ଭଙ୍ଗା ହାତରେ ବନ୍ଧା ହୋଇଥିବା ଫିତାଟି ତାଙ୍କୁ ହଇରାଣ କରୁଥିଲା । ସେ ତାକୁ ବାହାର କରିଦେଲେ, ମୁଣ୍ଡର ଟୋପିକୁ ସଜାଡ଼ି ନେଲେ ଏବଂ ତାଙ୍କ ନୀଳ ରଙ୍ଗର ଡାଏରୀ ଓ କଲମକୁ ଖୋଜିବାରେ ଲାଗିଲେ । ସେ ତରତର ହେଉଥିଲେ ।
“ମାଝାନାୱ ନାରାୟଣ ଗାଏକୱାଡ଼ । ମି କୋଲ୍ହାପୁରାତନା ଆଲୋୟ । ତୁହ୍ମି କୁଠୁନ୍ ଆଲେ?( ମୋର ନାଁ ନାରାୟଣ ଗାଏକୱାଡ଼। ମୁଁ କୋହ୍ଲାପୁରରୁ ଆସିଛି । ତୁମେ କେଉଁଠାରୁ ଆସିଛ ?)”, କୋହ୍ଲାପୁର ଜାମ୍ଭଲି ଗାଁର ଏହି ୭୩ ବର୍ଷୀୟ କୃଷକ ଜଣକ ପଚାରିଲେ।
ଖରାରୁ ବର୍ତ୍ତିବା ପାଇଁ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଲାଗିଥିବା ଏକ ତମ୍ବୁରେ ଆଶ୍ରୟ ନେଇଥିବା ଅହମ୍ମଦନଗର ଜିଲ୍ଲାର ଦଳେ ଆଦିବାସୀ କୃଷକମାନଙ୍କ ଉଦ୍ଦେଶ୍ୟରେ ସେ ଏହି ପ୍ରଶ୍ନ ପଚାରିଲେ । ଜାନୁଆରୀ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ନୂତନ କୃଷି ଆଇନଗୁଡ଼ିକ ବିରୋଧରେ ପ୍ରତିବାଦ କରିବା ଲାଗି ମହାରାଷ୍ଟ୍ରର ୨୧ଟି ଜିଲ୍ଲାରୁ ଆସିଥିବା କୃଷକମାନଙ୍କ ମଧ୍ୟରେ ସେମାନେ ସମସ୍ତେ ଥିଲେ । ହାତ ଭାଙ୍ଗିଯାଇଥିବା ସତ୍ତ୍ୱେ ଶିରୋଲ ତାଲୁକା ଅନ୍ତର୍ଗତ ତାଙ୍କ ଗାଁରୁ ପ୍ରାୟ ୪୦୦ କିଲୋମିଟର ଯାତ୍ରା କରିଥିଲେ ନାରାୟଣ । ଗାଁରେ ତାଙ୍କର ତିନି ଏକର ଜମି ରହିଛି ।
ନିଜ ପରିଚୟ ଦେଇସାରିବା ପରେ ସେ ଓ ତାଙ୍କ ଗାଁର ଅନ୍ୟମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ କହିବା ଆରମ୍ଭ କଲେ ନାରାୟଣ । ଜାନୁଆରୀ ୨୫ରେ ଆମର ସାକ୍ଷାତ ଅବସରରେ ସେ ମୋତେ କହିଥିଲେ. “ମୁଁ ଜଣେ ଚାଷୀ ଏବଂ ଏହି ସବୁ ସମସ୍ୟା ସହ ନିଜକୁ ଯୋଡ଼ିପାରିବି ।” ତାଙ୍କର ଭଙ୍ଗା ଡାହାଣ ହାତରେ ସେ ମରାଠୀରେ କିଛି ଲେଖି ରଖୁଥିଲେ। ଦେହହାତ ହଲାଇବା ଯୋଗୁଁ ତାଙ୍କୁ କଷ୍ଟ ହେଉଥିଲେ ବି ସେ କହିଲେ, “କୃଷକ ଓ କୃଷି ଶ୍ରମିକମାନଙ୍କର ସଂଘର୍ଷକୁ ବୁଝିବା ଗୁରୁତ୍ୱପୂର୍ଣ୍ଣ ଏବଂ ତେଣୁ, ମୁଁ ସେମାନଙ୍କ ସମସ୍ୟା ସଂପର୍କରେ ଶୁଣେ ।”
ପରେ, ସେ ମୋତେ କହିଲେ ଯେ ଆଜାଦ ମଇଦାନରେ ୧୦ଟି ଜିଲ୍ଲାରୁ ଆସିଥିବା ୨୦ ଜଣ ଚାଷୀଙ୍କ ସହିତ ସେ କଥାବାର୍ତ୍ତା କରିଛନ୍ତି ।
ଜାନୁଆରୀ ମାସ ପ୍ରଥମ ସପ୍ତାହରେ ସେ ନିଜ କ୍ଷେତରେ କାମ କରୁଥିବା ବେଳେ ତାଙ୍କ ଉପରେ ଗୋଟିଏ ନଡ଼ିଆ ବାହୁଙ୍ଗା ଖସିପଡ଼ିବାରୁ ତାଙ୍କ ହାତରେ ଆଘାତ ଲାଗିଥିଲା । ସେ ଆଖୁ ଓ ଯଅ ଚାଷ କରନ୍ତି । ସେ ମଧ୍ୟ ରାସାୟନିକ ସାର ପ୍ରୟୋଗ ନକରି ପନିପରିବା ଚାଷ କରନ୍ତି । ପ୍ରଥମେ ସେ ତାଙ୍କ ହାତରେ ଲାଗିଥିବା ଆଘାତକୁ ଧ୍ୟାନ ଦେଲେ ନାହିଁ ଏବଂ ସପ୍ତାହକ ପରେ ବି ଯେତେବେଳେ ଯନ୍ତ୍ରଣା କମିଲା ନାହିଁ, ସେ ଜାମ୍ଭଲିର ଜଣେ ଘରୋଇ ଡାକ୍ତରଙ୍କ ପାଖକୁ ଗଲେ । ସେ କହିଲେ, “ଡାକ୍ତର ପରୀକ୍ଷା କରି ଦେଖିଲେ ଏବଂ କହିଲେ ଯେ ମାଂସପେଶୀ ଟାଣି ହୋଇଯାଇଛି । ସେ ମୋତେ ହାତରେ ଗୋଟିଏ ପଟ୍ଟି (କ୍ରେପ୍ ବ୍ୟାଣ୍ଡେଜ୍) ବାନ୍ଧିବାକୁ କହିଲେ ।”








