ସେଦିନ ଟାଣଖରାରେ ୩୯ ବର୍ଷୀୟା ସୁନୀତା ରାଣୀ ପାଖାପାଖି ୩୦ଜଣ ମହିଳା ଥିବା ଏକ ଦଳ ସହିତ କଥା ହେଉଛନ୍ତି, ସେମାନଙ୍କୁ ବହୁ ସଂଖ୍ୟାରେ ଆଗେଇ ଆସିବା ଏବଂ ନିଜ ଅଧିକାର ପୂରଣ କରିବା ଲାଗି ଆମରଣ ଅନଶନ କରିବା ଲାଗି ଆହ୍ୱାନ କରୁଛନ୍ତି । “କାମ ଅଧିକ, ଦରମା କମ୍”, ସୁନୀତା ଖୁବ ଜୋରରେ କହୁଛନ୍ତି। “ଚଳିବ ନାହିଁ ଚଳିବ ନାହିଁ”, ଅନ୍ୟ ମହିଳାମାନେ ଏକାଠି ସ୍ଲୋଗାନ ଦେଉଛନ୍ତି।
ଦିଲ୍ଲୀ-ହରିୟାଣା ଜାତୀୟ ରାଜପଥ କଡ଼ରେ ଥିବା ସୋନିପତ ସହରର ସିଭିଲ ହସ୍ପିଟାଲ ବାହାରେ ଏକ ଘାସ ପଡ଼ିଆରେ ହାଲକା ନାଲି ରଙ୍ଗର ୟୁନିଫର୍ମ ପିନ୍ଧିଥିବା ଏହି ମହିଳାମାନେ ଏକ ପାଲ ଉପରେ ବସି ସୁନୀତାଙ୍କ କଥା ଶୁଣୁଛନ୍ତି। ସେମାନେ ଭୋଗୁଥିବା ସମସ୍ୟାର ତାଲିକା ସୁନୀତା ସେମାନଙ୍କୁ ଦେଉଛନ୍ତି ।
ଏ ମହିଳାମାନେ ହେଉଛନ୍ତି, ଆଶା-ମାନ୍ୟତାପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟକର୍ମୀ, ଯେଉଁମାନେ ଜାତୀୟ ଗ୍ରାମୀଣ ସ୍ଵାସ୍ଥ୍ୟ ମିଶନ (ଏନଆରଏଚଏମ) ପଦାତିକ ସେନାନୀ। ଏମାନଙ୍କ ମାଧ୍ୟମରେ ଦେଶର ଜନ ସ୍ଵାସ୍ଥ୍ୟ ବ୍ୟବସ୍ଥା ସହିତ ଗ୍ରାମାଞ୍ଚଳର ଲୋକମାନେ ଯୋଡ଼ି ହୋଇଥାନ୍ତି। ସାରା ଦେଶରେ ଦଶ ଲକ୍ଷରୁ ଅଧିକ ଆଶା କର୍ମୀ ରହିଛନ୍ତି। ଏମାନେ ଯେକୌଣସି ପ୍ରକାରର ସ୍ଵାସ୍ଥ୍ୟ ଆବଶ୍ୟକତା ଓ ଜରୁରିକାଳୀନ ସ୍ଥିତିରେ ପ୍ରଥମ ସ୍ଵାସ୍ଥ୍ୟକର୍ମୀ ଭାବେ ଉପସ୍ଥିତ ଥାଆନ୍ତି।
ଏମାନଙ୍କୁ ୧୨ଟି ପ୍ରମୁଖ କାର୍ଯ୍ୟଭାର ଏବଂ ୬୦ଟି ଉପ-କାର୍ଯ୍ୟଭାର ଦିଆଯାଇଛି। ଏଥିରେ ପୁଷ୍ଟିସାଧନ, ସ୍ଵଚ୍ଛତା ସଂକ୍ରାମକ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଠାରୁ ଆରମ୍ଭ କରି ଯକ୍ଷ୍ମା ରୋଗୀଙ୍କୁ ଠାବ କରି ଚିକିତ୍ସା ସୁବିଧା ଯୋଗାଇ ଦେବା ଏବଂ ସ୍ଵାସ୍ଥ୍ୟ ସୂଚକାଙ୍କର ରେକର୍ଡ ରଖିବା ପର୍ଯ୍ୟନ୍ତ କାର୍ଯ୍ୟ ସାମିଲ ରହିଛି।
ସେମାନେ ଏସବୁ ଏବଂ ଆହୁରି ଅନେକ କାର୍ଯ୍ୟ କରନ୍ତି। କିନ୍ତୁ ସୁନୀତା କୁହନ୍ତି, “ଆମକୁ ପ୍ରକୃତରେ ଯେଉଁ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦିଆଯାଇଛି-ମାତୃ ଓ ନବଜାତ ଶିଶୁ ସ୍ଵାସ୍ଥ୍ୟରେ ସୁଧାର କାର୍ଯ୍ୟ ଆମେ କରିପାରୁନାହୁଁ। ସୋନିପତ ଜିଲ୍ଲାର ନାଥୁପୁର ଗ୍ରାମରେ ସୁନୀତା କାମ କରନ୍ତି। ସେଠାରେ ୨୯୫୩ ଜନସଂଖ୍ୟା ପାଇଁ ତାଙ୍କ ସହିତ ଆଉ ଦୁଇ ଜଣ ଆଶା କର୍ମୀ ରହିଛନ୍ତି।








