ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ଗୋରୁମାନେ ଘରକୁ ଆସିବା ପର୍ଯ୍ୟନ୍ତ
ବିହାରର ଘସି ପାରୁଥିବା ଏହି ମହିଳା ଜଣକ ଜାତୀୟ ଅର୍ଥନୀତିରେ ଆଶ୍ଚର୍ଯ୍ୟଜନକ ଯୋଗଦାନ ଦେଉଛନ୍ତି । ଏହା ଆମର ଜିଡିପି(GDP) ପରିସଂଖ୍ୟାନରେ ସ୍ଥାନ ପାଇବ ନାହିଁ । ଯଦି ଜାଳେଣୀ ଭାବରେ ଘସି ବ୍ୟବହାର କରୁଥିବା ପରିବାରମାନେ ଜୀବାଶ୍ମ ଇନ୍ଧନ ଆପଣାଇବେ ତେବେ ଚଡ଼କ ପଡ଼ିଯିବ । କାରଣ ଭାରତ ପେଟ୍ରୋଲ ଓ ପେଟ୍ରୋଲ ଜାତ ସାମଗ୍ରୀ ଆମଦାନୀ ପାଇଁ ସବୁଠାରୁ ଅଧିକ ବିଦେଶୀ ମୁଦ୍ରା ବିନିମୟ କରେ । ୧୯୯୯-୨୦୦୦ ମସିହାରେ ଏହି ପରିମାଣ ୪୭,୪୨୧ କୋଟି ଟଙ୍କା ଥିଲା ।
ଖାଇବା ତେଲ, ଔଷଧ ଓ ଡାକ୍ତରୀ ଉତ୍ପାଦ, ରାସାୟନିକ ଦ୍ରବ୍ୟ, ଲୁହା ଓ ଷ୍ଟିଲ୍ ଇତ୍ୟାଦି ଆମଦାନୀ ନିମନ୍ତେ ଖର୍ଚ୍ଚ କରୁଥିବା ବିଦେଶୀ ମୁଦ୍ରାର ପ୍ରାୟ ୩ ଗୁଣରୁ ଅଧିକ । ସମୁଦାୟ ଆମଦାନୀ ଖର୍ଚ୍ଚର ଏକ-ଚତୁର୍ଥାଂଶ ଆମେ ପେଟ୍ରୋଲ ଓ ପେଟ୍ରୋଲିୟମ୍ ଉତ୍ପାଦ ପାଇଁ ଖର୍ଚ୍ଚ କରୁ ।
ଏହା ଆମେ ଉର୍ବରକ ଆମଦାନୀ ପାଇଁ ଖର୍ଚ୍ଚ କରୁଥିବା ବିଦେଶୀ ମୁଦ୍ରା—୧.୪ ବିଲିୟନ୍ ଡଲାର୍ର ଆଠ ଗୁଣ ସହ ସମାନ । ଶସ୍ୟ ଧରିବା ସମୟରେ ନିୟୁତ ନିୟୁତ ଚାଷୀ ଗୋବରକୁ ଜୈବିକ ଉର୍ବରକ ଭାବରେ ପ୍ରୟୋଗ କରନ୍ତି । ତେଣୁ ଏହା ସେ ବାଟରେ ମଧ୍ୟ ବହୁ ଅନାଲୋଚିତ ପରିମାଣର ଅର୍ଥ ସଞ୍ଚୟ କରେ । ଏହା କୀଟ ପ୍ରତିରୋଧକ ଭାବରେ ମଧ୍ୟ କାମ କରେ ଏବଂ ଏହାର ଆହୁରି ଅନେକ ଉପଯୋଗ ଅଛି । ଯେମିତି ଚାହିଁବେ ଆପଣ ଏହାକୁ ସେମିତି ବ୍ୟବହାର କରିପାରିବେ । ଆମ ଦେଶରେ ମହିଳାମାନେ ହିଁ ଗୋବର ଗୋଟାନ୍ତି --ଏବଂ ‘ମହିଳାଙ୍କ କାମ’-- ଏହା ପ୍ରତିବର୍ଷ ନିୟୁତ ନିୟୁତ ଡଲାର୍ ରକ୍ଷା କରେ । କିନ୍ତୁ ଯେହେତୁ ଗୋବର ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ହୋଇନି କିମ୍ବା ଯେହେତୁ ସେମାନେ ଏହାକୁ ସଂଗ୍ରହ କରୁଥିବା ମହିଳାମାନଙ୍କ ବିଷୟରେ କିଛି ଜାଣନ୍ତିନି କିମ୍ବା ଜାଣିବାକୁ ଚାହାନ୍ତିନି ତେଣୁ ମୁଖ୍ୟଧାରାରେ ଥିବା ଅର୍ଥନୀତିଜ୍ଞମାନେ ଏହାର ତଥ୍ୟ ନିଜର ଅନୁଶୀଳନ ଭିତରକୁ ନିଅନ୍ତି ନାହିଁ । ସେମାନେ ଏହି ଶ୍ରମକୁ ଦେଖନ୍ତିନି କିମ୍ବା ସମ୍ମାନ ଦିଅନ୍ତି ନାହିଁ ।




