ମଦୁରାଇରେ ଆମ ଘର ସାମ୍ନାରେ ଗୋଟିଏ ବତୀଖୁଣ୍ଟ ଅଛି ଯାହା ସହିତ ମୋର ଅନେକ ସ୍ମରଣୀୟ ଆଳାପ ଆଲୋଚନା ରହିଛି । ମୋର ସେହି ରାସ୍ତାକଡ଼ର ଆଲୋକ ସହିତ ଏକ ବିଶେଷ ସମ୍ପର୍କ ରହିଛି । ଅନେକ ବର୍ଷ ଧରି, ମୁଁ ସ୍କୁଲ୍ ପାଠ ପଢ଼ା ଶେଷ କରିବା ପର୍ଯ୍ୟନ୍ତ, ଆମ ଘରେ ବିଦ୍ୟୁତ୍ ନଥିଲା । ୨୦୦୬ରେ ଯେତେବେଳେ ଆମେ ବିଦ୍ୟୁତ୍ ପାଇଲୁ ଏହା ଆମର ୮ x ୮ ଫୁଟ ଘର ପାଇଁ ଥିଲା ଯେଉଁ ଘରେ ଆମେ ସେ ସମୟରେ ରହୁଥିଲୁ । ଗୋଟିଏ ମାତ୍ର କୋଠରୀ, ଯେଉଁଥିରେ ଆମେ ପାଞ୍ଚ ଜଣ ରହୁଥିଲୁ, ଏହା ମୋତେ ସେହି ରାସ୍ତା କଡ଼ର ଆଲୋକ ଆଡ଼କୁ ଅଧିକ ଆକର୍ଷିତ କରିଥିଲା ।
ମୋ ପିଲା ଦିନେ ଆମେ ବାରମ୍ବାର ଘର ବଦଳାଇଥିଲୁ, ଗୋଟିଏ କୁଡ଼ିଆରୁ ମାଟି ଘର, ଗୋଟିଏ ଭଡ଼ା କୋଠରୀ, ତା’ ପରେ ୨୦ x୨୦ ଫୁଟ ଘର ଯେଉଁଠାରେ ଆମେ ଏବେ ରହୁଛୁ । ଯାହାକୁ ମୋ ପିତାମାତା ୧୨ ବର୍ଷ ଧରି ଇଟା ଉପରେ ଇଟା ଯୋଡ଼ି ତିଆରି କରିଛନ୍ତି । ହଁ, ସେମାନେ ଜଣେ ରାଜମିସ୍ତ୍ରୀଙ୍କୁ କାମ କରିବାକୁ ଦେଇଥିଲେ କିନ୍ତୁ ଏଥିରେ ସେମାନଙ୍କର ନିଜର କଠିନ ପରିଶ୍ରମ ନିହିତ ଥିଲା । ଆମେ ସେହି ଘରକୁ ଚାଲି ଯାଇଥିଲୁ ଯେତେବେଳେ ଏହା ତିଆରି ଚାଲିଥିଲା । ଆମର ସବୁ ଘର ସେହି ବତୀଖୁଣ୍ଟ ନିକଟରେ କିମ୍ବା ଏହା ଦେଖାଯାଉଥିବା ସ୍ଥାନରେ ଥିଲା । ମୁଁ ଚେ ଗୁଭେରା, ନେପୋଲିଅନ୍, ସୁଜାତା, ଅନ୍ୟ ବହିଗୁଡ଼ିକ ଏହାର ଆଲୋକର ବଳୟ ମଧ୍ୟରେ ବସି ପଢ଼ିଥିଲି ।
ଏପରିକି ଏବେବି ସେହି ବତୀଖୁଣ୍ଟ ଏହି ଲେଖାର ସାକ୍ଷୀ ।






























