କୃଷକମାନଙ୍କ ପ୍ରତିବାଦ ନିମନ୍ତେ ଦକ୍ଷିଣ ମୁମ୍ବାଇର ଆଜାଦ୍ ମୈଦାନଠାରେ ବସିଥିବା ସମୟରେ ୫୫ ବର୍ଷ ବୟସ୍କ ଶଶିକଳା ଗାଇକୱାଡ୍ କହିଥିଲେ, ‘‘ସାତ ବାରା ବିନା ଆମେ କିଛି କରିପାରିବୁ ନାହିଁ,’’
ତାଙ୍କ ନିକଟରେ ଗୋଟିଏ ତମ୍ବୁ ତଳେ କମଳା ଓ ନାଲି ରଙ୍ଗର ଦରିରେ ୬୫ ବର୍ଷ ବୟସ୍କା ଅରୁଣାବାଇ ସୋନାୱାନେ ବସିଥିଲେ । ସେମାନେ ଉଭୟେ ଜାନୁଆରୀ ୨୫-୨୬ରେ ସମ୍ୟୁକ୍ତ କ୍ଷେତକାରୀ କାମ୍ଗର୍ ମୋର୍ଚ୍ଚା ଦ୍ୱାରା ଆୟୋଜିତ ବିକ୍ଷୋଭ ପାଇଁ ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲ୍ଲାର ଚିମ୍ନାପୁର ଗ୍ରାମରୁ ମୁମ୍ବାଇ ଆସିଥିଲେ ।
ଉଭୟେ ୨୦୦୬ର ଜଙ୍ଗଲ ଅଧିକାର ଆଇନ ଅଧିନରେ ସେମାନଙ୍କର ଜମିର ସ୍ୱତ୍ତ୍ୱାଧିକାର ଦାବି କରିବା ପାଇଁ ଏବଂ ତିନୋଟି ନୂତନ କୃଷି ଆଇନ ବିରୋଧରେ ପ୍ରତିବାଦ କରିବା ପାଇଁ ଏଠାକୁ ଆସିଛନ୍ତି । କନ୍ନଡ଼ ତାଲୁକାରେ ସେମାନଙ୍କ ଗାଁରେ କୃଷି ଶ୍ରମ ହେଉଛି ଉଭୟ ଅରୁଣାବାଇ ଏବଂ ଶଶିକଳାଙ୍କ ନିମନ୍ତେ ଆୟର ମୁଖ୍ୟ ଉତ୍ସ । ସେମାନେ ଭିଲ୍ ଆଦିବାସୀ ସମୂହର ଅନ୍ତର୍ଭୁକ୍ତ । କୃଷି ଶ୍ରମ ସେମାନଙ୍କୁ କାମ ଉପଲବ୍ଧ ଥିବା ସମୟରେ ଦିନ ପିଛା ଟ. ୧୫୦ – ୨୦୦ ମଜୁରୀ ଭାବରେ ଦେଇଥାଏ । ଅରୁଣାବାଇ ମୋତେ କହିଲେ, ‘‘ଆପଣମାନଙ୍କ ପରି ନୁହେଁ, ମୁଁ ଜାଣେ ନାହିଁ ଗୋଟିଏ ମାସରେ ମୁଁ କେତେ ଆୟ କରିବି ।’’
ଉଭୟେ ତିନି ଏକରରେ ମକା ଏବଂ ଯଅ (ସର୍ଘମ୍) ଚାଷ କରନ୍ତି । ସେମାନେ କ୍ୱିଣ୍ଟାଲ୍ ପିଛା ପ୍ରାୟ ଟ. ୧୦୦୦ ରେ ୧୦- ୧୨ କ୍ୱିଣ୍ଟାଲ୍ ଲେଖାଏଁ ମକା ଫସଲ ବିକ୍ରି କରନ୍ତି - ଏବଂ ଯଅକୁ ସେମାନଙ୍କ ପରିବାର ଖାଇବା ପାଇଁ ରଖନ୍ତି । ବାଡ଼ ଦେବା ସତ୍ତ୍ୱେ ସେମାନଙ୍କ ଫସଲ ଅନେକ ସମୟରେ ଜଙ୍ଗଲୀ ବାରାହା, ନୀଳଗାଈ, ଜଙ୍ଗଲୀ ଘୁଷୁରୀ ଏବଂ ମାଙ୍କଡ଼ମାନଙ୍କ ଦ୍ୱାରା ନଷ୍ଟ ହୋଇଯାଏ । ଅରୁଣାବାଇ କୁହନ୍ତି, ‘‘ଯାହାର ବି ଜମି ଅଛି ସେମାନେ ରାତିରେ ଚେଇଁ ରୁହନ୍ତି [ଫସଲ ଜଗିବା ପାଇଁ] ।’’
ଶଶିକଳା ଏବଂ ଅରୁଣାବାଇ ଯେଉଁ ଜମି ଚାଷ କରନ୍ତି ତାହା ଜଙ୍ଗଲ ବିଭାଗର । ଶଶିକଳା କହିଥିଲେ, ‘‘ଗୋଟିଏ ସାତ ବାରା [ଜମି ସ୍ୱତ୍ତ୍ୱାଧିକାରର ରେକର୍ଡ] ବିନା ଆମେ କୌଣସି ସୁବିଧା [ଚାଷ ପାଇଁ] ପାଇବୁ ନାହିଁ । ଜଙ୍ଗଲ ବିଭାଗର ଲୋକମାନେ ମଧ୍ୟ ଆମକୁ ହଇରାଣ କରନ୍ତି। ସେମାନେ ଆମକୁ କୁହନ୍ତି, ଏଠାରେ ଚାଷ କର ନାହିଁ, ସେଠାରେ ତମ ଘର ତିଆରି କର ନାହିଁ, ଯଦି ତୁମେ ଟ୍ରାକ୍ଟର ଆଣିବ, ଆମେ ଜୋରିମାନା ଆଦାୟ କରିବୁ ।’’
ଶଶିକଳା ଏବଂ ଅରୁଣାବାଇ ଦିଲ୍ଲୀ ସୀମାରେ ଥିବା କୃଷକମାନଙ୍କର କୃଷକ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ସମ୍ବର୍ଦ୍ଧନା ଏବଂ ସୁବିଧା) ଅଧିନିୟମ, ୨୦୨୦; ଦର ଆଶ୍ୱାସନା ଏବଂ କୃଷି ସେବା ଅଧିନିୟମ, ୨୦୨୦ ଉପରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧିନିୟମ, ୨୦୨୦କୁ ପ୍ରତ୍ୟାହାର କରିବା ପାଇଁ ଦାବିକୁ ସମର୍ଥନ ଦେବା ପାଇଁ ମଧ୍ୟ ସେମାନେ ଆଜାଦ୍ ମଇଦାନ୍କୁ ଆସିଛନ୍ତି । ଏଗୁଡ଼ିକ ପ୍ରଥମେ ଜୁନ୍ ୫, ୨୦୨୦ରେ ଏକ ଅଧ୍ୟାଦେଶ ଭାବରେ ପାରିତ ହୋଇଥିଲା, ଏହା ପରେ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ ଫାର୍ମ ବିଲ୍ ଭାବରେ ଉପସ୍ଥାପିତ ହୋଇଥିଲା ଏବଂ ସେହି ମାସର ୨୦ ତାରିଖରେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ଆଇନ ଭାବରେ ଲାଗୁ କରାଯାଇଥିଲା ।



