୧୯୬୮ ମସିହା ଡିସେମ୍ବର ଶେଷ ସପ୍ତାହରେ ବେନମଣି ଗାଁର କୀଝବେନମଣି ପଲ୍ଲୀରେ ଜମିଦାରମାନଙ୍କ ଅତ୍ୟାଚାର ବିରୋଧରେ ସଂଗଠିତ ଶ୍ରମିକମାନଙ୍କର ଦୀର୍ଘ ଦିନର ଅବଦମିତ ସଂଘର୍ଷ ଶାଣିତ କ୍ରୋଧର ରୂପ ନେଲା । ଅଧିକ ମଜୁରି, ଚାଷଜମି ଉପରେ ଅଧିକାର ସହିତ ସାମନ୍ତବାଦୀ ଅତ୍ୟାଚାରର ଅନ୍ତ ଘଟାଇବା ଦାବିରେ ତାମିଲନାଡୁର ନାଗପଟ୍ଟନମ ଜିଲ୍ଲା ଅନ୍ତର୍ଗତ ଏହି ଗାଁର ଦଳିତ ଭୂମିହୀନ ଶ୍ରମିକମାନେ ଆନ୍ଦୋଳନ ଚଳାଇଥିଲେ । ଏହାର କି ଉତ୍ତର ଦେଇଥିଲେ ଜମିଦାରମାନେ? ଏହି ବସ୍ତିରେ ସେମାନେ ୪୪ ଜଣ ଦଳିତ ଶ୍ରମିକଙ୍କୁ ଜୀଅନ୍ତା ଜାଳିଦେଇଥିଲେ । ଅନୁସୂଚିତ ଜାତିର ଏହି ନବ ଜାଗରଣରେ କ୍ଷୁବ୍‌ଧ ଧନୀ ଓ ଶକ୍ତିଶାଳୀ ଜମିମାଲିକମାନେ କେବଳ ଯେ ଆଖପାଖ ଗାଁରୁ ଶ୍ରମିକମାନଙ୍କୁ ନିୟୋଜିତ କରିବା ଲାଗି ସ୍ଥିର କରିଥିଲେ ତାହା ନୁହେଁ, ସେମାନେ ମଧ୍ୟ ପ୍ରତିଶୋଧ ନେବାକୁ ଏକ ବଡ଼ ଧରଣର ଯୋଜନା କରିଥିଲେ ।

ଡିସେମ୍ବର ୨୫ ତାରିଖ ରାତିରେ ଜମି ମାଲିକମାନେ ବସ୍ତିକୁ ଘେରି ଯାଇ ଆକ୍ରମଣ କଲେ ଏବଂ ଖସି ପଳାଇବା ପାଇଁ ଥିବା ସବୁ ରାସ୍ତା କାଟି ଦେଇଥିଲେ । ଜୀବନ ବଞ୍ଚାଇବା ପାଇଁ ଏକ ମାଟିଘରେ ପଶିଯାଇଥିବା ୪୪ ଜଣ ଶ୍ରମିକଙ୍କୁ ବାହାରୁ ବନ୍ଦ କରିଦେଇ ଆକ୍ରମଣକାରୀମାନେ ଘରେ ନିଆଁ ଲଗାଇ ଦେଇଥିଲେ । ହତ୍ୟାର ଶିକାର ହୋଇଥିବା ଲୋକଙ୍କ ଭିତରୁ ଅଧା ଥିଲେ ୧୬ ବର୍ଷରୁ କମ୍‌ ବୟସର- ୧୧ଜଣ ବାଳକ ଓ ୧୧ ଜଣ ବାଳିକା । ଦୁଇ ଜଣଙ୍କ ବୟସ ଥିଲା ୭୦ ବର୍ଷରୁ ଅଧିକ । ସମସ୍ତ ମୃତକଙ୍କ ମଧ୍ୟରେ ୨୯ ଜଣ ମହିଳା ଓ ୧୫ ଜଣ ପୁରୁଷ ଥିଲେ । ସେମାନେ ସମସ୍ତେ ଦଳିତ ଓ ଭାରତୀୟ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ସମର୍ଥକ ଥିଲେ ।

୧୯୭୫ ମସିହାରେ ଏହି ହତ୍ୟା ମାମଲାରେ ମାଡ୍ରାସ ହାଇକୋର୍ଟ ସମସ୍ତ ୨୫ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ । କିନ୍ତୁ ଏହି ଅବିଶ୍ଵସନୀୟ ଅତ୍ୟାଚାରର ଇତିବୃତ୍ତକୁ ଲେଖନୀରେ ତୋଳି ଧରିଥିବା ଅନ୍ୟତମ ସ୍ରଷ୍ଟା ମୈଥିଲି ଶିବରାମନ, ବିସ୍ତୃତ ଓ ପ୍ରଭାବଶାଳୀ ଢଙ୍ଗରେ ଏହି ଘଟଣାର ବିଶ୍ଳେଷଣ ଅବ୍ୟାହତ ରଖିବା ଫଳରେ କେବଳ ଯେ ଏହି ଗଣହତ୍ୟା ବିଷୟ ଲୋକଲୋଚନକୁ ଆସିଲା ତାହା ନୁହେଁ, ବରଂ ଏଥିରେ ସଂଶ୍ଳିଷ୍ଟ ବର୍ଗ ଓ ଜାତି ଭିତ୍ତିକ ଅତ୍ୟାଚାର ପ୍ରସଙ୍ଗ ମଧ୍ୟ ପ୍ରକାଶିତ ହେଲା। କୋଭିଡ୍‌-୧୯ରେ ପୀଡ଼ିତ ୮୧ ବର୍ଷ ବୟସ୍କ ମୈଥିଲି ଶିବରାମନଙ୍କ ବିୟୋଗ ସପ୍ତାହରେ ସେହି ଦୁଃଖଦ ଘଟଣାକୁ ନେଇ ରଚିତ ଏହି କବିତାକୁ ଆମେ ପ୍ରକାଶ କରୁଛୁ ।

ସୁଧ ନ୍ଵା ଦେଶପାଣ୍ଡେଙ୍କ କଣ୍ଠରେ ଏହି କବିତାକୁ ଶୁଣନ୍ତୁ

ପଥରର ଚଉରାଳିଶଟି ମୁଥ

ବିନା ଛାତର ମାଟିଘର
ବିନା କାନ୍ଥର ମାଟିଘର
ମାଟିଘର ଧୂଳି ହୋଇ ଭୂଇଁରେ ଲୋଟିଲା,
ପାଉଁଶ ପାଲଟିଲା

ପଥର ଭଳି ୪୪ଟି ମୁଥ
ଧାଡ଼ି ଧାଡ଼ି ହୋଇ ଚେରିରେ
ଏକରୋଷଭରା ସ୍ମୃତି ଭଳି,
ଇତିହାସରେ ଯୁଦ୍ଧର ଡାକରା ଭଳି,
ଲୁହର ଶୀତଳ ସ୍ଫୁଲିଙ୍ଗ ଭଳି
୧୯୬୮ ଡିସେମ୍ବର୨୫ର ସେହି
ଅଭିଶପ୍ତ ରାତ୍ରୀର ସାକ୍ଷୀ
ଯେତେବେଳେ ଖ୍ରୀଷ୍ଟମାସରେ ନଥିଲା ଉଲ୍ଲାସ
ସେହି ୪୪ର କାହାଣୀ ଶୁଣ,
ଜଣ ଜଣ କରି ସମସ୍ତଙ୍କର ।

ବିନା ଛାତର ମାଟିଘର
ବିନା କାନ୍ଥର ମାଟିଘର
ମାଟିଘର ଧୂଳି ହୋଇ ଭୂଇଁରେ ଲୋଟିଲା,
ପାଉଁଶ ପାଲଟିଲା ।

ସ୍ମୃତିପଟଳରେ ଚାରି ଭାଗ ଧାନ ମାପିବାର ଦୃଶ୍ୟ ।
ଚାରି ଭାଗ ଯଥେଷ୍ଟ ନୁହେଁ, ସେମାନେ କହିଲେ ଯଥେଷ୍ଟ ନୁହେଁ,
ଭୂମିହୀନ ଓ ଭୋକିଲାଙ୍କୁ ଦାନା ଦେବା ଲାଗି ଯଥେଷ୍ଟ ନୁହେଁ।
ଖାଦ୍ୟ ପାଇଁ ଭୋକିଲା, ଜମି ପାଇଁ ଭୋକିଲା ।
ଭୋକିଲା ସେ ବିହନ ପାଇଁ, ଚେର ପାଇଁ ବି ଭୋକିଲା
ଭଙ୍ଗା ଅଣ୍ଟା ସଳଖିବାର ଦାବିରେ ଭୋକିଲା
ସେମାନଙ୍କ ଶ୍ରମ, ସେମାନଙ୍କ ସ୍ଵେଦ, ସେମାନଙ୍କ ପରିଶ୍ରମର ଫଳ।
ଭୋକିଲା ସେମାନଙ୍କ ସବର୍ଣ୍ଣ ପଡ଼ୋଶୀମାନଙ୍କ ପାଇଁ,
ଜମିଦାରମାନେ,ସତ୍ୟକୁ ଦେଖିବା ପାଇଁ

ବିନା ଛାତର ମାଟିଘର
ବିନା କାନ୍ଥର ମାଟିଘର
ମାଟିଘର ଧୂଳି ହୋଇ ଭୂଇଁରେ ଲୋଟିଲା,
ପାଉଁଶ ପାଲଟିଲା ।

ସେମାନଙ୍କ ମଧ୍ୟରୁ କେତେଜଣ ଥିଲେ ଲାଲ ପୋଷାକରେ
ସେମାନଙ୍କ ହାତରେ ଦାଆ ଓ ହାତୁଡ଼ି,
ସେମାନଙ୍କ ମସ୍ତିଷ୍କରେ କେତେକ ଭାବଧାରା।
ସେମାନେ ସମସ୍ତେ ଥିଲେ ଗରିବ ଏବଂ ସମସ୍ତେ ପାଗଳ
ଦଳିତ ପୁରୁଷ ଓ ମହିଳା,
ସେମାନେ ଥିଲେ ଅବାଧ୍ୟ ଶ୍ରମିକମାନଙ୍କ ସନ୍ତାନ ।
ଆମେ, ଆମେ ସମସ୍ତେ ସଂଘବଦ୍ଧ ହେବୁ, ସେମାନେ କହିଲେ,
ଆସ, ଏଣିକି ଆମେ ମାଲିକଙ୍କ ଜମିରେ ଅମଳ କରିବାନି ।
ଉଦାସଭରା ଗୀତ ଗାଇବା ବେଳେ ସେମାନେ କ’ଣ ଜାଣିଥିଲେ,
କାହାର ଥିଲା ଫସଲ ଆଉ କିଏ କରୁଥିଲା ଅମଳ ।

ବିନା ଛାତର ମାଟିଘର
ବିନା କାନ୍ଥର ମାଟିଘର
ମାଟିଘର ଧୂଳି ହୋଇ ଭୂଇଁରେ ଲୋଟିଲା,
ପାଉଁଶ ପାଲଟିଲା ।

ମାଲିକମାନେ ଥିଲେ ସବୁବେଳେ ଚାଲାକ,
ହିସାବୀ ଏବଂ ନିର୍ଦ୍ଦୟ ।
ସେମାନେ ପଡ଼ିଶା ଗାଁରୁ ଭଡ଼ା ଦେଇ ସହାୟତା ଆଣିଲେ,
“ହାତ ଯୋଡ଼ି ଭିକ ମାଗୁଛୁ”, ସେମାନେ କହିଲେ ।
“କ’ଣ ପାଇଁ ?” ଶ୍ରମିକମାନେ ପଚାରିଲେ ।
ତେଣୁ ଜମିଦାରମାନେ ସେମାନଙ୍କୁ ଘରେ ବନ୍ଦ କରିଦେଲେ-
ଭୟଭୀତ ପୁରୁଷ, ମହିଳା ଓ ପିଲାମାନେ,
ସମସ୍ତେ ମିଶି ୪୪ ଜଣ, ମାଟିଘରେ ଠେଲାପେଲା ହେଲେ
ସେମାନଙ୍କୁ ବନ୍ଦ କରି, ନିଆଁ ଲଗାଇଲେ,
ଘର ଭିତରେ ଫସି ରହି
ସେମାନେ ନିଆଁହୁଳାରେ ମିଶିଗଲେ
ମଧ୍ୟରାତ୍ରୀର ଅନ୍ଧାରରେ
୨୨ପିଲା, ୧୮ ମହିଳା, ୪ ପୁରୁଷ
ମୃତ୍ୟୁସଂଖ୍ୟାରେ ସୁମାର ହେଲେ
ନିର୍ମମ ହତ୍ୟାର ଶିକାର ହେଲେ ।
କୀଝବେନମଣି ଗଣହତ୍ୟା ।
ସେମାନେ ଯାହା ବଞ୍ଚି ରହିଲେ କଟା ଖବରକାଗଜରେ,
ଉପନ୍ୟାସରେ ଏବଂ ଗବେଷଣା ପତ୍ରପତ୍ରିକାରେ ।

ବିନା ଛାତର ମାଟିଘର
ବିନା କାନ୍ଥର ମାଟିଘର
ମାଟିଘର ଧୂଳି ହୋଇ ଭୂଇଁରେ ଲୋଟିଲା,
ପାଉଁଶ ପାଲଟିଲା ।

* ଚେରି : ପାରମ୍ପରିକ ଭାବେ ତାମିଲନାଡୁର ଗାଁଗୁଡ଼ିକରେ ପୃଥକ୍‌ ପୃଥକ୍‌ ଦୁଇଟି ଭାଗ ରହିଥାଏ- ଉର, ଯେଉଁଥିରେ ପ୍ରଭାବଶାଳୀ ଉଚ୍ଚ ଜାତିର ଲୋକେ ରହନ୍ତି ଏବଂ ଚେରି , ଯେଉଁଥିରେ ଦଳିତମାନେ ରହନ୍ତି ।

*ଏହି କବିତାରେ ବ୍ୟବହୃତ ଘୋଷା- ବିନା ଛାତର ମାଟିଘର / ବିନା କାନ୍ଥର ମାଟିଘର / ମାଟିଘର ଧୂଳି ହୋଇ ଭୂଇଁରେ ଲୋଟିଲା / ପାଉଁଶ ପାଲଟିଲା - ଏହି ଗଣହତ୍ୟା ସଂପର୍କରେ ମୈଥିଲି ଶିବରାମନଙ୍କ ଦ୍ଵାରା ୧୯୬୮ ମସିହାରେ ରଚିତ ଏକ ପ୍ରବନ୍ଧର ପ୍ରାରମ୍ଭିକ ଧାଡ଼ିରୁ ନିଆଯାଇଛି । ଏହି ପ୍ରବନ୍ଧର ଶିରୋନାମା ଥିଲା ଜେଣ୍ଟଲମ୍ୟାନ୍‌ କିଲର୍ସ ଅଫ କୀଲବେନମଣି , ଏବଂ ଏହା ୧୯୭୩ ମେ ମାସ ୨୬ ତାରିଖର ଇକୋନୋମିକ ଆଣ୍ଡ ପଲିଟିକାଲ ଉଇକ୍‌ଲି ରେ ପ୍ରକାଶିତ ହୋଇଥିଲା । ଭଲ୍ୟୁମ-୮, ସଂଖ୍ୟା ୨୩, ପୃଷ୍ଠା ସଂଖ୍ୟା-୯୨୬-୯୨୮ ।

* ଏହି ଧାଡ଼ିଗୁଡ଼ିକ ମଧ୍ୟ ମୈଥିଲି ଶିବରାମନଙ୍କ ଦ୍ଵାରା ରଚିତ ପୁସ୍ତକ ହଣ୍ଟେଡ୍‌ ବାଇ ଫାୟାର : ଜାତି, ଶ୍ରେଣୀ, ଶୋଷଣ ଏବଂ ମୁକ୍ତି, ବାମପନ୍ଥୀ ପୁସ୍ତକ, 2016 ଉପରେ ପ୍ରବନ୍ଧଗୁଡ଼ିକ ପ୍ରକାଶିତ ।

କଣ୍ଠ : ସୁଧନ୍ଵା ଦେଶପାଣ୍ଡେ ଜଣେ ଅଭିନେତ୍ରୀ ଏବଂ ଜନ ନାଟ୍ୟ ମଞ୍ଚ ସହିତ କାର୍ଯ୍ୟରତ ନିର୍ଦ୍ଦେଶିକା, ଏବଂ ଲେଫ୍‌ଟୱାର୍ଡ ବୁକ୍‌ସର ଜଣେ ସଂପାଦିକା ।

ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Sayani Rakshit

ਸਾਇਨੀ ਰਕਸ਼ਿਤ ਜਾਮਿਆ ਮਿਲੀਆ ਇਸਲਾਮੀਆ, ਯੂਨੀਵਰਸਿਟੀ, ਨਵੀਂ ਦਿੱਲੀ ਤੋਂ ਮਾਸ ਕਮਿਊਨੀਕੇਸ਼ਨ ਵਿੱਚ ਮਾਸਟਰ ਡਿਗਰੀ ਕਰ ਰਹੇ ਹਨ।

Other stories by Sayani Rakshit
Painting : Labani Jangi

ਲਾਬਨੀ ਜਾਂਗੀ 2020 ਤੋਂ ਪਾਰੀ ਦੀ ਫੈਲੋ ਹਨ, ਉਹ ਵੈਸਟ ਬੰਗਾਲ ਦੇ ਨਾਦਿਆ ਜਿਲ੍ਹਾ ਤੋਂ ਹਨ ਅਤੇ ਸਵੈ-ਸਿੱਖਿਅਤ ਪੇਂਟਰ ਵੀ ਹਨ। ਉਹ ਸੈਂਟਰ ਫਾਰ ਸਟੱਡੀਜ ਇਨ ਸੋਸ਼ਲ ਸਾਇੰਸ, ਕੋਲਕਾਤਾ ਵਿੱਚ ਮਜ਼ਦੂਰ ਪ੍ਰਵਾਸ 'ਤੇ ਪੀਐੱਚਡੀ ਦੀ ਦਿਸ਼ਾ ਵਿੱਚ ਕੰਮ ਕਰ ਰਹੀ ਹਨ।

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE