ଶୋଭା ସାହନି ଭାବିଥିଲେ ସେ ତାଙ୍କ ପୁଅର ମୃତ୍ୟୁର କାରଣ ଜାଣିଛନ୍ତି। କିନ୍ତୁ ସାତ ମାସ ପରେ ସେ ସେତେ ନିଶ୍ଚିତ ନଥିଲେ।
ଫେବ୍ରୃଆରୀ ମାସର ଏକ ଶାନ୍ତ ଅପରାହ୍ନରେ ବ୍ରହ୍ମସାରୀ ଗାଁରେ ଥିବା ନିଜର ଗୋଟିଏ କୋଠରୀ ବିଶିଷ୍ଟ ଘରର ଦୁଆର ପାଖରେ ବସି ୩୦ ବର୍ଷୀୟା ଶୋଭା ତାଙ୍କର ୬ ବର୍ଷର ପୁଅ ଆୟୁଷ କିଭଳି ଅସୁସ୍ଥ ହୋଇପଡ଼ିଥିଲା ତାହା ମନେ ପକାଇଲେ। ସେ କହିଲେ, ‘‘ତାକୁ ଜ୍ୱର ହୋଇଥିଲା ଏବଂ ପରେ ସେ ପେଟରେ ଯନ୍ତ୍ରଣା ନେଇ ଅଭିଯୋଗ କଲା।’’
୨୦୨୧ ଜୁଲାଇ ମାସର ଶେଷ ଆଡ଼କୁ ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାରେ ଥିବା ସେମାନଙ୍କର ଗାଁ ବର୍ଷାପାଣିରେ ବୁଡ଼ି ଯାଇଥିଲା। ବନ୍ୟା ସେଠାରେ ଅସାଧାରଣ କଥା ନଥିଲା। ସେ କହିଲେ, “ଏହା ପ୍ରତିବର୍ଷ ହୋଇଥାଏ। ପାଣି ନିଷ୍କାସନ ଲାଗି କୌଣସି ରାସ୍ତା ନାହିଁ।’’
ପ୍ରତି ଥର ବର୍ଷା ହେଲେ ବ୍ରହ୍ମସାରୀ ପାଣିରେ ବୁଡ଼ି ଯାଇଥାଏ ଏବଂ ଖୋଲାରେ ମଳତ୍ୟାଗ କରିବା, ପୂରା ଗାଁରେ ପଡ଼ିରହିଥିବା ଆବର୍ଜନା ଯୋଗୁ ପାଣିରେ ଗୋବର, ମଣିଷର ମଳ ମିଶିଯାଇଥାଏ । ଶୋଭା କହିଲେ, “ପାଣିରେ ମଲା ପୋକ, ମଶା ପ୍ରଭୃତି ଥାଆନ୍ତି । ମଇଳା ପାଣି ଆମ ଘର ମଧ୍ୟକୁ ପ୍ରବେଶ କରେ ଯେଉଁଠାରେ ଆମେ ଖାଦ୍ୟ ରୋଷେଇ କରୁ ।’’ “ଆମେ ପିଲାମାନଙ୍କୁ ଅଟକାଇବା ଲାଗି ଯେତେ ଚେଷ୍ଟା କଲେ ମଧ୍ୟ ପିଲାମାନେ ପାଣିରେ ଖେଳିଥାନ୍ତି । ବର୍ଷା ଦିନରେ ଏଠାରେ ଲୋକମାନେ ବହୁତ ରୋଗରେ ପଡ଼ିଥାନ୍ତି।’’
ଗତବର୍ଷ ଏହା ତାଙ୍କ ପିଲାର ପାଳି ଥିଲା । ଶୋଭା କହିଲେ, ‘‘ଆମେ ତାକୁ ପ୍ରଥମେ ବରହାଲଗଞ୍ଜ ଓ ସିକ୍ରିଗଞ୍ଜରେ ଥିବା ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ଉଦ୍ୟମ କଲୁ- କିନ୍ତୁ କିଛି ସଫଳତା ମିଳିଲା ନାହିଁ ।’’
ଏହାପରେ ଜ୍ୱର ଆସିବାର ପ୍ରାୟ ସପ୍ତାହେ ପରେ ଶୋଭା ଆୟୁଷଙ୍କୁ ମାତ୍ର ୭ କିମି ଦୂରରେ ବେଲଘାଟରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି)କୁ ନେଇଗଲେ । ସେଠାରେ ତାକୁ ବ୍ରହ୍ମସାରୀଠାରୁ ୫୦ କିମି ଦୂରରେ ଥିବା ନିକଟବର୍ତ୍ତୀ ସହର ଗୋରଖପୁରର ବାବା ରାଘବ ଦାସ ମେଡିକାଲ କଲେଜ (ବିଆର୍ଡି ମେଡିକାଲ କଲେଜ) କୁ ରେଫର କରାଗଲା ।










