ରାଜେଶ୍ୱରୀ ସି.ଏନ୍. ଜଣେ ସାଧାରଣ ମଲ୍ଟି ଟାସ୍କର ନୁହନ୍ତି । ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୩ରୁ ୬ବର୍ଷ ବୟସର ୨୦ଜଣ ପିଲାଙ୍କୁ ପାଠ ପଢ଼ାନ୍ତି। ଏ ମଧ୍ୟରୁ ଅଧିକାଂଶ ପିଲା ନଗରପାଳିକା ଝାଡ଼ୁଦାର, ଦିନ ମଜୁରିଆ ଶ୍ରମିକ, କୁଲି, ବୁଲାବିକାଳି ଏବଂ କାରଖାନା ସହାୟକମାନଙ୍କ ସନ୍ତାନ । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର କର୍ଣ୍ଣାଟକର ବିଭିନ୍ନ ଅଂଶ କିମ୍ବା ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରୁ ଆସିଛନ୍ତି ।
ସେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ କରନ୍ତି । ଅଞ୍ଚଳରେ ଥିବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ମଧ୍ୟ ରୋଷେଇ କରନ୍ତି । ଯେ କୌଣସି ସମୟରେ ତାଙ୍କ ଦାୟିତ୍ୱରେ ୩-୫ଜଣ ମହିଳା ଥାଆନ୍ତି । ଯେଉଁ ପିତାମାତା ମାଗଣା ଖାଦ୍ୟ ପାଇଁ କାନ୍ଦୁରା ପିଲାମାନଙ୍କୁ ନେଇ ଆସନ୍ତି, ସେ ସେମାନଙ୍କୁ ଖୁଆନ୍ତି ଏବଂ ସେମାନେ କାମକୁ ଯିବା ବେଳେ ପିଲାଙ୍କୁ ଜଗନ୍ତି । ମା’ପିଲାମାନଙ୍କର ଟିକାକରଣ ନିର୍ଦ୍ଧାରିତ ସମୟରେ ହେଉଛି କି ନାହିଁ ତାହା ମଧ୍ୟ ଦେଖନ୍ତି । ଉପରୋକ୍ତ ସମସ୍ତ କାମର ସବିଶେଷ ରେକର୍ଡ ରଖନ୍ତି ଏବଂ ସମୟ କାଢ଼ି ପ୍ରତିଦିନ ଗୋଟିଏ ପରିବାରର ସାଧାରଣ ଭଲମନ୍ଦ ବୁଝିବା ପାଇଁ ଯାଆନ୍ତି ।
ବେଙ୍ଗାଲୁରୁର ବ୍ୟସ୍ତବହୁଳ ଜେ.ସି. ରୋଡରେ ଥିବା ବ୍ୟାୟାମଶାଳା କଲୋନୀ ତାଙ୍କ କାର୍ଯ୍ୟ ପରିସର ମଧ୍ୟରେ ଆସେ । ଏଠାରେ ରହୁଥିବା ହିତାଧିକାରୀ ପରିବାରଗୁଡ଼ିକୁ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ମଧ୍ୟ ସେ ସଚେତନ କରନ୍ତି । ସେମାନଙ୍କ ପାଇଁ ଫର୍ମ ପୂରଣ କରନ୍ତି ଏବଂ ସରକାରୀ ଅଧିକାରୀମାନଙ୍କ ସହ ଯୋଗାଯୋଗ କରନ୍ତି । ଏହାଦ୍ୱାରା ଅନ୍ୟସ୍ଥାନରୁ ଆସି ଏଠାରେ ରହୁଥିବା ପରିବାରଗୁଡ଼ିକ ସ୍ୱାସ୍ଥ୍ୟସେବା ଏବଂ ସରକାରୀ ଯୋଜନାଗୁଡ଼ିକର ସୁଫଳ ପାଇପାରନ୍ତି । ଏ ସବୁ କରିବା ସତ୍ତ୍ଵେ ଅନେକ ତାଙ୍କୁ ଘରୋଇ ଚାକରାଣୀ ବୋଲି ଭାବନ୍ତି । ୪୦ବର୍ଷ ବୟସ୍କା ରାଜେଶ୍ୱରୀ ବିବ୍ରତ ଭାବରେ କୁହନ୍ତି, “ଘରୋଇ ଶିକ୍ଷକମାନେ ଭାବନ୍ତି ଆମେମାନେ କେବଳ ରୋଷେଇ ଓ ବାସନ ସଫା କରୁ । ସେମାନଙ୍କ ଅନୁଯାୟୀ ମୋର ଶିକ୍ଷାଦାନର କୌଣସି ଅଭିଜ୍ଞତା ନାହିଁ ।










