ପ୍ରତି ବର୍ଷ ଜୁଲାଇରେ, ସାରା ମହାରାଷ୍ଟ୍ରରୁ ଲକ୍ଷ ଲକ୍ଷ ଓ୍ୱାରକାରୀ ସେମାନଙ୍କର ପ୍ରିୟ ଦେବତା ବିଠୋବା ଏବଂ ରଖୁମାଇକୁ “ଭେଟିବା’’ ପାଇଁ ଦେହୁ ଏବଂ ଆଲାଣ୍ଡିରୁ ପ୍ରାୟ ୨୪୦ କିଲୋମିଟର ଚାଲି ସୋଲାପୁର ଜିଲ୍ଲାରେ ଥିବା ପନ୍ଧରପୁରକୁ ଆସନ୍ତି । ଏହି ଯାତ୍ରା ପ୍ରାୟ ଆଠଶହ ବର୍ଷ ଧରି ଶହ ଶହ ବର୍ଷ ପୂର୍ବେ ପଶୁପାଳକ ଯାଯାବରମାନେ ଗ୍ରହଣ କରିଥିବା ଏକ ରାସ୍ତା ଦେଇ ଚାଲିଥିବା ବିଶ୍ୱାସ କରାଯାଏ ।
ଦେହୁ ହେଉଛି ସନ୍ଥ ତୁକାରାମଙ୍କ ଜନ୍ମ ସ୍ଥାନ ଏବଂ ଆଲାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ସନ୍ଥ ଜ୍ଞାନେଶ୍ୱର ସମାଧି ଗ୍ରହଣ କରିଥିଲେ । ଉଭୟେ ସମାନତାବାଦୀ ଏବଂ ଜାତିବିହୀନ ଭକ୍ତି ପରମ୍ପରା (ଓ୍ୱାର୍କାରୀ ପନ୍ଥ)ର ସମ୍ମାନସ୍ପଦ ସନ୍ଥ। ରାଜ୍ୟର ବିଭିନ୍ନ ଅଂଶରୁ ତୀର୍ଥଯାତ୍ରୀମାନେ ଏକ ଦିଣ୍ଡି ଗଠନ କରନ୍ତି ଏବଂ ଅଲାଣ୍ଡି କିମ୍ବା ଦେହୁରେ ପହଞ୍ଚନ୍ତି ଓ ଏହି ଦୁଇସପ୍ତାହ ଯାତ୍ରାରେ ଯୋଗ ଦିଅନ୍ତି। ପ୍ରତ୍ୟେକ ଦିଣ୍ଡି ହେଉଛି ଗୋଟିଏ ଗାଁରୁ ଏକାଠି ଯାତ୍ରା କରିଥିବା ପୁରୁଷ ଓ ମହିଳାମାନଙ୍କର ଛୋଟ ଛୋଟ ଦଳ। କେତେକ ଦିଣ୍ଡି ପୁନେରେ ମିଶିଯାଆନ୍ତି ବା ସେଇଠୁ ଆରମ୍ଭ କରନ୍ତି। ଅନ୍ୟମାନେ ସେମାନଙ୍କ ଗାଁରୁ ଆରମ୍ଭ କରନ୍ତି ଏବଂ ସିଧାସଳଖ ପବିତ୍ର ଦିବସ ଭାବରେ ବିବେଚନା କରାଯାଉଥିବା ଆଷାଢ଼ି ଏକାଦଶୀରେ ପନ୍ଧରପୁରରେ ପହଞ୍ଚନ୍ତି ।
ସମସ୍ତ ପିଢ଼ିର, ସମସ୍ତ ଜାତିର, ସମସ୍ତ ବୟସର ଲୋକମାନେ ଓ୍ୱାରିରେ ଚାଲନ୍ତି । ଏଠାରେ ସମସ୍ତଙ୍କୁ ମୌଲ୍ କୁହାଯାଏ, ଏହି ଶବ୍ଦ ଶ୍ରଦ୍ଧାର ସହିତ ସନ୍ଥ ଡ୍ୟାନେଶ୍ୱରଙ୍କ ପାଇଁ ବ୍ୟବହାର କରାଯାଏ । ପୁରୁଷମାନେ ବିଭିନ୍ନ ପ୍ରକାର ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି, ମହିଳାମାନେ ଧଳାକୁ ବାଦ୍ ଦେଇ ସମସ୍ତ ରଙ୍ଗର ପୋଷାକ ପିନ୍ଧିଥାନ୍ତି ।
ଏହି ଓ୍ୱାରି ‘ଡ୍ୟାନୋବା ମୌଲି ତୁକାରାମ’ର ଧ୍ୱନୀ ସହିତ ପାରମ୍ପରିକ ଅଭଙ୍ଗ, ଓଭି ଏବଂ ଓ୍ୱାରକାରୀମାନଙ୍କ ଦ୍ୱାରା ଗାନ କରାଯାଉଥିବା ଗାଭଲନ ଓ ଏଥିସହିତ ତାଳ ଓ ମୃଦଙ୍ଗର ଶବ୍ଦରେ ପବନକୁ କମ୍ପିତ କରି ପ୍ରାତଃ ୩ଟା ସମୟରେ ପୁନେ ଛାଡ଼ନ୍ତି ।
ଚାରିବର୍ଷ ପୂର୍ବେ, ମୁଁ ପୁନେରୁ ଦିବେ ଘାଟ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ଚାଲିଥିଲି, ମୁଁ ବୟସ୍କ ଏବଂ ବୃଦ୍ଧ-ଅନେକ ଓ୍ୱାରକାରୀଙ୍କ ସହ କଥାବାର୍ତ୍ତା କରିଥିଲି । ଆମେ ହସଖୁସି କରିଥିଲୁ ଏବଂ ଆସନ୍ନ ଦୁର୍ଭିକ୍ଷ ( ୨୦୧୪ରେ, ରାଜ୍ୟର ଅନେକ ସ୍ଥାନରେ) ସମ୍ପର୍କରେ ଚିନ୍ତା ବିନିମୟ କରିଥିଲୁ । ଓସମାନବାଦ ଜିଲ୍ଲାର କଲାମ୍ବ ତାଲୁକାର ପନଗାଁଓ ଗ୍ରାମରୁ ଆସିଥିବା ଜଣେ ମହିଳା କହିଥିଲେ, ‘‘ଯଦି କେବଳ ଭଗବାନ ଆମ ଉପରେ ଦୟା କରନ୍ତି, ତେବେ ବର୍ଷା ହେବ’’ ।
ସେହି ଚାରିଘଣ୍ଟା ହସ-ଖୁସି, ଗୀତ ଏବଂ ଭାଇଚାରାରେ ଭରିଯାଇଥିଲା । କିନ୍ତୁ ଅସଂଖ୍ୟ ବୟସ୍କ ପୁରୁଷ ଏବଂ ମହିଳା ଛିଣ୍ଡା ଚପଲରେ ମଧ୍ୟ ଓ୍ୱାରିରେ ଚାଲିଥିଲେ କାରଣ ଏହା ସେମାନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଖାଇବାକୁ ଦିଏ ଏବଂ ସେମାନଙ୍କର ଯତ୍ନ ନିଏ- ଯେତେବେଳେ ଦିଣ୍ଡିଗୁଡ଼ିକ ଗ୍ରାମ ଏବଂ ସହର ଦେଇ ଅତିକ୍ରମ କରେ, ଭକ୍ତମାନେ ଓ୍ୱାରକାରୀମାନଙ୍କ ପାଇଁ ଖାଦ୍ୟ, ଫଳ, ଚା’ ଓ ବିସ୍କୁଟ୍ ଆଦି ବ୍ୟବସ୍ଥା କରିଥାନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍