୨୦୧୧ରେ ମୁଁ ସେମାନଙ୍କୁ କହିଥିଲି, ଆପଣଙ୍କର ବିଶ୍ୱବିଦ୍ୟାଳୟ, ଅତିକମ୍ରେ ଆଂଶିକ ଭାବେ, ଏପରି ଏକ ଗାଁର ଜମିରେ ରହିଛି ଯାହାର ବାସିନ୍ଦାମାନଙ୍କୁ ବାରମ୍ବାର ସ୍ଥାନାନ୍ତରିତ ହେବାକୁ ପଡ଼ିଛି, ଯାହାକି ଏକ ରେକର୍ଡତୁଲ୍ୟ ହେବ। ତେବେ ଆପଣମାନଙ୍କର ଏଥିରେ କୌଣସି ଭୁଲ ନାହିଁ କିମ୍ବା ଆପଣମାନେ ଏଥିପାଇଁ ଦାୟୀ ନୁହନ୍ତି। ତେବେ ଆପଣମାନେ ଏହାକୁ ସମ୍ମାନ ଦେବା ଉଚିତ୍।
ଏଥିପ୍ରତି ସେମାନଙ୍କ ମନରେ ସମବେଦନା ମଧ୍ୟ ଜାଗ୍ରତ ହୋଇଥିଲା- ଯଦିଓ ସେମାନେ ଏହା ଶୁଣି ସାମାନ୍ୟ ମାନସିକ ଆଘାତ ପାଇଥିଲେ- ସେମାନେ ଥିଲେ କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନୁସନ୍ଧିତ୍ସୁ ଏବଂ ଏକାଗ୍ର ଛାତ୍ରଛାତ୍ରୀ। ସେମାନେ ମୁଖ୍ୟତଃ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ଆସିଥିଲେ। ଆଉ ଚିକାପାରର କାହାଣୀ ସେମାନଙ୍କୁ ମାନସିକ ଭାବେ ଆଘାତ ଦେଇଥିଲା। ଏକଚାଟିଆ ଭାବେ ଏ ଗାଁକୁ ତିନି ଥର ବିସ୍ଥାପନ କରାଯାଇଥିଲା। ପ୍ରତ୍ୟେକ ଥର କେବଳ ‘ବିକାଶ’ ନାଁରେ।
ମୋର ୧୯୯୩ ମସିହାର ଶେଷ ଭାଗ ଏବଂ ୧୯୯୪ ମସିହାର ଆରମ୍ଭ ସମୟ କଥା ମନେ ପଡ଼ିଲା, ଏହି ସମୟରେ ଜଣେ ଗଦବା ଆଦିବାସୀ ମହିଳା ମୁକ୍ତା କଦମ (ଉପରେ ଶୀର୍ଷକ ଫଟୋରେ ନିଜ ନାତି ସହ), ମୋତେ କହିଥିଲେ ଯେ ସେମାନଙ୍କୁ ୧୯୬୦ର ଏକ ଅଶାନ୍ତ ମୌସୁମୀ ରାତ୍ରିରେ ଉଚ୍ଛେଦ କରାଯାଇଥିଲା। ମୁଣ୍ଡରେ ଆସବାବପତ୍ର ବୋହି, ଅନ୍ଧକାର ଜଙ୍ଗଲ ରାସ୍ତା ଏବଂ ଅବିଶ୍ରାନ୍ତ ବର୍ଷାରେ ସେ ଓ ତାଙ୍କର ପାଞ୍ଚ ଜଣ ପିଲାମାନେ ଗାଁ ଛାଡ଼ି ଚାଲିଯାଇଥିଲେ। “କୁଆଡ଼େ ଯିବାକୁ ହେବ ଆମେ ଜାଣିନଥିଲୁ କାରଣ ସାହେବ ଲୋକମାନେ ଆମକୁ ଯିବା କହିଥିଲେ। ତାହା ଅତ୍ୟନ୍ତ ଭୟାବହ ସ୍ଥିତି ଥିଲା।”
ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ)ର ଏମଆଇଜି ଫାଇଟର ପ୍ରକଳ୍ପ ପାଇଁ ସେମାନଙ୍କୁ ଗାଁ ଛାଡ଼ିବାକୁ ପଡ଼ିଥିଲା। ଏ ପ୍ରକଳ୍ପ ଓଡ଼ିଶାରେ କେବେ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। କିନ୍ତୁ ସେ ଜମି ସେମାନଙ୍କୁ କେବେ ବି ଫେରାଇ ଦିଆଯାଇନଥିଲା। କ୍ଷତିପୂରଣ? ଚିକାପାରର ବିସ୍ଥାପିତମାନଙ୍କ ପାଇଁ ବହୁ ଦଶନ୍ଧି ଧରି ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିଥିବା ଜଣେ ଦଳିତ ଓ ସାମାଜିକ କର୍ମୀ ଜ୍ୟୋତିର୍ମୟ ଖରା କୁହନ୍ତି, “ମୋ ପରିବାର ପାଖରେ ୬୦ ଏକର ଜମି ଥିଲା। ଏହାର ଅନେକ ବର୍ଷ ପରେ ଆମେ ୧୫,୦୦୦ ଟଙ୍କା କ୍ଷତିପୂରଣ ମୋଟ (ପାଇଲୁ)। ବିସ୍ଥାପିତମାନେ ପୁଣିଥରେ ସେମାନଙ୍କର ଗ୍ରାମ ପ୍ରତିଷ୍ଠା କରିଥିଲେ, ତାହା ପୁଣି ସରକାରଙ୍କ ଜମିରେ ନୁହେଁ ବରଂ ନିଜ ଜମିରେ। ଅତୀତର ସ୍ମୃତିରେ ସେମାନେ ଏହାକୁ ‘ଚିକାପାର’ ନାଁ ଦେଇଥିଲେ।




