‘‘ମେଁ ତେଜ୍ ଦୌଡ଼କେ ଆଉଙ୍ଗା, ଔର କୁନୋ ମେଁ ବସ୍ ଯାଉଙ୍ଗା [ମୁଁ ଦୌଡ଼ିକି ଆସିବି ଏବଂ କୁନୋରେ ଘର କରିବି]।’’
ଶୁଣିବାକୁ ଇଚ୍ଛୁକ ବା ପଢ଼ିପାରୁଥିବା ଯେ କୌଣସି ଲୋକଙ୍କୁ ଚିଣ୍ଟୁ ନାମଧାରୀ ଚିତା ଏହା କହୁଥିବା- ଗୋଟିଏ ପୋଷ୍ଟରରେ ଲେଖାଅଛି।
ଏହି ପୋଷ୍ଟରକୁ ଛଅ ମାସ ପୂର୍ବରୁ ମଧ୍ୟପ୍ରଦେଶର ଜଙ୍ଗଲ ବିଭାଗ ପକ୍ଷରୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଲଗାଯାଇଥିଲା । କୁନୋ ଜାତୀୟ ଉଦ୍ୟାନ ଚାରିପାଖରେ ଥିବା ସବୁ ଗାଁରେ ଏହା ପ୍ରବେଶ କରିଛି, ଯେଉଁଠାରେ ପୋଷ୍ଟରରେ ବନ୍ଧୁତ୍ୱପୂର୍ଣ୍ଣ ଚରିତ୍ର ‘ଚିଣ୍ଟୁ ଚିତା’ ତା’ ପାଇଁ ଏକ ଆବାସସ୍ଥଳୀ ତିଆରି କରିବାକୁ ଯୋଜନା କରୁଛି ।
ତା’ର ଆବାସସ୍ଥଳୀକୁ ଚିଣ୍ଟୁ ୫୦ଟି ବାସ୍ତବ ଆଫ୍ରିକୀୟ ଚିତାଙ୍କ ସହ ଭାଗ କରିବ । କିନ୍ତୁ ବାଗ୍ଚା ଗାଁରେ ରହୁଥିବା ୫୫୬ ଲୋକଙ୍କ ସହ ନୁହେଁ ଯେଉଁମାନେ ବିସ୍ଥାପିତ ହେବା ଏବଂ ଅନ୍ୟତ୍ର ସ୍ଥାନାନ୍ତରିତ ହେବାର ଅଛି । ଏକ ନିର୍ବାସନ ଯାହା ଗୁରୁତର ଭାବେ ଏମାନଙ୍କର ଜୀବିକା ଏବଂ ମୁଖ୍ୟତଃ ସହରିଆ ଆଦିବାସୀଙ୍କର ଅସ୍ତି ତ୍ୱରେ ବାଧା ସୃଷ୍ଟି କରିବ, ଯେଉଁମାନଙ୍କର ଦୁନିଆ ଜଙ୍ଗଲ ସହିତ ଘନିଷ୍ଠ ଭାବେ ବନ୍ଧା ।
କେବଳ ସେହି ପର୍ଯ୍ୟଟକ ଯେଉଁମାନେ ବିଦେଶରୁ ଆସିଥିବା ଚିତାଙ୍କୁ ଦେଖିବା ପାଇଁ ଉଚ୍ଚ ମୂଲ୍ୟ ଦେଇ ସଫାରୀ ଯାତ୍ରାରେ ଯାଇପାରିବେ, ସେମାନେ ହିଁ ଜାତୀୟ ଉଦ୍ୟାନକୁ ଆସିବେ। ତାହା ଏମିତି ହିଁ ସ୍ଥାନୀୟ ବାସିନ୍ଦାଙ୍କୁ ବାଦ୍ କରିବ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି।
ଇତିମଧ୍ୟରେ, ଏକ ‘ପ୍ରିୟ’ ଚିତ୍ରିତ ବାଘର ପୋଷ୍ଟର ଏବଂ କାର୍ଟୁନ୍ କିଛି ଜଣଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ଯେମିତିକି ଅଭୟାରଣ୍ୟ ବାହାରେ ୨୦ କିଲୋମିଟର ଦୂରରେ ଥିବା ଏକ ଗାଁ ପଇରା ଜାତବର ଆଠ ବର୍ଷୀୟ ସତ୍ୟନ ଜାତବ ନିଜ ବାପାଙ୍କୁ ପଚାରିଲା, ‘‘ଏହା ଏକ ଛେଳି କି?’’ ତା’ର ସାନ ଭାଇ, ଚାରି ବର୍ଷର ଅନୁରୋଧ, ପାଳି ଧରିଲା, ଏହା ଗୋଟିଏ ପ୍ରକାରର କୁକୁର ହୋଇଥିବ ବୋଲି ସେ କହିଲା ।














