ପ୍ରତିଦିନ ସକାଳେ ବିଭିନ୍ନ ଗାଁରୁ ବିଶେଷ କରି ଆଦିବାସୀ ଓ ଦଳିତ ସଂପ୍ରଦାୟର ଲୋକମାନେ ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଥିବା ମାଣିକପୁର ରେଲୱେ ଜଙ୍କସନକୁ ଆସିଥାନ୍ତି । ସେମାନେ ସେୟାର ଜିପ୍ ଏବଂ ଅଟୋରିକ୍ସା ବା ବାଇସାଇକେଲ ମାଧ୍ୟମରେ ୧୦୦ କିମି ପରିସୀମା ମଧ୍ୟରେ ଥିବା ଗାଁରୁ ଆସିଥାନ୍ତି । ସାଙ୍ଗରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସୀମାରେ ଥିବା ପାଠା ଜଙ୍ଗଲରୁ ଶହ ଶହ ବିଡ଼ା ଜାଳେଣୀକାଠ ଆଣିଥାନ୍ତି । ପ୍ରତ୍ୟେକ ବିଡ଼ାର ଓଜନ ୨୦-୫୦ କିଲୋ ମଧ୍ୟରେ ହେବ ।
ସେହି ସବୁ ପରିବାର ପାଇଁ ଜାଳେଣୀ କାଠକୁ ନିକଟସ୍ଥ ବଜାରରେ ବିକ୍ରି କରିବା ଏକ ଧାର୍ଯ୍ୟ ଆୟର ସ୍ରୋତ । ଯଦିଓ ବୃକ୍ଷ ସଂରକ୍ଷଣ ସଂପର୍କିତ ଆଇନ ଗଛ କଟାଯିବାକୁ ବିରୋଧ କରେ, କିନ୍ତୁ ସ୍ଥାନୀୟ ସଂପ୍ରଦାୟର ଲୋକମାନେ ଯେଉଁମାନେ ଜାଳେଣୀକାଠ ବିକ୍ରି କରିବା ଉପରେ ନିର୍ଭର କରନ୍ତି ସେମାନଙ୍କ ନିକଟରେ ଖୁବ୍ କମ୍ ବା ଚାଷପୋଯୋଗୀ ଜମି ନାହିଁ । ସେମାନଙ୍କର ଏକମାତ୍ର ନିୟମିତ ରୋଜଗାରର ଉତ୍ସ ହେଲା ନିକଟବର୍ତ୍ତୀ ସହରରେ ନିର୍ମାଣ ସ୍ଥାନମାନଙ୍କରେ ଦିନ ମଜୁରୀ କରିବା ।
ସେମାନେ ଜାଳେଣୀ କାଠର ବିଡ଼ା ମୁଖ୍ୟତଃ କେନ୍ଦୁ ଓ ପଳାଶଗଛର କାଠକୁ ମାଣିକପୁର, କାରୱି(ମାଣିକପୁରରୁ ୩୦ କିମି ଦୂର) କିମ୍ବା ପ୍ରାୟ ୮୦ କିମି ଦୂର ଶଙ୍କରଗଡ଼ରୁ ପାସେଞ୍ଜର ଟ୍ରେନ୍ ମାଧ୍ୟମରେ ଆହ୍ଲାବାଦ ରୁଟ୍ରେ ପଡୁଥିବା ବିଭିନ୍ନ ସହରକୁ ନେଇଥାନ୍ତି ।
ଦିନ ଶେଷରେ ସେମାନେ ୧୫୦-୩୦୦ ଟଙ୍କା ମଧ୍ୟରେ ରୋଜଗାର କରିଥାନ୍ତି । ଜାଳେଣୀ କାଠ କେତେ ଶୁଖିଲା, ତାର ଗୁଣବତ୍ତା କିପରି ଏବଂ ସେହି ଋତୁରେ ଜାଳେଣୀକାଠର ଚାହିଦା ଉପରେ ସେମାନଙ୍କର ଏହି ରୋଜଗାର ନିର୍ଭର କରିଥାଏ ।
ଏହି ଆଲେଖ୍ୟରେ କୌଣସି ନାମ ବ୍ୟବହାର କରାଯାଇନାହିଁ କାରଣ ଜାଳେଣିକାଠ ବିକାଳୀମାନେ ସେମାନଙ୍କର ନାମ ପ୍ରକାଶ କରିବାକୁ ଅନିଚ୍ଛୁକ ।
ଅନୁବାଦ: ଓଡ଼ିଶାଲାଇଭ୍