ଭୂମି ହେଉ କିମ୍ବା ଜଳ, ଉଭୟ କ୍ଷେତ୍ରରେ ଲୋକମାନଙ୍କ ଜୀବନ ବଞ୍ଚାଇବାରେ ସୋହନ ସିଂ ଟୀଟା କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଭୁଲେ ଚକ୍ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ସେ ଯେତେବେଳେ ନିଜର ମୋଟର ବାଇକ ଚଲାଇ ଆସିଥାନ୍ତି, ଏମିତି ଲାଗେ ଯେମିତି ଧୂଆଁ ଓ ବାଦଲ ମଧ୍ୟରେ କେହି ଜଣେ ଦେବଦୂତଙ୍କର ଆବିର୍ଭାବ ହେଉଛି । ଅଧିକାଂଶ ସମୟରେ ସେ ଏହି ଅଞ୍ଚଳରେ ନିଜ ବାଇକରେ ସବୁଜ ପନିପରିବା ବିକ୍ରି କରିଥାନ୍ତି । କିନ୍ତୁ ପାଣିରେ ବୁଡ଼ିବାର କୌଶଳ ପାଇଁ ସେ ସମସ୍ତଙ୍କ ନିକଟରେ ପରିଚିତ । ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଥିବା ନିଜ ଗାଁ ଆଖପାଖ ଅଞ୍ଚଳରେ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲରେ ସୋହନ ପ୍ରାୟତଃ ବୁଡ଼ ଲଗାଇ ଲୋକମାନଙ୍କ ଜୀବନ ବଞ୍ଚାଇଥାନ୍ତି ।
ଗତ ୨୦ ବର୍ଷ ଧରି ଏହି କାମରେ ଲାଗିଥିବା ୪୨ ବର୍ଷ ବୟସ୍କ ସୋହନ କୁହନ୍ତି, ‘‘ଲୋକମାନଙ୍କୁ ବୁଡ଼ିବାରୁ ବଞ୍ଚାଇବା ମୋ କାମ ନୁହେଁ। ମୁଁ କେବଳ ଏହାକୁ କରିଥାଏ। ଆପଣମାନେ ଜାଣନ୍ତି ‘ଜଳ ହିଁ ଜୀବନ’। କିନ୍ତୁ ଏହାର ଅର୍ଥ ମୃତ୍ୟୁ ବୋଲି ମୁଁ ଅନେକ ସମୟରେ ଦେଖିଛି।’’ ଗତ କିଛି ବର୍ଷ ଧରି ସୋହନ ପାଣି ଭିତରୁ ଅଗଣିତ ମୃତଦେହ ବାହାର କରି ଆଣିଛନ୍ତି ।
ଉଭୟ ଗୁରୁଦାସପୁର ଓ ଏହାର ପଡ଼ୋଶୀ ଜିଲ୍ଲା ପଠାନକୋଟରେ, ସୋହନ ସେହି ହାତଗଣତି ଲୋକଙ୍କ ମଧ୍ୟରୁ ଅନ୍ୟତମ ଯାହାଙ୍କୁ କେନାଲରେ ପଡ଼ିଯାଇଥିବା କୌଣସି ବ୍ୟକ୍ତିଙ୍କୁ ବଞ୍ଚାଇବା କିମ୍ବା କୌଣସି ଶବ ବାହାର କରିବା ଲାଗି ସର୍ବପ୍ରଥମେ ଖବର ଦିଆଯାଏ। ଉକ୍ତ ବ୍ୟକ୍ତି ଜଣଙ୍କ ଦୁର୍ଘଟଣାବଶତଃ କେନାଲରେ ପଡ଼ିଯାଇଛନ୍ତି କିମ୍ବା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ଜାଣିବା ଲାଗି ସମୟ ନଥାଏ ବୋଲି ସୋହନ କୁହନ୍ତି । ‘‘କେହି ଜଣେ ବ୍ୟକ୍ତି ପଡ଼ିଯାଇଥିବା ଜାଣିବା କ୍ଷଣି ମୁଁ ତୁରନ୍ତ କେନାଲ ଭିତରକୁ ଡେଇଁଥାଏ। ମୁଁ ସେହି ବ୍ୟକ୍ତିକୁ ଜୀବନ୍ତ ଉଦ୍ଧାର ପାଇଁ ସବୁବେଳେ ଚେଷ୍ଟା କରିଥାଏ।’’ କିନ୍ତୁ ଯଦି ସେ ତାଙ୍କୁ ମୃତ ଭାବେ ଉଦ୍ଧାର କରନ୍ତି, ‘‘ମୁଁ ଚାହେଁ ଯେ ତାଙ୍କର ପରିବାର ଲୋକମାନେ ଥରୁଟିଏ ସେହି ବ୍ୟକ୍ତିଙ୍କ ଶେଷ ଦର୍ଶନ କରି ନିଅନ୍ତୁ ।’’ ଏ କଥା କହିବା ବେଳେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା, ହୁଏତ’ ତାଙ୍କ ମନରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଯିବାର ଦୁଃଖ ଲୁଚି ରହିଥିଲା।
ସୋହନ ପ୍ରତି ମାସରେ କେନାଲରୁ ଅତି କମ୍ରେ ୨-୩ଟି ଶବ ବାହାର କରିଥାନ୍ତି । ତାଙ୍କର ଅନୁଭୂତି ତାଙ୍କୁ ଜୀବନକୁ ଦେଖିବାର ଏକ ଭିନ୍ନ ଦୃଷ୍ଟିକୋଣ ପ୍ରଦାନ କରିଛି। ସେ କୁହନ୍ତି, ‘‘ଜୀବନ ଏକ ଭଉଁରି ଭଳି। ଏହା ଏପରି ଏକ ଚକ୍ର ଯାହା ସମାନ ମୁହୂର୍ତ୍ତରେ ଆରମ୍ଭ ହୋଇ ଶେଷ ହୋଇଯାଏ।’’









