ଏହା ଠିକ୍ ୧୯୯୮ର ଏକ ଆଦୃତ ଚଳଚ୍ଚିତ୍ର,ଏ ବଗ୍ସ ଲାଇଫ୍ର ପରବର୍ତ୍ତୀ ଅଧ୍ୟାୟ ସଦୃଶ । ମୂଳ ହଲିଉଡ୍ ସିନେମାରେ, ଫ୍ଲିକ୍ ନାମକ ଗୋଟିଏ ପିମ୍ପୁଡ଼ି, ପିମ୍ପୁଡ଼ି ଦ୍ଵୀପ ବା ‘ଆଣ୍ଟ୍ ଆଇଲ୍ୟାଣ୍ଡ’ରେ ରହୁଥିବା ନିଜ ବଂଶଧରମାନଙ୍କୁ ଆକ୍ରମଣକାରୀ ଝିଣ୍ଟିକାମାନଙ୍କ କବଳରୁ ରକ୍ଷା କରିବା ସକାଶେ ବଳିଷ୍ଠ ଯୋଦ୍ଧାମାନଙ୍କୁ ନିୟୋଜିତ କରିବାକୁ ଚାହୁଁଛି ।
ଭାରତରେ ଏହି ଚଳଚ୍ଚିତ୍ରର ବାସ୍ତବଧର୍ମୀ ପରବର୍ତ୍ତୀ ଅଧ୍ୟାୟରେ ଲକ୍ଷ ଲକ୍ଷ କୋଟି କଳାକାର ଅଭିନୟ କରିଛନ୍ତି - ଯେଉଁଥିରୁ ମଣିଷଙ୍କ ସଂଖ୍ୟା ୧୩୦ କୋଟି । ପଙ୍ଗପାଳ ନାଁରେ ସୁପରିଚିତ ସେହି କ୍ଷୁଦ୍ର ଶୃଙ୍ଗ ବିଶିଷ୍ଟ ଆକ୍ରମଣକାରୀ ଝିଣ୍ଟିକାମାନେ ଏ ବର୍ଷ ମେ ମାସରେ ପହଞ୍ଚିଲେ । ପ୍ରତିଟି ପଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଥିଲେ । ସେମାନେ ବିହାର, ଗୁଜରାଟ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର ପ୍ରାୟ ଅଢ଼େଇ ଲକ୍ଷ ଏକର ଜମିରେ ଚାଷ କରାଯାଇଥିବା ଫସଲ ନଷ୍ଟ କରିଦେଇଥିଲେ ବୋଲି ଦେଶର କୃଷି କମିସନର କହିଛନ୍ତି ।
ଏହି ଉଡ଼ନ୍ତା ଆକ୍ରମଣକାରୀମାନଙ୍କ ପାଇଁ ଜାତୀୟ ସୀମାରେଖା ଅର୍ଥହୀନ ହୋଇପଡ଼େ । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ଅନୁସାରେ, ପଶ୍ଚିମ ଆଫ୍ରିକାରୁ ଭାରତ ପର୍ଯ୍ୟନ୍ତ ୩୦ଟି ଦେଶର ୧ କୋଟି ୬୦ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ ପଙ୍ଗପାଳ ରହିଛନ୍ତି । ଏବଂ ୧ ବର୍ଗ କିଲୋମିଟର ବ୍ୟାପୀ ୪ କୋଟି ପଙ୍ଗପାଳଙ୍କର ଗୋଟିଏ ଛୋଟିଆ ପଲ ଗୋଟିଏ ଦିନରେ ସେତିକି ଖାଦ୍ୟ ଖାଇପାରନ୍ତି ଯେତିକି ୩୫,୦୦୦ ଲୋକ, ୨୦ଟି ଓଟ କିମ୍ବା ଛଅଟି ହାତୀ ଦିନକରେ ଖାଇପାରନ୍ତି ।
ସୁତରାଂ, ଜାତୀୟ ପଙ୍ଗପାଳ ଚେତାବନୀ ସଂଗଠନର ସଦସ୍ୟ ଭାବରେ ପ୍ରତିରକ୍ଷା, କୃଷି, ଗୃହ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ବେସାମରିକ ବିମାନ ଚଳାଚଳ ଏବଂ ଯୋଗାଯୋଗ ମନ୍ତ୍ରାଳୟର ଅଧିକାରୀମାନେ ସାମିଲ ହେବାରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ।
ହେଲେ, ଏହି ଲେଖାରେ ଆଗକୁ ଆମେ ଦେଖିବା ଯେ, କେବଳ ପଙ୍ଗପାଳମାନେ ହିଁ ଖଳନାୟକ ନୁହଁନ୍ତି । କାରଣ, କୋଟି କୋଟି କୀଟପତଙ୍ଗଙ୍କ ମଧ୍ୟରେ ବିଦ୍ୟମାନ ସୂକ୍ଷ୍ମ ସନ୍ତୁଳନକୁ ବିପଦ ଘେରକୁ ଠେଲି ଦିଆଯାଇଛି । ଭାରତରେ କୀଟ ବିଜ୍ଞାନୀ ଏବଂ ଆଦିବାସୀ ଓ ଅନ୍ୟାନ୍ୟ ଚାଷୀମାନେ ହାନିକାରକ କୀଟମାନଙ୍କୁ ଚିହ୍ନଟ କରୁଛନ୍ତି: ବହୁବିଧ ଏବଂ ବେଳେବେଳେ ବିଦେଶାଗତ ପ୍ରଜାତି ଅନ୍ତର୍ଭୁକ୍ତ । ଜଳବାୟୁ ପରିବର୍ତ୍ତନ କାରଣରୁ ସେମାନଙ୍କ ବାସସ୍ଥଳୀ ନଷ୍ଟ ହୋଇଗଲେ, ଭଲ କୀଟମାନେ- ଅର୍ଥାତ୍ ଖାଦ୍ୟ ଉତ୍ପାଦନରେ ସହାୟକ ‘ହିତକର କୀଟ’ମାନେ- ମଧ୍ୟ ହାନିକାରକ କୀଟରେ ପରିଣତ ହୋଇପାରନ୍ତି ।










