“ଟିକ୍ରି ସୀମାରେ ସଡ଼କର ଦୁଇ ପାଖରେ ଏବଂ ୫୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟରଗୁଡ଼ିକର ଧାଡ଼ି ଲାଗି ସାରିଛି”, କମଲ ବ୍ରାର୍ କହିଥିଲେ। ସେ ହରିୟାଣାର ଫତେହାବାଦ ଜିଲ୍ଲାରେ ଥିବା ନିଜ ଗ୍ରାମରୁ ୨୦ ଜଣ ଅନ୍ୟ କୃଷକମାନଙ୍କ ସହିତ ୨୪ ଜାନୁଆରୀରେ ପାଞ୍ଚଟି ଟ୍ରାକ୍ଟର ଏବଂ ଦୁଇଟି ଟ୍ରଲି ସହିତ ଟିକ୍ରିରେ ପହଞ୍ଚିଥିଲେ।
ହରିୟାଣା-ଦିଲ୍ଲୀ ସୀମାରେ ଥିବା ଟିକ୍ରି, ଜାତୀୟ ରାଜଧାନୀ ଉପକଣ୍ଠର ସେହି ତିନୋଟି ମୁଖ୍ୟ ଆନ୍ଦୋଳନସ୍ଥଳୀ ମଧ୍ୟରୁ ଅନ୍ୟତମ, ଯେଉଁଠି ଲକ୍ଷାଧିକ କୃଷକ ସେପ୍ଟେମ୍ବର ୨୦୨୦ରେ ସଂସଦରେ ପାରିତ ହୋଇଥିବା କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ନେଇ ୨୬ ନଭେମ୍ବର, ୨୦୨୦ ଠାରୁ ଆନ୍ଦୋଳନ କରିଆସୁଛନ୍ତି।
ଆନ୍ଦୋଳନର ଅଂଶବିଶେଷ ଭାବେ, କୃଷକମାନେ ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ଅବସରରେ ରାଜଧାନୀରେ ଅଭୂତପୂର୍ବ ଟ୍ରାକ୍ଟର ରାଲି ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି।
ଏହି ରାଲିରେ ଭାଗ ନେବା ଲାଗି ଯୋଜନା କରୁଥିବା ଲୋକଙ୍କ ମଧ୍ୟରେ ନିର୍ମଳ ସିଂ ମଧ୍ୟ ସାମିଲ ଅଛନ୍ତି। ପଞ୍ଜାବର ଫାଜିଲକା ଜିଲ୍ଲା ଅନ୍ତର୍ଗତ ଅବୋହର ବ୍ଲକରେ ଥିବା ନିଜ ଗ୍ରାମ, ୱହାବୱାଲା ଠାରୁ ଚାରିଟି ଟ୍ରାକ୍ଟର ନେଇ ଆସିଥିବା ନିର୍ମଲ ସିଂଙ୍କୁ ଟିକ୍ରିରେ ପାର୍କିଂ ସ୍ଥାନ ଖୋଜିବା ଲାଗି ଅନେକ ଘଣ୍ଟା ଲାଗିଯାଇଥିଲା। ସେ କିଷାନ ମଜଦୁର ଏକତା ୟୁନିଅନ ବ୍ୟାନର ଅଧୀନରେ, ୱହାବୱାଲାରୁ ୨୫ ଜଣ ଲୋକଙ୍କ ସହିତ ଆସିଛନ୍ତି। “ଆହୁରି ମଧ୍ୟ କିଛି ଲୋକ ଆସୁଛନ୍ତି। ଟ୍ରାକ୍ଟରଗୁଡ଼ିକର ସଂଖ୍ୟା ଅନେକ ଗୁଣ ବୃଦ୍ଧି ପାଇବ, ଆପଣ ଦେଖିବେ”, ସେ କହିଥିଲେ।








