ଭୁଲ୍ ହୋଇଗଲେ କିଛି ବି ଲାଭ ମିଳିବନି
ଅମନଙ୍କ ତୀକ୍ଷ୍ଣ ଦୃଷ୍ଟି ଗ୍ରାହକଙ୍କ କାନ ଉପରେ ନିବଦ୍ଧ ରହିଛି କାରଣ ସେ ପତଳା କାନ ଗଇ କଢ଼ାରେ ତାଙ୍କର କାନ ସଫା କରୁଛନ୍ତି। ଉପକରଣର ଧାରୁଆ ଅଂଶ କାନରେ ନ ବାଜିବା ପାଇଁ ତାର ଅଗରେ ତୁଳା ଗୁଡ଼ା ହୋଇଛି। ଏହି କାମ ଧୀରେ ଧୀରେ କରିବାକୁ ହେବ ନହେଲେ କାନ ଭିତରେ ଖଣ୍ଡିଆ ହୋଇଯିବ କିମ୍ୱା କାନ ଝିଲ୍ଲୀର କ୍ଷତି ହେବ। “କାନରୁ କେବଳ ଗଇ ହିଁ କଢ଼ାଯିବା ଦରକାର,” ସେ ଆପଣଙ୍କୁ ମନେ ପକାଇ ଦେଉଛନ୍ତି।
ଶାଖା ପ୍ରଶାଖା ମେଲିଥିବା ଗୋଟିଏ ଓସ୍ତ ଗଛର ଛାଇ ତଳେ ବସି ସେ ପରୀ ସହ କଥା ହେଉଥିଲେ। ତାଙ୍କ ପାଖରେ ଥୁଆ ହୋଇଥିଲା ଉପକରଣଗୁଡ଼ିକ ଥିବା ଏକ କଳା ବ୍ୟାଗ୍। ତା ଭିତରେ ଥିଲା କାନ ଗଇ କଢ଼ା, ଚିମୁଟା (ଟ୍ୱିଜର୍) ଏବଂ ତୁଳା। ଏସବୁ ବ୍ୟତୀତ ଜଡ଼ିବୁଟିରେ ତିଆରି ଔଷଧୀୟ ତେଲର ଗୋଟିଏ ଶିଶି ମଧ୍ୟ ସେହି ବ୍ୟାଗରେ ଥିଲା। ଅମନଙ୍କ କହିବା ଅନୁଯାୟୀ ସେହି ତେଲ ହେଉଛି ତାଙ୍କ ପରିବାରର କାନ ସଫା କରିବାର ସିକ୍ରେଟ ଫର୍ମୁଲା।
“କାନ ଗଇ କଢ଼ାରେ ମଇଳା ବାହାର କରୁ ନ ହେଲେ ଚିମୁଟାରେ ଟାଣି ଦେଉ।” ଔଷଧୀୟ ତେଲ କେବଳ ସେତେବେଳେ ବ୍ୟବହାର କରାଯାଏ ଯେତେବେଳେ କାହା କାନରେ ଗେଟି ହୋଇଯାଇଥାଏ। “କାନରେ ସଂକ୍ରମଣ ହୋଇଥିଲେ ଆମେ ତାର ଚିକିତ୍ସା କରୁନା। ଆମେ କେବଳ କାନରୁ ମଇଳା କାଢ଼ୁ ଏବଂ ଯଦି କାନ କୁଣ୍ଡାଇ ହେଉଥାଏ, ତେବେ ସେଥିରେ ତେଲ ଲଗାଇ ଦେଉ।” ଅମନଙ୍କ କହିବା କଥା ହେଲା କାନ କୁଣ୍ଡେଇ ହେବାବେଳେ ଲୋକେ ସାବଧାନତାର ସହ ଏହାକୁ କୁଣ୍ଡାନ୍ତି ନାହିଁ, ଫଳସ୍ୱରୂପ କାନ ଖଣ୍ଡିଆ ହୋଇଯାଏ।










