

Jhabua, Madhya Pradesh
|WED, JUL 21, 2021
ଝାବୁଆରେ ଜଳ ପାଇଁ କସରତ
Author
Translator

P. Sainath
ଏହା ହେଉଛି ଭୂମିଠାରୁ ଉଚ୍ଚରେ ଦୁଇଟି ଖମ୍ବ ମଧ୍ୟରେ କଷି ବନ୍ଧା ଯାଇଥିବା ଦଉଡ଼ିରେ ଚାଲିବା ପରି, କୌଶଳପୂର୍ଣ୍ଣ ଓ ଅଧିକ ବିପଦପୂର୍ଣ୍ଣ । ସେଠାରେ କୌଣସି ସୁରକ୍ଷା ଜାଲ କିମ୍ବା ଅନ୍ୟ ନିରାପତ୍ତା ବ୍ୟବସ୍ଥା ନଥିଲା। ସେ ପାଣି ଆଣିବାକୁ ଯାଉଥିବା କୂଅଟିର ଚାରିପଟେ କୌଣସି ସୀମା ପ୍ରାଚୀର ନଥିଲା। ଏହା ମଧ୍ୟରେ କାଦୁଅ ଓ ଅପରାହ୍ଣର ୪୪ ଡିଗ୍ରୀ ଉତ୍ତପ୍ତ ପବନରେ ଉଡ଼ିଆସି ଅଳିଆ ଆବର୍ଜନା ନ ପଡ଼ିବା ପାଇଁ କେବଳ ଓଜନିଆ କାଠଗଡ଼ ଦ୍ୱାରା ଏହାକୁ ଆଛାଦିତ କରି ରଖାଯାଇଥିଲା । ଏହି କାଠଗଡ଼ଗୁଡ଼ିକୁ ବିଭିନ୍ନ କୋଣରେ ସଜାଇ ଏହାର ମଧ୍ୟଭାଗରେ ଏକ ଛୋଟିଆ ଛିଦ୍ର ରଖା ଯାଇଥିଲା।
ତାଙ୍କୁ ସେହି କାଠଗଡ଼ଗୁଡ଼ିକର ଧାରରେ ଛିଡ଼ା ହୋଇ ପାଣି କାଢ଼ିବାକୁ ପଡ଼ୁଥିଲା। ଏହା କରିବା ସମୟରେ ସେ ଦୁଇଟି ଆଶଙ୍କାର ସମ୍ମୁଖୀନ ହେଉଥିଲେ: ସେ ଖସିଯାଇ ପଡ଼ିଯିବାର, କିମ୍ବା ତାଙ୍କର ଓଜନରେ କାଠଗଡଗୁଡିକ ଖସିଯିବାର ଆଶଙ୍କା ରହୁଥିଲା। ଏହା ମଧ୍ୟରୁ ଯାହା କିଛି ଘଟିଲେ, ୨୦ ଫୁଟ ତଳେ ପଡ଼ିବା ସୁନିଶ୍ଚିତ ଥିଲା। ଅବସ୍ଥା ଆହୁରି ଖରାପ ହେବ ଯଦି ସେ କୂଅ ମଧ୍ୟରେ ଖସିପଡ଼ିବା ସମୟରେ କିଛି କାଠଗଡ ଖସି ତାଙ୍କ ଉପରେ ପଡିଯିବ। ଆଉ ଯଦି ଏହାର ପାର୍ଶ୍ୱରେ ଗୋଡ ଖସିଯାଏ ପାଦରେ କଠୋର ଆଘାତ ଲାଗିପାରେ।
ଠିକ୍ ଅଛି, କିନ୍ତୁ ସେଦିନ ସେହିପରି କିଛି ଘଟି ନଥିଲା। ଯୁବତୀ ଜଣକ ସେହି ଗାଁର ଫାଲିଅର ବସ୍ତିର(ତାହା ପୂର୍ବ ବଂଶଧରମାନଙ୍କୁ ଆଧାରକରି ହୋଇପାରେ) ଭିଲାଲା ସଂପ୍ରଦାୟର ଆଦିବାସୀ। ସେ ସେହି କାଠଗଡ଼ଗୁଡ଼ିକ ଉପରେ ଅନାୟାସରେ ଚାଲିପାରୁଥିଲେ। ସେ ପରେ ଶାନ୍ତ ଭାବରେ ରଶିରେ ବାନ୍ଧାଯାଇଥିବା ଏକ ବାଲ୍ଟିକୁ କୂଅ ଭିତରକୁ ପକାଇଥିଲେ ଓ ପାଣି ପୂର୍ଣ୍ଣ କରି ଏହାକୁ ଟାଣି ଆଣିଥିଲେ। ସେ ଏହି ପାଣିକୁ ଅନ୍ୟ ଏକ ପାତ୍ରକୁ ଢାଳିଦେଇଥିଲେ। ପରେ ସେ ପୁଣିଥରେ ବାଲ୍ଟିରେ ପାଣି ଭରି ଥିଲେ। ସେ କିମ୍ବା ଏହି କାଠଗଡ଼ଗୁଡ଼ିକ ଟିକିଏବି ହଲୁ ନଥିଲେ। ଏବଂ ଏହା ପରେ ସେ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାର ଭାକନର ଗାଁରେ ଥିବା ତାଙ୍କ ଘରକୁ ଫେରିଲେ। ପାଣି ଭର୍ତ୍ତି ଦୁଇଟି ପାତ୍ର ମଧ୍ୟରୁ ଅଧିକ ଭାରି ପାତ୍ରଟିକୁ ଡାହାଣ ହାତ ସାହାଯ୍ୟରେ ନିଜ ମୁଣ୍ଡ ଉପରେ ଭାରସାମ୍ୟ ରକ୍ଷା କରି ଓ ଦୋଳାୟମାନ ବାଲ୍ଟିକୁ ତାଙ୍କର ବାମ ହାତରେ ଧରି ଯାଉଥିଲେ।
ମୁଁ ତାଙ୍କ ସହ କିଛି ବାଟ ଚାଲିକରି ତାଙ୍କର ଫାଲିଆ ବସ୍ତିଠାରୁ ଏହି କୂଅ ପର୍ଯ୍ୟନ୍ତ ଆସିଲି। ଏବଂ ଆକଳନ କଲି ଯେ ଯଦି ତାଙ୍କୁ ଏହି ଯାତ୍ରା ଦିନକୁ ଦୁଇଥର (ବେଳେବେଳେ ଅଧିକ ଥର) କରୁଥିଲେ ତେବେ ତାଙ୍କୁ ଦୈନିକ ୬ କିଲୋମିଟର ଚାଲିବାକୁ ପଡ଼ୁଥିଲା। ସେ ଯିବା ପରେ ମୁଁ ଏଠାରେ କିଛି ସମୟ ରହିଲି। ଅନ୍ୟ ଯୁବତୀମାନେ ଓ କିଛି ବାଳିକା ମଧ୍ୟ ଅନାୟାସରେ ସେହି କାମ କରିପାରୁଥିଲେ। ସେମାନେ ଏହାକୁ ଅତି ସହଜରେ କରିପାରୁଥିଲେ, ଜଣେ ବାଳିକାଙ୍କଠାରୁ ରଶି ଲାଗିଥିବା ଏକ ବାଲ୍ଟି ମାଗି କରି ଆଣି ମୁଁ ଏହି କାମକୁ ଗୋଟିଏ ଥର କରିବା ପାଇଁ ନିଷ୍ପତ୍ତି ନେଲି। ଯେତେଥର ମୁଁ ଏହି କାଠଗଡ଼ଗୁଡ଼ିକ ଉପରେ ଚଢ଼ିବାକୁ ଚେଷ୍ଟାକଲି, ସେଗୁଡିକ ଦୋହଲୁ ଥିଲା ଏପରି କି ସାମାନ୍ୟ ଗଡ଼ି ଯାଉଥିଲା। ମୁଁ ବାରମ୍ବାର ଯେତେବେଳେ କୂଅର ଛିଦ୍ରପାଖକୁ ଚାଲିକରି ଯାଉଥିଲି, କାଠଗଡ଼ଗୁଡ଼ିକର ଧାର ଉପରେ ଛିଡ଼ା ହୋଇ ମୁଁ ସାମାନ୍ୟ ଥରୁଥିଲି ଓ ଭୟରେ ତଳକୁ ପଡ଼ି ଯିବାଭଳି ଅନୁଭବ କରୁଥିଲି। ମୁଁ ପ୍ରତ୍ୟେକ ଥର ପୂର୍ବସ୍ଥାନକୁ ଫେରି ଆସୁଥିଲି।
ଏହି ସମୟରେ ମୁଁ ଅନେକ ଉତ୍ସାହୀ ଦର୍ଶକଙ୍କୁ ଆକୃଷ୍ଟ କରିଥିଲି ଯେଉଁମାନେ କି ଜଳ ସଂଗ୍ରହ କରିବା ପାଇଁ କୂଅ ନିକଟକୁ ଆସିଥିଲେ ଓ ପିଲାମାନେ ମୁଁ କୂଅ ମଧ୍ୟରେ ଖସି ପଡ଼ିବାକୁ ଆଗ୍ରହର ସହ ଅପେକ୍ଷା କରିଥିଲେ। ମୁଁ ଅପରାହ୍ନର ମନୋରଞ୍ଜନର ମାଧ୍ୟମ ଥିଲି। ଏହାର ପରିସମାପ୍ତି ଘଟିଲା, ଯେହେତୁ ମୋତେ କିଛି ସମୟ ଆମୋଦଦାୟକ ମନେ କରୁଥିବା ମହିଳାମାନେ ସେମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବା ପାଇଁ ବ୍ୟସ୍ତ ହେଉଥିଲେ: ସେମାନଙ୍କର ଘର ପାଇଁ ଜଳ ସଂଗ୍ରହ କରିବା। ୧୯୯୪ ମସିହାରୁ ମୋର ମନେପଡ଼ୁଛି ଯେ ମୁଁ ଅନେକଥର ଚେଷ୍ଟା କରି ମାତ୍ର ଅଧ ବାଲ୍ଟି ପାଣି ସଂଗ୍ରହ କରିପାରିଲି ମାତ୍ର ମୋର ନାବାଳକ ଦର୍ଶକମାନଙ୍କ ଦ୍ୱାରା କରତାଳି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିବା ପୂର୍ଣ୍ଣ ପ୍ରଶଂସାରେ ବିମୋହିତ ହୋଇଯାଇଥିଲି।
ଏହାର ଏକ କ୍ଷୁଦ୍ର ସଂସ୍କରଣ ୧୯୯୬ ମସିହା ଜୁଲାଇ ମାସ ୧୨ ତାରିଖ ଦିନ ଦି ହିନ୍ଦୁ ବିଜନେସ୍ ଲାଇନରେ ପ୍ରକାଶିତ ହୋଇଥିଲା।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଝାବୁଆରେ-ଜଳ-ପାଇଁ-କସରତ

