରେ ଥିବା ଏକ ପ୍ଲାଷ୍ଟିକ୍ ଷ୍ଟୁଲରେ ବସି ସିଂହ କୁହନ୍ତି, "ମୁଁ କିପରି ଫେରିବି? ଯାହାହେଉ, ମୁଁ କେବଳ ତା’ର ଭବିଷ୍ୟତ ପାଇଁ ଏଠାରେ ଅଛି।"
ସେ ଛଳଛଳ ଆଖିରେ କୁହନ୍ତି, "ମୁଁ ଯେତେବେଳେ ତା’[ମୋ ପୁଅର ୧୫ ବର୍ଷର ପୁଅ] ସହ କଥାବାର୍ତ୍ତା କରେ ସେତେବେଳେ ମୁଁ କାନ୍ଦି ପକାଏ। କିଏ ନିଜ ନାତିନାତୁଣୀଙ୍କୁ ଏହିପରି ଘରେ ଛାଡ଼ି ଚାଲି ଆସିବ? କିଏ ନିଜ ପୁଅ ଓ ଝିଅମାନଙ୍କୁ ଏହିପରି ଭୁଲି ଯାଇପାରେ?"
କାରଣ ଯାହା ହେଉନା କାହିଁକି, ତନ୍ନା ସିଂହ ଘରକୁ ନଫେରିବାକୁ ସ୍ଥିର କରିଛନ୍ତି। ସେ ୨୦୨୦ ମସିହା ନଭେମ୍ବର ମାସ ୨୬ ତାରିଖ ଠାରୁ ଗୋଟିଏ ଦିନ ବି ଟିକ୍ରିର କୃଷକଙ୍କ ବିକ୍ଷୋଭ ସ୍ଥଳ ପରିତ୍ୟାଗ କରିନାହାଁନ୍ତି। ଏବଂ ପ୍ରାୟ ଏକ ବର୍ଷ ପରେ, ୨୦୨୧ ମସିହା ନଭେମ୍ବର ମାସ ୧୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନୋଟି ବିବାଦୀୟ ନୂତନ କୃଷି ଆଇନ ରଦ୍ଦ ଘୋଷଣା ହେବା ସତ୍ତ୍ୱେ, ୭୦ ବର୍ଷୀୟ ବିପତ୍ନୀକ ସିଂହ କୁହନ୍ତି, ଯେ ପ୍ରକୃତ ପ୍ରତ୍ୟାହାର ଷ୍ଟାମ୍ପ୍ ଏବଂ ସିଲ୍ ନହେବା ପର୍ଯ୍ୟନ୍ତ ସେ ଟିକ୍ରିରେ ରହିବେ। ସେ କୁହନ୍ତି, "ଏହି ନିୟମ ପ୍ରତ୍ୟାହାର କରିବାକୁ ଆମେ ରାଷ୍ଟ୍ରପତିଙ୍କ ଷ୍ଟାମ୍ପକୁ ଅପେକ୍ଷା କରିଛୁ। ଏହି ଦିନର ଅପେକ୍ଷାରେ କେବଳ ଆମେ ନିଜ ଘର ଛାଡ଼ିଥିଲୁ"।
ସେ ହଜାର ହଜାର କୃଷକଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏକି ଏକ ବର୍ଷ ପୂର୍ବେ ରାଜଧାନୀର ସୀମାକୁ ଆସିଥିଲେ ଏବଂ ତିନିଟି ଚାଷ ଆଇନକୁ ଖାରଜ କରିବାକୁ ଦାବି କରିଥିଲେ ଏବଂ ଯେତେବେଳେ ଆଗକୁ ଯିବାକୁ ଅନୁମତି ଦିଆଯାଇ ନଥିଲା, ସେତେବେଳେ ଟିକ୍ରି (ପଶ୍ଚିମ ଦିଲ୍ଲୀର), ସିଂଘୁ (ରାଜଧାନୀର ଉତ୍ତର-ପଶ୍ଚିମ) ଏବଂ ଗାଜିପୁର (ପୂର୍ବରେ)ରେ ରହିଥିଲେ।
ପଞ୍ଜାବର ମୁକ୍ତେସର ଜିଲ୍ଲାର ଭଙ୍ଗଚାରି ଗାଁରୁ ସିଂହ ତାଙ୍କ ଟ୍ରାକ୍ଟରରେ ଅନ୍ୟ କିଛି ଚାଷୀଙ୍କ ସହ ଆସିଥିଲେ, ଯାହାକି ବିକ୍ଷୋଭ ସ୍ଥଳ ନିକଟରେ କେଉଁଠି ପାର୍କିଂ ହୋଇ ରହିଛି। ତାଙ୍କ ଗାଁରେ ତାଙ୍କ ପରିବାର ଆଠ ଏକର ଜମିରେ ଗହମ ଏବଂ ଧାନ ଚାଷ କରନ୍ତି। ସେ କୁହନ୍ତି, "ମୁଁ ମୋର କ୍ଷେତର [ଚାଷ ଜମି] ଦାୟିତ୍ୱକୁ ମୋ ପୁଅ ଉପରେ ଛାଡ଼ି ଏଠାକୁ ଆସିଛି।










