“ଘରୋ ଯାଓ ରଜ୍ଜ କେ, କାମ ହୋଗା ଗଜ୍ଜ କେ (ଘରୁ ପେଟପୂରା ଖାଦ୍ୟ ଖାଇ ବାହାରିଲେ ଆପଣ ନିଶ୍ଚିତ ଭାବେ ନିଜର ଲକ୍ଷ୍ୟରେ ସଫଳ ହୋଇପାରିବେ)।”
ଶାହଜାହାନପୁରରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ପାଇଁ ଲଙ୍ଗର ଚଳାଉଥିବା ବିଲାୱଲ ସିଂଙ୍କର ଏହା ହେଉଛି ସାଧାରଣ ଦର୍ଶନ। “ଏ ସରକାରଙ୍କର ଭୋକିଲା ଆନ୍ଦୋଳନକାରୀଙ୍କ ସହିତ ମୁକାବିଲା କରିବାର ଅଭ୍ୟାସ ରହିଛି”, ସେ ପଞ୍ଜାବୀ ଭାଷାରେ ଆଗକୁ କଥାବାର୍ତ୍ତା ଜାରି ରଖିଲେ। “ଦେଖିବା ପେଟପୂରା ଖାଉଥିବା ଆନ୍ଦୋଳନକାରୀଙ୍କ ସହିତ କିପରି ମୁକାବିଲା କରିବେ।”
ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାର ୪୧ ଆରବି ଗ୍ରାମର ୩୦ ବର୍ଷୀୟ କୃଷକ ବିଲାୱଲ ଏବଂ ତାଙ୍କର କକା ପୁଅ ଭାଇ, ୩୨ ବର୍ଷୀୟ ରଶୱିନ୍ଦର ସିଂ ଦିଲ୍ଲୀଠାରୁ ଦକ୍ଷିଣରେ ପାଖାପାଖି ୧୨୦କିମି ଦୂର, ରାଜସ୍ଥାନ-ହରିୟାଣା ସୀମାର ଶାହାଜାହାନପୁରରେ ଡେରା ପକାଇ ରହିଥିବା ହଜାର ହଜାର ଆନ୍ଦୋଳନକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି।
ଏହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ମଧ୍ୟରୁ ଗୋଟିଏ ଯେଉଁଠି ଲକ୍ଷ ଲକ୍ଷ କୃଷକ ଏବଂ ଅନେକଗୁଡ଼ିଏ ସଂଘ, ମୁଖ୍ୟତଃ ହରିୟାଣା, ପଞ୍ଜାବ ଓ ରାଜସ୍ଥାନରୁ ଆସି ୨୬ ନଭେମ୍ବରଠାରୁ ଧାରଣା-ପ୍ରଦର୍ଶନ କରୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପାସ୍ କରାଯାଇଥିବା ତିନୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଦାବି କରି ଆସୁଛନ୍ତି।
ଏହି ଆଇନଗୁଡ଼ିକୁ ସର୍ବପ୍ରଥମେ ୫ ଜୁନ, ୨୦୨୦ରେ ଅଧ୍ୟାଦେଶ ମାଧ୍ୟମରେ ପାସ କରାଯାଇଥିଲା, ଏହାପରେ ୧୪ ସେପ୍ଟେମ୍ବରରେ ସଂସଦରେ କୃଷି ବିଲ ରୂପରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା। କୃଷକମାନେ ଏହି ଆଇନକୁ ନିଜ ଜୀବିକା ପାଇଁ ବିନାଶକାରୀ ବୋଲି ଭାବୁଛନ୍ତି କାରଣ ଏହି ଆଇନ ଫଳରେ କୃଷି ଓ କୃଷକଙ୍କ ଉପରେ ବଡ଼ ବଡ଼ କର୍ପୋରେଟ ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରିବ। ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ, କୃଷି ଉତ୍ପାଦ ବିପଣନ ସମିତି, ରାଜ୍ୟ ଦ୍ୱାରା କ୍ରୟ ଆଦି ସମେତ, କୃଷକମାନଙ୍କୁ ସହାୟତା କରୁଥିବା ମୁଖ୍ୟ ବ୍ୟବସ୍ଥାଗୁଡ଼ିକୁ ଦୁର୍ବଳ କରିଦେବେ।







