“ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ଆମ ସ୍କ୍ୱାର୍ଡ ଟ୍ରେନ୍ ଉପରେ ଆକ୍ରମଣ କରିଥିଲେ, ଗୋଟିଏର ନେତୃତ୍ୱ ନେଉଥିଲେ ଜି.ଡି ବାପୁ ଲାଡ୍ ଅନ୍ୟଟିର ନେତୃତ୍ୱ ନେଉଥିଲି ମୁଁ। ଠିକ୍ ଯେଉଁଠି ଆମେ ଛିଡା ହୋଇଛନ୍ତି, ଏହିଠାରେ ରେଳଧାରଣାରେ ପଥର ରଖି ଆମେ ଟ୍ରେନ୍ ଅଟକାଇଦେଲୁ। ତା ପରେ ତା ପଛରେ ଆମେ ବୋଲଡର ରଖିଦେଲୁ, ଫଳରେ ତାହା ଯେମିତି ପଛକୁ ଯାଇପାରିବ ନାହିଁ। ଆମ ପାଖରେ କୌଣସି ଗୋଳାବାରୁଦ ନ ଥିଲା, କୌଣସି ଅସ୍ତ୍ରଶସ୍ତ୍ର ନ ଥିଲା, କେବଳ ଥିଲା ଦାଆ, ଲାଠି ଏବଂ ଯୋଡାଏ ଖଣ୍ଡେ ଅନିଶ୍ଚିତ ଦେଶୀ ‘ବୋମା’। ମୁଖ୍ୟ ଗାର୍ଡ ପାଖରେ ଗୋଟିଏ ବନ୍ଧୁକ ଥିଲା, କିନ୍ତୁ ସେ ଭୟଭୀତ ହୋଇଯାଇଥିଲା ଏବଂ ସହଜରେ ନିୟନ୍ତ୍ରଣକୁ ଆସିଗଲା। ଆମେ ଜଞ୍ଜିର ଓ ପେଞ୍ଚ ବାହାର କରିଦେଲୁ।”
ତାହା ଥିଲା ୭୩ ବର୍ଷ ପୂର୍ବରୁ। କିନ୍ତୁ ଲାଡ୍ କହୁଥିବା ‘କ୍ୟାପଟେନ୍ ଭାଉ’ ଶୁଣିବା ଏହା ଗତକାଲିର ଘଟଣା ଭଳି। ଏବେ ଭାଉ(ମରାଠୀରେ ଭାଇ ବା ବଡ ଭାଇ) ବୋଲି ଡକାଯାଉଥିବା ୯୪ ବର୍ଷ ବୟସ୍କ ରାମଚନ୍ଦ୍ର ଶ୍ରୀପତି ଲାଡ୍ ଅତ୍ୟନ୍ତ ସ୍ପଷ୍ଟ ଭାବେ ସେହି ଆକ୍ରମଣ ବାବଦରେ କହୁଛନ୍ତି, ଯାହା ବ୍ରିଟିଶ୍ ରାଜ୍ ସମୟରେ ସରକାରୀ ଅଧିକାରୀଙ୍କ ଦରମା ନେଇ ଆସୁଥିବା ପୁନେ-ମିରାଜ ଟ୍ରେନରେ ତାଙ୍କ ନେତୃତ୍ୱରେ ହୋଇଥିଲା। ବୟସ୍କ ସ୍ୱାଧୀନତା ସଂଗ୍ରାମୀଙ୍କର ଜଣେ ଅନୁଗାମୀ ବାଲାସାହେବ ଗଣପତି ସିନେ୍ଦ ଧୀର ଭାବେ କହିଲେ, “ତାଙ୍କର ଏହି ସ୍ପଷ୍ଟବାଦିତା ଏବେର ନୁହେଁ, ’’ ବରଂ ଏହି ନବେ ବର୍ଷୀୟ ଯାହାଙ୍କୁ ସମସ୍ତେ କ୍ୟାପଟେନ୍ ବଡ ଭାଇ ବୋଲି ଡାକନ୍ତି, ତାଙ୍କର ସ୍ମୃତି ସବୁ ଜୀବନ୍ତ ହୋଇଉଠୁଛି, ଯେତେବେଳେ ରେଳ ଧାରଣାର ଠିକ୍ ସେହି ସ୍ଥାନରେ ଛିଡା ହୋଇଛନ୍ତି, ଯେଉଁଠି ୧୯୪୩ ମସିହା ଜୁନ୍ ୭ ତାରିଖରେ ସେ ଓ ବାପୁ ଲାଡ୍ ଆକ୍ରମଣ କରିଥିବା ସାହସୀ ତୁଫାନ୍ ସେନାର ନେତୃତ୍ୱ ନେଇଥିଲେ।
ସେହି ସଂଗ୍ରାମ ପରେ ଏହା ପ୍ରଥମ ଥର ଯେତେବେଳେ ସତାରା ଜିଲ୍ଲା ସେହନୋଲି ଗାଁର ଏହି ସ୍ଥାନକୁ ସେ ଆସିଛନ୍ତି। କେଇ ମୁହୂର୍ତ୍ତ ପାଇଁ ସେ ତାଙ୍କର ନିଜର ସ୍ମୃତିରେ ହଜିଗଲେ, ତା ପରେ ସବୁ ମନେ ପକାଇଲେ। ସେ ସେହି ଚଢାଉ କରିଥିବା ତାଙ୍କର କମ୍ରେଡ୍ ମାନଙ୍କର ନାଁ ମନେ ପକାଇଲେ। ଏବଂ ଆମର ଜାଣିବା ପାଇଁ କହିଲେ: “ସେହି ଟଙ୍କା କୌଣସି ବ୍ୟକ୍ତିର ପକେଟକୁ ଗଲା ନାହିଁ, ତାହା ପ୍ରତି ସରକାର(ବା ସତାରାର ଅସ୍ଥାୟୀ ସରକାରକୁ ଦିଆଗଲା)। ଆମେ ଆବଶ୍ୟକତା ଥିବା ଏବଂ ଗରିବ ଲୋକମାନଙ୍କୁ ସେହି ଟଙ୍କା ଦେଲୁ।”





