ଏହି ପ୍ୟାନେଲ ଗ୍ରାମୀଣ ମହିଳାମାନଙ୍କ ଦ୍ଵାରା କରାଯାଉଥିବା ବ୍ୟାପକ କାର୍ଯ୍ୟ ପରିସରକୁ ଦର୍ଶାଉଥିବା ଦୃଶ୍ୟମାନ କାର୍ଯ୍ୟ, ଅଦୃଶ୍ୟ ମହିଳା, ଏକ ଫଟୋ ପ୍ରଦର୍ଶନୀ ର ଅଂଶବିଶେଷ । ୧୯୯୩ ଏବଂ ୨୦୦୨ ମଧ୍ୟରେ ୧୦ଟି ଭାରତୀୟ ରାଜ୍ୟରେ ପି. ସାଇନାଥ ଏ ସବୁ ଫଟୋ ଉଠାଇଥିଲେ । ବହୁ ବର୍ଷ ଧରି ଦେଶର ଅଧିକାଂଶ ଭାଗ ପରିଦର୍ଶନ କରିଥିବା ମୂଳ ଭୌତିକ ପ୍ରଦର୍ଶନୀକୁ ଏଠାରେ ପରୀ ଦ୍ଵାରା ସୃଜନଶୀଳ ଢଙ୍ଗରେ ଡିଜିଟାଲକରଣ କରାଯାଇଛି ।
ମାଟି, ମା’, ‘ଶ୍ରମ ଘଣ୍ଟା’
ଆନ୍ଧ୍ରପ୍ରଦେଶରେ ବିଜୟନଗରମ୍ଠାରେ ଭୂମିହୀନ ଶ୍ରମିକମାନଙ୍କ ସହ ଆଲୋଚନା ସକାଳ ୭ଟା ପୂର୍ବରୁ କରିବାକୁ ସ୍ଥିର କରାଯାଇଥିଲା । ଯୋଜନା ଥିଲା ସାରାଦିନ ସେମାନଙ୍କର କାମକୁ ଦେଖିବା। ଆମେ କିନ୍ତୁ ଟିକେ ବିଳମ୍ବରେ ପହଞ୍ଚିଲୁ। ସେତେବେଳକୁ ତାଳଗଛ ମଧ୍ୟଦେଇ ଆସୁଥିବା ମହିଳାମାନଙ୍କ ପରି ସେମାନେ ମଧ୍ୟ ୩ଘଣ୍ଟା କାମ କରିସାରିଥା’ନ୍ତି। ସେମାନଙ୍କ ସାଥୀମାନେ ବି କାମ କରିବା ସ୍ଥାନରେ ଥା’ନ୍ତି, ପଙ୍କ ହୋଇଯାଇଥିବା ପୋଖରୀରୁ ପଟୁ କାଢୁଥା’ନ୍ତି।
ସେମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇ, ବାସନମଜା, ଲୁଗାସଫା ଓ ଅନ୍ୟାନ୍ୟ କାମ ଶେଷକରି ଆସିଥାନ୍ତି। ସେମାନେ ନିଜ ପିଲାମାନଙ୍କୁ ସ୍କୁଲ ପାଇଁ ପ୍ରସ୍ତୁତ କରି ମଧ୍ୟ ପଠାଇ ଦେଇସାରିଥା’ନ୍ତି। ଘରର ସବୁ ସଦସ୍ୟଙ୍କର ଭୋଜନ ସରିଥାଏ। ଅବଶ୍ୟ ମହିଳାମାନେ ସବୁଠାରୁ ପଛରେ ଖାଇଥା’ନ୍ତି। ଏହା ମଧ୍ୟ ସ୍ପଷ୍ଟ ଯେ ସରକାରଙ୍କ ନିଶ୍ଚିତ ରୋଜଗାର ସ୍ଥଳରେ ମହିଳାମାନେ ପୁରୁଷଙ୍କଠାରୁ କମ୍ ମଜୁରି ପାଆନ୍ତି।
ଏକଥା ମଧ୍ୟ ସ୍ପଷ୍ଟ ଯେ ସର୍ବନିମ୍ନ ମଜୁରି ଆଇନ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉଲ୍ଲଂଘନ କରାଯାଇଥାଏ। କେବଳ କେରଳ ଓ ପଶ୍ଚିମବଙ୍ଗକୁ ଛାଡ଼ିଦେଲେ ସାରା ଦେଶରେ ଏହା ହୁଏ। ତଥାପି ମହିଳାମାନେ ସବୁଠି ପୁରୁଷଙ୍କ ମଜୁରି ତୁଳନାରେ ଅଧା କିମ୍ବା ଦୁଇ ତୃତୀୟାଂଶ ମଜୁରି ପାଇଥା’ନ୍ତି।







