ତାଙ୍କର ପ୍ରାପ୍ୟ ଅର୍ଥ ଦାବି କରିବା ପାଇଁ ସି. ଭେଙ୍କଟ ସୁବା ରେଡ୍ଡି ଯୋଗ ଦେଇଥିବା ଧାରଣାର ଏହା ଷଷ୍ଠ ଧାରଣା ଥିଲା । ୧୮ ମାସରୁ ଅଧିକ ସମୟ ଧରି ଆନ୍ଧ୍ରପ୍ରଦେଶର ୱାଇଏସ୍ଆର୍ ଜିଲ୍ଲାର ଏହି କୃଷକ ତାଙ୍କ ଆଖୁର ଅର୍ଥ ପାଇନାହାନ୍ତି ।
ଫେବୃଆରୀ ୨, ୨୦୨୦ରେ ସୁବା ରେଡ୍ଡି ଆନ୍ଧ୍ରପ୍ରଦେଶ ଆଖୁ ଚାଷୀ ସଂଗଠନ ଦ୍ୱାରା ଆୟୋଜିତ ଧାରଣା (ଷ୍ଟ୍ରାଇକ୍)ରେ ଯୋଗ ଦେବା ପାଇଁ ଚିତ୍ତୁର ଜିଲ୍ଲାରେ ଥିବା ତିରୁପତି ସହରକୁ ପ୍ରାୟ ୧୭୦ କିଲୋମିଟର ବସ୍ରେ ଯାତ୍ରା କରିଛନ୍ତି ।
ସୁବା ରେଡ୍ଡି କହିଥିଲେ, ‘‘ମୟୂର ଚିନି କାରଖାନା ମୁଁ ୨୦୧୮ରେ ଯୋଗାଇଥିବା ଆଖୁ ବାବଦରେ ଟ. ୧.୪୬ ଲକ୍ଷ ବାକି ରଖିଛି । ତାଙ୍କର କମଲ୍ପୁରମ୍ ମଣ୍ଡଳରେ ବିଭାରାମପୁରମ୍ ଗ୍ରାମରେ ୪.୫ ଏକର ଜମି ରହିଛି । ମୟୂର ସୁଗାର ତାଙ୍କୁ ୨୦୧୮-୧୯ ଋତୁରେ ଟନ୍ ପିଛା ଟ. ୨,୫୦୦ ଦେବାର ପ୍ରତିଶ୍ରୁତି ଦେଇଥିଲା ।’’ ‘‘କିନ୍ତୁ କମ୍ପାନୀ ପରେ ଏହି ଦର ଟନ୍ ପିଛା ଟ. ୨,୩୦୦କୁ ହ୍ରାସ କରିଦେଇଥିଲା । ମୁଁ ଠକିଯାଇଥିଲି ।’’
ଆର୍.ବାବୁ ନାଇଡୁ ଯେ କି ଧାରଣାରେ ମଧ୍ୟ ଅଛନ୍ତି, ଏହି ସୁଗାର୍ ମିଲ୍ରୁ ତାଙ୍କର ଟ. ୪.୫ ଲକ୍ଷ ପାଉଣା ପାଇଁ ଅପେକ୍ଷା କରିଛନ୍ତି। ସେ ଚିତ୍ତୁର୍ର ରାମଚନ୍ଦ୍ରପୁରମ୍ ମଣ୍ଡଳରେ ଥିବା ଗଣେଶପୁରମ୍ ଗ୍ରାମରେ ଆଖୁ ଚାଷ କରନ୍ତି । ସେଠାରେ ସେ ଜଣେ ସମ୍ପର୍କୀୟଙ୍କଠାରୁ ଆଠ ଏକର ଭଡ଼ା ନେଇଛନ୍ତି । ସେ ତାଙ୍କର ନିଜ ଜମି ଛାଡ଼ିଛନ୍ତି କାରଣ ଗଭୀର କୂପ ଶୁଖିଯାଇଛି । ସେ କୁହନ୍ତି, ‘‘ମୁଁ ଜମି ଚାଷ କରିବା ପାଇଁ ଟ. ୮୦,୦୦୦ [୨୦୧୯-୨୦ରେ] ପୈଠ କରିଥିଲି । ମୋ ସମ୍ପର୍କୀୟ ମୋଠାରୁ କମ୍ ଭଡ଼ା ନେଇଥିଲେ । ସାଧାରଣତଃ ଏକର ପିଛା ଭଡ଼ା ହେଉଛି ଟ. ୨୦,୦୦୦ ।’’
ବାବୁ ନାଇଡୁଙ୍କର ଥିବା ସମୁଦାୟ ଟ. ୮.୫ ଲକ୍ଷ ମଧ୍ୟରୁ ମୟୂର ସୁଗାର୍ସ ତାଙ୍କୁ ମାତ୍ର ଟ. ୪ ଲକ୍ଷ ପୈଠ କରିଛି । ‘‘ବଳକା ବାକି ପଡ଼ିଛି, ଚାଷୀମାନେ ସେମାନଙ୍କର ଜମି ଚଳାଇବାକୁ ଅର୍ଥ ଆବଶ୍ୟକ କରନ୍ତି ।’’
ଚିତ୍ତୋର ଏବଂ ୱାଇଏସ୍ଆର୍ ଜିଲ୍ଲା (କାଦପା ନାମରେ ମଧ୍ୟ ଜଣାଶୁଣା) ରେ ଆଖୁ ଚାଷୀମାନେ ମୟୂର ସୁଗାର ଦ୍ୱାରା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି | ସୁବା ରେଡ୍ଡୀ କୁହନ୍ତି, "ଆମେ ଆମର ବିରୋଧକୁ ତୀବ୍ର କରିବାକୁ ଚାହୁଁଥିଲୁ’’ କିନ୍ତୁ ଆମେ ତାହା କରିପାରିଲୁ ନାହିଁ। ମାର୍ଚ୍ଚ ୨୦୨୦ରେ କୋଭିଡ -୧୯ ଲକଡାଉନ୍ ସେମାନଙ୍କୁ ଗତ ବର୍ଷ ଅଧିକ ବିରୋଧର ଆୟୋଜନ କରିବାରେ ବାରଣ କରିଥିଲା।










