“ଓଃ, ସେମାନେ କେବଳ ଆମ ‘ଅତିଥିଗୃହ’ ବିଷୟରେ ଜାଣିବାକୁ ଆସିଛନ୍ତି”, ସେଠାରେ ଥିବା ନିଜ ‘ସହନିବାସୀ’ ଲାବଣ୍ୟଙ୍କୁ କହୁଥିଲେ ରାଣୀ। ଆମ ଗସ୍ତର ଉଦ୍ଦେଶ୍ୟ ଜାଣିବା ପରେ ଉଭୟ ଆଶ୍ୱସ୍ତ ହେବା ଭଳି ଦେଖାଯାଉଛନ୍ତି।
ଜାନୁଆରୀର ପ୍ରଥମ ଭାଗରେ ଆମେ ଯେତେବେଳେ ଅତିଥି ଗୃହ ବିଷୟରେ ଜାଣିବା ଲାଗି ମଦୁରାଇ ଜିଲ୍ଲାର ଟି. କଲ୍ଲୁପଟ୍ଟି ବ୍ଲକ୍ କୁଭାଲପୁରମ ଗାଁ ଦାଣ୍ଡରେ ପହଞ୍ଚିଲୁ ସେଠାରେ ଆତଙ୍କ ଖେଳିଯିବା ଭଳି ମନେହେଲା। ପୁରୁଷମାନେ, ଖୁବ ଧୀର ସ୍ୱରରେ ଆମକୁ ଦୁଇ ଜଣ ମହିଳାଙ୍କ ଆଡ଼କୁ ହାତ ଠାରି ଦେଖାଇଦେଲେ। ଉଭୟ ସ୍ୱଳ୍ପବୟସ୍କା ମା’ ଥିଲେ- କିଛି ଦୂରରେ ଏକ ବାରଣ୍ଡା ଉପରେ ବସିଥିଲେ।
“ଏହା ଅନ୍ୟପଟେ ଅଛି, ଚାଲନ୍ତୁ ଯିବା,” ମହିଳାମାନେ କହିଲେ, ଆମକୁ ଗାଁଠାରୁ ପ୍ରାୟ ଅଧା କିମି ଦୂରରେ ଥିବା ଏକ କୋଣକୁ ନେଇଗଲେ। ଦୁଇଟି ଅଲଗା କୋଠରି ଥିଲ, ତଥାକଥିତ ‘ଅତିଥିଗୃହ’, ଆମେ ପହଁଚିବା ସମୟରେ ବନ୍ଦ ଥିବା ଭଳି ଲାଗୁଥିଲା। ଆଶ୍ଚର୍ଯ୍ୟର କଥା, ଦୁଇଟି କ୍ଷୁଦ୍ର ଢାଞ୍ଚା ମଧ୍ୟରେ ଏକ ନିମ୍ବ ଗଛ ଲଦା ହୋଇଥିଲା। ଏହାର ଶାଖାରେ କିଛି ବସ୍ତା ଓହଳିଥିଲା।
ଏହି ଅତିଥିଗୃହରେ ଋତୁବତୀ ମହିଳା ‘ଅତିଥି’ ଭାବେ ଥିଲେ। ତେବେ ସେମାନେ କୌଣସି ନିମନ୍ତ୍ରଣ କିମ୍ବା ନିଜ ଇଚ୍ଛାରେ ଏଠାରେ ନଥିଲେ। ମଦୁରାଇ ସହରଠାରୁ ୫୦ କିମି ଦୂର ୩୦୦୦ ଗ୍ରାମବାସୀ ଥିବା ଏହି ଗାଁର ସାମୁଦାୟିକ ପରମ୍ପରା ଅନୁଯାୟୀ ସେମାନଙ୍କୁ ବାଧ୍ୟ ହୋଇ ଏଠାରେ ସମୟ ବିତାଇବାକୁ ପଡ଼ୁଥିଲା। ଅତିଥିଗୃହରେ ଆମେ ଭେଟିଥିବା ଦୁଇ ଜଣ ମହିଳା ରାଣୀ ଓ ଲାବଣ୍ୟ (ଛଦ୍ମନାମ)ଙ୍କୁ ଏଠାରେ ୫ ଦିନ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ତେବେ, ଯୌବନାବସ୍ଥାରେ ପାଦ ଥାପୁଥିବା କିଶୋରୀଙ୍କୁ ଏଠାରେ ପୂରା ଗୋଟିଏ ମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିଥାଏ। ସେହିପରି ପ୍ରସବ ପରେ ନବଜାତ ଶିଶୁଙ୍କ ସହ ପ୍ରସୂତୀମାନେ ମଧ୍ୟ ଏଠାରେ ରୁହନ୍ତି।
“ଆମେ କୋଠରିରେ ଆମର ଥଳି ନିଜ ପାଖରେ ରଖିଥାଉ,” ବୋଲି ରାଣୀ କୁହନ୍ତି। ଏହି ଥଳିରେ ମହିଳାଙ୍କ ପାଇଁ ଅଲଗା ବାସନକୁସନ ଥାଏ ଯାହାକୁ ସେମାନେ ଋତୁସ୍ରାବ ସମୟରେ ବ୍ୟବହାର କରିଥା’ନ୍ତି। ଏଠାରେ କିଛି ଖାଦ୍ୟ ରନ୍ଧା ହୁଏ ନାହିଁ। ଘରୁ ଖାଇବା ଆସେ, ବେଳେ ବେଳେ ପଡ଼ୋଶୀମାନେ ରାନ୍ଧି ଦିଅନ୍ତି। ପରେ ମହିଳାମାନଙ୍କୁ ସେମାନଙ୍କ ଥାଳିରେ ଖାଇବା ବାଢ଼ି ଦିଆଯାଇଥାଏ। କେହି ଯେପରି ଏଗୁଡ଼ିକୁ ଛୁଇଁବେ ନାହିଁ, ସେଥିପାଇଁ ନିମ୍ବ ଗଛରେ ଥଳିଗୁଡ଼ିକୁ ଓହଳାଇ ଦିଆଯାଇଥାଏ। ଗୋଟିଏ ପରିବାରର ହୋଇଥିଲେ ମଧ୍ୟ ପ୍ରତ୍ୟେକ ‘ଅତିଥି’ଙ୍କ ପାଇଁ ଅଲଗା ବାସନକୁସନ ଥାଏ। କିନ୍ତୁ ସେଠାରେ କେବଳ ୨ଟି କୋଠରି ଅଛି ଏବଂ ସମସ୍ତଙ୍କୁ ସାଥୀ ହୋଇ ଏଠାରେ ରହିବାକୁ ପଡ଼େ ।











