ଚିତ୍ରାଙ୍କୁ ଭେଟିବାର ତିନି ବର୍ଷ ପୂର୍ବରୁ ମୁଥୁରାଜା ତାଙ୍କ ଉଭୟ ଆଖିର ଦୃଷ୍ଟି ଶକ୍ତି ସମ୍ପୂର୍ଣ୍ଣ ରୂପେ ହରାଇଥିଲେ। ତାଙ୍କ ମନରେ ସେହି ତାରିଖ ଏବଂ ସମୟ ଛାପି ହୋଇରହିଛି - ତାହା ୨୦୧୩ ମସିହା ଜାନୁଆରୀ ମାସ ୧୩ ତାରିଖ ସଂଧ୍ୟା ୭ ଘଟିକା, ପୋଙ୍ଗଲ୍ ପର୍ବର ପୂର୍ବ ରାତି ଥିଲା। ସେ ଯେତେବେଳେ ଅନୁଭବ କଲେ ଯେ ସେ ଆଉ କିଛି ଦେଖି ପାରିବେ ନାହିଁ ତାଙ୍କ ମନରେ ଆଶଂକା ବୃଦ୍ଧି ପାଇଥିଲା।
ପରବର୍ତ୍ତୀ କିଛି ବର୍ଷ ତାଙ୍କ ପାଇଁ ଭୟଙ୍କର ଥିଲା। ସେ ପ୍ରାୟତଃ ଘର ଭିତରେ ରହୁଥିଲେ - କ୍ରୋଧିତ, ବିଚଳିତ ଏବଂ ଅଶ୍ରୁଭରା ରହୁଥିଲେ - ଏବଂ ତାଙ୍କର ଆତ୍ମହତ୍ୟା କରିବାର ଚିନ୍ତାଧାରା ଆସୁଥିଲା। କିନ୍ତୁ ସେ ବର୍ତ୍ତି ଯାଇଥିଲେ। ଚିତ୍ରାଙ୍କୁ ଭେଟିବା ସମୟରେ ସେ ୨୩ ବର୍ଷର ହୋଇଥିଲେ ଏବଂ ଅନ୍ଧ ଥିଲେ ଏବଂ ସେ “ଏକ ମୃତଶରୀର ପରି ଅନୁଭବ କରିଥିଲେ”। ସେ କୋମଳ ସ୍ୱରରେ କୁହନ୍ତି ସେ ହିଁ କେବଳ ତାଙ୍କୁ ବଞ୍ଚିବାର ନୂତନ ଆଶା ଦେଖାଇଥିଲେ।
ସେ ଅନ୍ଧ ହେବା ପୂର୍ବରୁ ଅନେକ ଦୁର୍ଭାଗ୍ୟଜନକ ଦୁର୍ଘଟଣା ମୁଥୁରାଜାଙ୍କ ଦୃଷ୍ଟିଶକ୍ତିକୁ ନଷ୍ଟ କରିଦେଇଥିଲା। ଯେତେବେଳେ ତାଙ୍କୁ ସାତ ବର୍ଷ ହୋଇଥିଲା, ସେ ଏବଂ ତାଙ୍କ ଭଉଣୀ ମଦୁରାଇରେ ଥିବା ସେମାନଙ୍କ ଚାଷ ଜମିରେ ଗୋଲାପ ଗଛ ଲଗାଉଥିଲେ, ଯେଉଁଠାରେ ସେମାନେ ବିକ୍ରୟ ପାଇଁ ଫୁଲ ଚାଷ କରୁଥିଲେ। ଏହା ଗୋଟିଏ ଭୁଲ୍ ଥିଲା - ତାଙ୍କ ଭଉଣୀ ତାଙ୍କ ହାତରୁ ସଠିକ୍ ଭାବରେ ଓପଡା ଯାଇଥିବା ଗଛକୁ ଧରିନଥିଲେ - ଏବଂ କାଣ୍ଡ ତାଙ୍କ ମୁହଁକୁ ଆଘାତ କଲା ଏବଂ କଣ୍ଟା ଆଖିରେ ବିନ୍ଧି ହୋଇଯାଇଥିଲା।
ଛଅ ଟି ଅସ୍ତ୍ରୋପଚାର ପରେ ତାଙ୍କ ବାମ ଆଖିରେ କିଛି ଦୃଷ୍ଟିଶକ୍ତି ମିଳିଥିଲା। ତାଙ୍କ ପରିବାର ସେମାନଙ୍କର ତିନି ସେଣ୍ଟ (୦.୦୩ ଏକର) ଜମି ବିକ୍ରି କରିଦେଇଥିଲେ ଓ ଋଣଗ୍ରସ୍ତ ହୋଇଯାଇଥିଲେ। କିଛି ଦିନ ପରେ, ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ତାଙ୍କର ଭଲ ଥିବା ଆଖିରେ ଆଘାତ ଲାଗିଥିଲା। ତା’ପରେ ମୁଥୁରାଜାଙ୍କ ପାଇଁ ବିଦ୍ୟାଳୟ ଏବଂ ଅଧ୍ୟୟନ କଷ୍ଟସାଧ୍ୟ ଥିଲା - ସେ ବ୍ଲାକବୋର୍ଡକୁ କିମ୍ବା ତା ଉପରେ ଲେଖା ଯାଇଥିବା ଧଳା ଅକ୍ଷରଗୁଡିକୁ ଭଲ ଭାବରେ ଦେଖିପାରୁନଥିଲେ। କିନ୍ତୁ ସେ କୌଣସି ପ୍ରକାରେ ତାଙ୍କ ଶିକ୍ଷକଙ୍କ ସାହାଯ୍ୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ।
୨୦୧୩ ମସିହା ଜାନୁଆରୀ ମାସର ସେହି ଦିନ ମୁଥୁରାଜାଙ୍କ ଦୁନିଆ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଯାଇଥିଲା ଯେତେବେଳେ ତାଙ୍କ ଘର ସାମ୍ନା ରାସ୍ତାରେ ଥିବା ଏକ ଲୁହା ରଡରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା। ସେ ଚିତ୍ରାଙ୍କୁ ଭେଟିବା ପରେ ହିଁ ତାଙ୍କ ଜୀବନକୁ ଆଲୋକ - ଏବଂ ପ୍ରେମ ଫେରିଥିଲା।