ଗତ ବର୍ଷ ଓସମାନାବାଦର ଚାଷ ଜମିରେ ଚାରି ମାସର କଠିନ ପରିଶ୍ରମକୁ ନଷ୍ଟ କରିବାକୁ ଦୁଇ ସପ୍ତାହର ବର୍ଷା ଯଥେଷ୍ଟ ଥିଲା। ଅକ୍ଟୋବରରେ ଘନ କଳା ବାଦଲ ଫାଟି ଯାଇଥିଲା ଏବଂ ପ୍ରବଳ ବର୍ଷା ରେ ପରିଣତ ହୋଇଥିଲା - ଏବଂ ବାତ୍ୟାରେ ଘରର ଛପର ଉଡ଼ିଗଲା, ପଶୁମାନେ ଭାସିଗଲେ ଏବଂ ଏକର ଏକର ଫସଲ ଧୋଇଗଲା।
ସେହି ଫସଲଗୁଡିକ ମଧ୍ୟରୁ କିଛି ମହାରାଷ୍ଟ୍ରର ଓସମାନାବାଦର ମହଲିଙ୍ଗୀ ଗାଁର କୃଷକ ଶାରଦା ଏବଂ ପାଣ୍ଡୁରାଙ୍ଗ ଗୁନ୍ଦଙ୍କର ଥିଲା। ୪୫ ବର୍ଷର ଶାରଦା କୁହନ୍ତି, "ଆମେ ଅମଳ କରିଥିବା ପ୍ରାୟ ୫୦ କ୍ୱିଣ୍ଟାଲ ସୋୟାବିନ୍ ନଷ୍ଟ ହୋଇଯାଇଥିଲା। ଆମ କ୍ଷେତରେ ଆମ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଥିଲା। ଏହା ସବୁକିଛି ନଷ୍ଟ କରିଦେଲା।"
ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୦ ମସିହା ଅକ୍ଟୋବର ମାସରେ ଓସମାନାବାଦ ଜିଲ୍ଲାରେ ୨୩୦.୪ ମିଲିମିଟର ବର୍ଷା ହୋଇଥିଲା - ଯାହା ଏହି ମାସରେ ଜିଲ୍ଲାର ଅନ୍ୟ ସ୍ଥାନ ତୁଳନାରେ ହାରାହାରି ୧୮୦ ପ୍ରତିଶତ ଅଧିକ ଥିଲା।
ପାଣ୍ଡୁରାଙ୍ଗ ଏବଂ ଶାରଦା ପରି କୃଷକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ।
୫୦ ବର୍ଷୀୟ ପାଣ୍ଡୁରାଙ୍ଗ ଅସହାୟ ଭାବରେ ବର୍ଷା ତାଙ୍କ ଫସଲର ପ୍ରତ୍ୟେକ ଅଂଶକୁ ଧୋଇ ନେଇଯାଉଥିବାର ଦେଖୁଥିଲେ, କୃଷି ବଜାରରେ ସୋୟାବିନ୍ କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୩୮୦୦ ଟଙ୍କାରେ ବିକ୍ରି ହେଉଥିଲା। କହିବାକୁ ଗଲେ, ସେ ଏବଂ ଶାରଦା ୧୯୪,୦୦୦ ଟଙ୍କା ମୂଲ୍ୟର ଷ୍ଟକ୍ ହରାଇଥିଲେ। ସାରଦା କୁହନ୍ତି, "ଆହୁରି ମଧ୍ୟ ଆମେ ପ୍ରାୟ ୮୦,୦୦୦ ଟଙ୍କା ବିନିଯୋଗ କରିଥିଲୁ। "ଆପଣଙ୍କୁ ମଞ୍ଜି, ସାର, କୀଟନାଶକ ଇତ୍ୟାଦି କିଣିବାକୁ ପଡ଼ିବ। ଫସଲ ଚାଷ କରିବା ପାଇଁ ଆମେ ଚାରିମାସରୁ ଅଧିକ ସମୟ ଧରି ଯେଉଁ ହାଡଭଙ୍ଗା ପରିଶ୍ରମ କରିଥିଲୁ ତାହାକୁ ମୁଁ ହିସାବକୁ ନେଇନାହିଁ। କିନ୍ତୁ ହଠାତ୍ ବର୍ଷା ହୋଇଥିଲା ଏବଂ ଆମେ ଏହି ବାବଦରେ କିଛି କରିପାରିଲୁ ନାହିଁ।"











