ନିଃସଙ୍ଗ ଜୀବନଯାପନ ଜିଗର ଦେଦ୍ଙ୍କର ଭାଗ୍ୟ ପାଲଟି ଯାଇଛି । ସେ ଶ୍ରୀନଗରର ଡାଲ୍ ହ୍ରଦର ଏକ ଘାଟରେ ତାଙ୍କର ହାଉସ୍ବୋଟ୍ ନିକଟରେ ଥିବା ଏକ କୁଡିଆ ଘରେ ଏକଲା ରୁହନ୍ତି । ପ୍ରଥମେ ତାଙ୍କର ସ୍ୱାମୀ ଓ ତାପରେ ତାଙ୍କର ପୁଅ, ଜଣଙ୍କ ପରେ ଜଣେ ଆରପାରିକୁ ଚାଲିଗଲେ, ଏ ମଧ୍ୟରେ ତିନି ଦଶନ୍ଧି ସମୟ ବିତିଗଲାଣି ଆଉ ଏହି ଦୀର୍ଘ ସମୟ ମଧ୍ୟରେ ସେ ଅନେକ ଦୁଃଖକଷ୍ଟର ସମ୍ମୁଖୀନ ହୋଇଛନ୍ତି ।
ଅଥଚ, ସେ କୁହନ୍ତି ଯେ, “ଗତ ୩୦ ବର୍ଷ ହେବ ମୁଁ ଏପରି ନିଃସଙ୍ଗ ଜୀବନଯାପନ କରି ଆସୁଛି, ହେଲେ ଗତ ବର୍ଷ ପରି ପ୍ରତିକୂଳ ପରିସ୍ଥିତିର ସାମନା କେବେ ମଧ୍ୟ କରିବାକୁ ପଡିନଥିଲା। ସଟ୍ଡାଉନ୍ ପରେ, ଯେତେବେଳେ ପର୍ଯ୍ୟଟକମାନେ ପୁଣିଥରେ ଆସିବାକୁ ଆରମ୍ଭ କଲେ, ସେତେବେଳେ ଏଇ କରୋନା ଆସିଗଲା ଓ ତାପରେ ତାଲାବନ୍ଦ, ଯାହାଯୋଗୁଁ ଆମେ ସମସ୍ତେ ଏକ ଯନ୍ତା ଭିତରେ ବନ୍ଦୀ ହୋଇଗଲୁ’’।
ଅଗଷ୍ଟ ୫,୨୦୧୯ରେ ସରକାର ଯେତେବେଳେ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କଲେ, ତାହାର ପରବର୍ତ୍ତୀ ସମୟରେ ଲାଗୁ କରାଯାଇଥିବା ସଟ୍ଡାଉନ୍ ଯୋଗୁଁ ବ୍ୟାପକ କ୍ଷତି ସହିବାକୁ ପଡୁଛି । “ତା’ପର ଠାରୁ ମୁଁ ଗୋଟଏ ମଧ୍ୟ ଗ୍ରାହକଙ୍କୁ ଏଠାରେ ଦେଖିନି,” ବୋଲି ଜିଗର୍ କୁହନ୍ତି। ସେହି ସମୟରେ ଏକ ସରକାରୀ ପରାମର୍ଶ ଯେଉଁଥିରେ ସମସ୍ତ ଅଣ-ସ୍ଥାନୀୟ ନିବାସୀଙ୍କୁ ସେହି ସ୍ଥାନ ଛାଡି ଚାଲିଯିବାକୁ କୁହାଯାଇଥିବା ତାହାର ପ୍ରଭାବରେ ସମସ୍ତ ପର୍ଯ୍ୟଟକ ମଧ୍ୟ ଉପତ୍ୟାକା ଛାଡି ଚାଲିଯାଇଥିଲେ। “ଏହା ଫଳରେ ଆମ ଅଚାନକ୍ ନିଃସ୍ୱ ହୋଇଗଲୁ” ବୋଲି ସେ କୁହନ୍ତି। “ଏଥିଯୋଗୁଁ ଆମ ବ୍ୟବସାୟର ବ୍ୟାପକ କ୍ଷତି ସାଧନ ହେଲା। ମୋର ବିଧ୍ୱସ୍ତ ଜୀବନକୁ ଏହା ଆହୁରି ଅଧିକ ବିପର୍ଯ୍ୟସ୍ତ କରିଦେଲା।
ସେ ସେହି ସର୍ବନାଶ କଥା, ଯାହା ତାଙ୍କୁ ଏହି ନିଃସଙ୍ଗତା ମଧ୍ୟକୁ ଠେଲି ଦେଇଥିବା, ତାହା ପରିଷ୍କାର ଭାବେ ମନେପକାନ୍ତି; “ମୋର ଭଉଣୀର ନିର୍ବନ୍ଧ କାର୍ଯ୍ୟ ଚାଲିଥାଏ ଓ ଆମ ପରିବାରର ସମସ୍ତେ ସେଠାରେ ଏକତ୍ରିତ ହୋଇଥିଲୁ ଖୁସିରେ ଗାଉଥିଲୁ ଓ ନାଚୁଥିଲୁ,” ବୋଲି ଜିଗର୍, ଯିଏ ତାଙ୍କର ବୟସ ୮୦ରୁ ଅଧିକ ବୋଲି ଆକଳନ କରନ୍ତି, କୁହନ୍ତି। “ମୋର ସ୍ୱାମୀ ଅଲ୍ଲୀ ମହମ୍ମଦ୍ ଥୁଲା ମୋ ପାଖକୁ ଆସିଲେ ଓ ତାଙ୍କ ଛାତିରେ ଯନ୍ତ୍ରଣା ହେଉଛି ବୋଲି ମତେ କହିଲେ। ଆଉ ତା’ପରେ, ମୁଁ ତାଙ୍କୁ ମୋର କୋଳରେ ଧରିଲି, ମୁଁ ଅନୁଭବ କଲି ଯେ ତାଙ୍କର ଶରୀର କ୍ରମଶଃ ଶୀତଳ ହେଉଛି--- ସେହି ସମୟରେ ମତେ ଏପରି ଅନୁଭବ ହେଲା ସତେ ଯେପରି ପୂରା ଆକାଶ ମୋ ଉପରେ ଲଦି ହୋଇଯାଇଛି।
୫୦ରୁ ଅଧିକ ବର୍ଷ ବୟସ୍କ ଅଲ୍ଲୀ ମହମ୍ମଦ, ଜିଗର ଓ ମଞ୍ଜୁରକୁ ପଛରେ ଛାଡ଼ିଦେଇ, ସେମାନଙ୍କର ଏକମାତ୍ର ସନ୍ତାନକୁ ଦୁଃଖରେ କାଳାତିପାତ କରିବାକୁ ଛାଡିଦେଇ ଆରପାରିକୁ ଚାଲିଯାଇଥିଲେ। ମନ୍ନା, ଯେଉଁ ନାମରେ ଜିଗର୍ ତାଙ୍କ ପୁଅକୁ ଡାକନ୍ତି, ତାକୁ ସେତେବେଳେ ମାତ୍ର ୧୭ ବର୍ଷ ହୋଇଥିଲା। ଆଉ ସେମାନଙ୍କର ଏକ ପାରିବାରିକ ହାଉସ୍ବୋଟ୍ ଥିଲା, ଏକ ଚାରି-ବଖରା ବିଶିଷ୍ଟ ଇନ୍ଦୁରା, ଯାହା ସେମାନଙ୍କ କୁଡିଆ ଆରପାଖରେ ଥିବା ଏକ ସେତୁରେ ପାର୍କ କରାଯାଇଥିଲା।
"ଯେତେବେଳେ ମଧ୍ୟ ମୋର ପୁଅ ପର୍ଯ୍ୟଟକମାନଙ୍କୁ ଆମ ବୋଟ୍କୁ ଆଣିବାକୁ ଯାଉଥିଲା, ସେତେବେଳେ ସେ ଆମର ପଡୋଶୀମାନଙ୍କୁ ମୋର ଯତ୍ନ ନେବାକୁ କହୁଥିଲା, କାରଣ ମୁଁ ତା’ର ବାପାଙ୍କୁ ମନେ ପକାଇ କାନ୍ଦିବି ବୋଲି ସେ ଜାଣିଥିଲା,” ବୋଲି ଜିଗର ତାଙ୍କର ଗୋଟିଏ ବଖରା ବିଶିଷ୍ଟ କୁଡିଆରେ ଏକ ଖଟ ଉପରେ ବସି, ଦ୍ୱାର ବାଟେ ବାହାରକୁ ଦେଖିବାବେଳେ କହିଲେ। କାଠ କାନ୍ଥରେ ତାଙ୍କର ସ୍ୱାମୀ ଓ ପୁଅର ଫଟୋ ଝୁଲୁଥିଲା ।
ଅଲ୍ଲୀଙ୍କ ମୃତ୍ୟୁ ଜନିତ ଦୁଃଖରୁ ବାହାରିବା ପାଇଁ ସେ ନିଜର ସଂଘର୍ଷ ଜାରି ରଖିଥିବା ବେଳେ ମଞ୍ଜୁରର ମଧ୍ୟ ନିଧନ ହୋଇଗଲା, ଠିକ୍ ସାତ ମାସ ପରେ. । ଜିଗର୍ ମୃତ୍ୟୁର ତାରିଖ ବା କାରଣ ମନେ ପକାଇ ପାରୁନାହାନ୍ତି, ହେଲେ, ବାପାକୁ ହରାଇବାର ଦୁଃଖରେ ଭାରାକ୍ରାନ୍ତ ହୋଇ ତାଙ୍କର ଯୁବ ପୁଅ ଜୀବନ ହାରିଥିବା ସେ ବିଶ୍ୱାସ କରନ୍ତି ।
“ମୋର ଆଖି ସାମନାରେ ମୋର ସମ୍ପୂର୍ଣ୍ଣ ଦୁନିଆ ଓଲଟିଗଲା,” ବୋଲି ସେ କୁହନ୍ତି । “ ମୋ ଜୀବନର ଦୁଇଜଣ ହିରୋ ମତେ ସମ୍ପୂର୍ଣ୍ଣ ଏକଲା କରି ଚାଲିଗଲେ, ସେମାନଙ୍କର ସ୍ମୃତିଭରା ଏହି ହାଉସ୍ବୋଟ୍ ସହିତ । “ଏଗୁଡିକ ,ସବୁବେଳେ ମତେ ଆନ୍ଦୋଳିତ କରୁଛି । ମୋର ଅସୁସ୍ଥତା କାରଣରୁ ଅତୀତର ଅଧିକାଂଶ ଘଟଣା କ୍ରମଶଃ ଆଉ ମନେ ପଡୁନି, ହେଲେ ଯେଉଁଗୁଡିକ ସବୁବେଳେ ମତେ ଆନ୍ଦୋଳିତ କରୁଛି ତାହା ଆଜି ମଧ୍ୟ ସତେଜ ରହିଛି ।











