ହରିଶଚନ୍ଦ୍ର ଧୱାରେ ନିଜ ମୃତ୍ୟୁର ଦୁଇ ଦିନ ପୂର୍ବରୁ ନିଜ ସ୍ତ୍ରୀ ଜୟଶ୍ରୀଙ୍କୁ କହିଲେ,"ଯଦି ମୁଁ ମରିଯାଏ ଭଲ ହେବ, କିନ୍ତୁ ଆମେ ଏହି ବିଲ୍ ପରିଶୋଧ କରିପାରିବା ନାହିଁ"। କୋଭିଡ - ୧୯ କାରଣରୁ ଏହି ୪୮ ବର୍ଷୀୟ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟର ସାହାଯ୍ୟରେ ରଖାଯାଇଥିଲା।
୩୮ ବର୍ଷୀୟା ଜୟଶ୍ରୀ କୁହନ୍ତି, ସେହି ସମୟରେ, ନିଜ ଜୀବନ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ, ସେ ହସପିଟାଲ୍ର ବିଲ୍କୁ ନେଇ ଚିନ୍ତିତ ଥିଲେ। "ସେ ମୋ ସହ ଝଗଡା କରୁଥିଲେ ଓ କାନ୍ଦୁଥିଲେ"। "ସେ ଘରକୁ ଫେରିଯିବା ପାଇଁ ଜିଦି କରୁଥିଲେ"।
ସାମ୍ବାଦିକ ଭାବରେ ଦୀର୍ଘ କୋଡିଏ ବର୍ଷ କାମ କରିବା ତାଙ୍କ ପକ୍ଷେ କିଛି କମ୍ ନଥିଲା ଯେତେବେଳେ ହରିଶଚନ୍ଦ୍ର ୨୦୨୧ ମାର୍ଚ୍ଚର ଶେଷ ବେଳକୁ କରୋନାରେ ସଂକ୍ରମିତ ହେଲେ। ତାଙ୍କର କାମ ତାଙ୍କୁ ଆହୁରି ଅସୁରକ୍ଷିତ କରିଥିଲା।
ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାର ବିଭିନ୍ନ ଖବରକାଗଜ ସଂସ୍ଥା ପାଇଁ ୨୦୦୧ ମସିହାରୁ ସାମ୍ବାଦିକ ଭାବରେ କାମ କରୁଥିବା ହରିଶଚନ୍ଦ୍ରଙ୍କର ଶେଷ ଖବର କାଗଜ ସଂସ୍ଥା ଥିଲା ଦୈନିକ ମରାଠୀ ରାଜଧର୍ମ। "ସେ କୋଭିଡର ଦ୍ୱିତୀୟ ଲହର ବିଷୟରେ ଖବର ପରିବେଷଣ କରୁଥିଲେ। ଜୟଶ୍ରୀ କୁହନ୍ତି, "ସେ ସାମ୍ବାଦିକ ସମ୍ମିଳନୀଗୁଡିକରେ ଯୋଗ ଦେଉଥିଲେ ଓ ଅନେକ ସମୟରେ ବାହାରେ ରହୁଥିଲେ"। "ସେ ଯେବେବି ବାହାରକୁ ଯାଆନ୍ତି ଆମେମାନେ ଚିନ୍ତିତ ରହୁଥିଲୁ। ସେ ଉଚ୍ଚ ରକ୍ତ ଶର୍କରା[ମଧୁମେହ] ଓ ରକ୍ତଚାପରେ ପୀଡିତ ଥିଲେ। କିନ୍ତୁ ସେ କହୁଥିଲେ ତାଙ୍କୁ ତାଙ୍କ କାମ କରିବାକୁ ପଡିବ।"
ଜୟଶ୍ରୀ କୁହନ୍ତି, ମାର୍ଚ୍ଚ ୨୨ରେ, ଧୱାରେଙ୍କଠାରେ କୋଭିଡର ଲକ୍ଷଣ - ଶରୀର ଯନ୍ତ୍ରଣା ଓ ଜ୍ୱର ଦେଖାଦେଲା। "ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲା ନାହିଁ, ଆମେ ତାଙ୍କୁ ସହରରେ ଥିବା ସିଭିଲ ହସ୍ପିଟାଲ୍କୁ ନେଇଗଲୁ"। ସେ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା। ଜୟଶ୍ରୀ କୁହନ୍ତି, "ସେଠାରେ ସମସ୍ତ ସୁବିଧା ବହୁତ ଭଲ ନଥିଲା, ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ସନ୍ତୋଷ ଜନକ ନଥିଲା"। ତେଣୁ ମାର୍ଚ୍ଚ ୩୧ରେ, ୬୦ କିଲୋମିଟର ଦୂର ସୋଲାପୁରରେ ଥିବା ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପରିବାର ସ୍ଥିର କରିଥିଲେ।
ସେଠାରେ ୬ ଦିନ ଧରି ଚିକିତ୍ସିତ ହେବା ପରେ, ଧୱାରେ ଏପ୍ରିଲ୍ ୬ ତାରିଖ ଦିନ ସକାଳେ ଶେଷ ନିଶ୍ୱାସ ତ୍ୟାଗ କଲେ।









